Home General କମ୍ୟୁନିଟ୍ ହଲ୍‌କୁ ଲକ୍ଷେ ଜୋରିମାନା

କମ୍ୟୁନିଟ୍ ହଲ୍‌କୁ ଲକ୍ଷେ ଜୋରିମାନା

ଭୁବନେଶ୍ୱର: ସର୍ବ ସାଧାରଣ ସ୍ଥାନରେ ବର୍ଜ୍ୟ ପକାଇବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ପୂର୍ବତଟ ରେଳବାଇ କମ୍ୟୁନିଟି ସେଂଟର ପରିଚାଳନା ଅଧିକାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି । କେବଳ ସେତିକି ନୁହେଁ, ଏଣେତେଣେ ଓଦା ଓ ଶୁଖିଲା ବର୍ଜ୍ୟ ପକାଇଥିବା ମଂଚେଶ୍ୱରସ୍ଥିତ ରେଳବାଇ ଷ୍ଟାଫ୍ ବେନେଫିଟ୍ କମ୍ୟୁନିଟ୍ ହଲକୁ ବିଏମ୍‌ସି କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ସିଲ୍ କରିଦିଆଯାଇଥିଲା ।

ଆଜି ସକାଳୁ କମିଶନର ଅଚାନକ ଭାବେ ୯ ନମ୍ବର ୱାର୍ଡ ଅଂଚଳ ପରିଦର୍ଶନରେ ଯାଇଥିଲେ । ରେଳବାଇର ମଂଚେଶ୍ୱର ଅଂଚଳରେ ଥିବା କମ୍ୟୁନିଟ୍ ହଲ୍ ଓ ମାର୍କେଟ ଅଂଚଳ ପରିଦର୍ଶନ କରିବା ସମୟରେ ରାସ୍ତା କଡରେ ଓଦା, ଶୁଖିଲା ଓ ପ୍ଲାଷ୍ଟିକ ବର୍ଜ୍ୟ ବିକ୍ଷିପ୍ତ ଭାବେ ପଡି ରହିଥିବା ଦେଖିବାକୁ ପାଇଥିଲେ । ଖାସ୍ କରି କମ୍ୟୁନିଟ୍ ହଲରୁ ବାହାରି ଥିବା ଓଦା, ଶୁଖିଲା ଓ ପ୍ଲାଷ୍ଟିକ ବର୍ଜ୍ୟ ରାସ୍ତା କଡରେ ଜାଣିଶୁଣି ପକାଇ ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା । ପୂର୍ବତଟ ରେଳବାଇର କମ୍ୟୁନିଟି ସେଂଟର ଦାୟିତ୍ୱରେ ଥିବା କର୍ମଚାରୀମାନେ ଖାମଖିଆଲି ଭାବେ ବର୍ଜ୍ୟ ପରିଚାଳନା କରୁଛି ବୋଲି ପ୍ରତୀୟମାନ ହେବା ପରେ କମିଶନର ଘଟଣାସ୍ଥଳରେ ହିଁ ଉକ୍ତ କମ୍ୟୁନିଟ୍ ହଲ୍‌କୁ ସିଲ୍ କରିବାକୁ ନିର୍ଦେଶ ଦେଇଥିଲେ ।

ବର୍ଜ୍ୟ ଓଦା ଓ ଶୁଖୁଲା ପୃଥକୀକରଣ କରି ଦେବା ନିୟମ ବିଏମ୍‌ସି ଅଂଚଳରେ ଥିବା ସମସ୍ତ କଲ୍ୟାଣ ମଣ୍ଡପ ତଥା କମ୍ୟୁନିଟ୍ ହଲ୍ ପାଇଁ କଡାକଡି ଭାବେ ଲାଗୁ ହୋଇଛି ଏବଂ ତାହା ଏ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ ହେବ । ବାରମ୍ବାର ଏବଂ ବିଭିନ୍ନ ମାଧ୍ୟମରେ ସଚେତନ କରାଇବା ସତ୍ୱେ କର୍ତୃପକ୍ଷ, କାର୍ଯ୍ୟକ୍ରମ କରୁଥିବା ସଂସ୍ଥା ବା ବ୍ୟକ୍ତି ବିଶେଷ ଯଦି ବର୍ଜ୍ୟ ପରିଚାଳନା ନିୟମ କାର୍ଯ୍ୟକାରୀ କରିବେ ନାହିଁ କିମ୍ବା ସଫା ଭୁବନେଶ୍ୱର ଆପ୍‌ରେ ବିଏମ୍‌ସିକୁ ଅବଗତ କରାଇବେ ନାହିଁ; ତା ହେଲେ, ସଂପୃକ୍ତ ସଂଗଠନ ବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ରୋକଠୋକ୍ କହିଦେଇଛନ୍ତି ।

ଭୋଜିଭାତ ଆୟୋଜନ କରୁଥିଲେ ନିୟମ ମୁତାବକ ବର୍ଜ୍ୟ ଉଠାଇବା ନିମନ୍ତେ ସଫା ଭୁବନେଶ୍ୱର ଆପ୍ ର ଉପଯୋଗ କରିବାକୁ ହେବ । ଏଥିପାଇଁ ଆବଶ୍ୟକୀୟ ଦେୟ ଦେବାକୁ ପଡିବ । କାରଣ ବର୍ଜ୍ୟ ଏଣେତେଣେ ପକାଇବା ଦ୍ୱାରା ସାଧାରଣ ନାଗରିକଙ୍କ ଜୀବନଧାରଣ ମାନରେ କୁପ୍ରଭାବ ପକାଉଛି । ଜୋରିମାନା ଆଦାୟ ନ ହେବା ପର୍ଯ୍ୟନ୍ତ ରେଳବାଇ କମ୍ୟୁନିଟ୍ ହଲ୍ ବନ୍ଦ ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଥିଲା ।

ସିଲ୍ ହେବାର ଦୀର୍ଘ ୧୦ ଘଂଟା ପରେ କମ୍ୟୁନିଟ୍ ହଲ୍ ପରିଚାଳନା କମିଟିର ସଂପାଦକ ୧ ଲକ୍ଷ ଟଙ୍କା ବିଏମ୍‌ସିରେ ଜମା କରିଥିଲେ । ପରେ ବିଏମ୍‌ସି ପକ୍ଷରୁ କମ୍ୟୁନିଟ୍ ହଲ୍‌ରୁ ସିଲ୍ ଖୋଲିଦିଆଯାଇଥିଲା ।