Home Covid କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ

କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇ ୨୪ଘଣ୍ଟାରେ ୬ହଜାର ତଳକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲଗାମ ଲାଗୁନାହିଁ । ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୪୫ଜଣଙ୍କ ମୃତ୍ୟୁ ସହିତ ମୋଟ୍‍ କୋଭିଡ ମୃତୁସଂଖ୍ୟା ୩୦୮୦ରେ ପହଞ୍ଚିଛି ।

ନୂଆ ମୃତକଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୬ଜଣ ଥିବାବେଳେ କଳାହାଣ୍ଡି ଓ କଟକରୁ ୫ଜଣ କରି, ଅନୁଗୁଳ ଢେଙ୍କାନାଳ ଓ ସୁନ୍ଦରଗଡରୁ ୪ଜଣ କରି, ଝାରସୁଗୁଡା ଓ ବୌଦରୁ ୩ଜଣ କରି, ବରଗଡ ଓ ରାୟଗଡାରୁ ୨ଜଣ କରି ଏବଂ ନୟାଗଡ, ମୟୁରଭଞ୍ଜ, ମାଲକାନଗିରି, କେନ୍ଦ୍ରାପଡା, ଯାଜପୁର, ଜଗତ୍‍ସିଂହପୁର ଓ ବାଲେଶ୍ୱରରୁ ଜଣେ କରି କୋଭିଡରେ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଇଛି ।

ଖୋରଧା ଜିଲ୍ଲା ଉଭୟ ସଂକ୍ରମଣ ଓ ମୃତ୍ୟୁ କ୍ଷେତ୍ରରେ ସର୍ବାଧିକ ରହିଛି । ଖୋରଧାରେ ମୃତ୍ୟୁସଂଖ୍ୟା ୫ଶହକୁ ଅତିକ୍ରମ କରିଥିବାବେଳେ ସଂକ୍ରମଣ କ୍ଷେତ୍ରରେ ମଧ୍ୟ ଗତକାଲି ଗୋଟିଏ ଦିନକୁ ବାଦ୍‍ ଦେଲେ ଅନ୍ୟ ପ୍ରାୟ ସମସ୍ତ ଦିନରେ ପ୍ରଥମ ସ୍ଥାନରେ ରହୁଛି ।

ଗତ ୨୪ଘଣ୍ଟାରେ ରାଜ୍ୟରେ ୫୮୯୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୮୫୩ଜଣ ଅଛନ୍ତି । ୧୦ଟି ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କରେ ସୀମିତ ଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ଥମିବାର ନାଁ ଧରୁନି ।

ଉପକୂଳ ଜିଲ୍ଲା ମଧ୍ୟରେ ବାଲେଶ୍ୱରରେ ୩୭୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଭଦ୍ରକରେ ୩୭. ଯାଜପୁରରେରେ ୪୧୩, କଟକରେ ୩୪୯, କେନ୍ଦ୍ରାପଡାରେ ୨୩୫, ଜଗତ୍‍ସିଂହପୁରରେ ୨୩୨ ଓ ପୁରୀରେ ୨୪୧ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ ଏବେ ଉପକୂଳ ଜିଲ୍ଲାଗୁଡିକର ଅବଦାନ ଅଧିକ ରହିଛି ।

ସେହିଭଳି ଦୈନିକ ସଂକ୍ରମଣଙ୍କ ତୁଳନାରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହୁଥିବାରୁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୪,୧୭୨କୁ ହ୍ରାସ ପାଇଛି । ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ହୋଇଥିବାମୋଟ୍‍ ୮,୨୫,୧୧୦ଜଣଙ୍କ ମଧ୍ୟରୁ ୭,୪୭,୮୦୫ଜଣ ସୁସ୍ଥହୋଇ ସାରିଲେଣି ।

ରାଜ୍ୟରେ କରୋନା ପରୀକ୍ଷା ସଂଖ୍ୟା ଏକ କୋଟି ୨୩ଲକ୍ଷକୁ ଟପିଥିବାବେଳେ ଦୈନିକ ପରୀକ୍ଷା ସଂଖ୍ୟା ୭୦ହଜାର ପାଖାପାଖି ରହୁଛି । ମୋଟ ନମୂନା ପରୀକ୍ଷାରୁ ୬.୭ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି ।