Home Health କମୁଛି କରୋନା ବଢୁଛି ଡେଙ୍ଗୁ

କମୁଛି କରୋନା ବଢୁଛି ଡେଙ୍ଗୁ

ଭୁବନେଶ୍ୱର : ରାଜ୍ୟରେ ଲଗାତାର ତିନି ଦିନ ଧରି ଦୈନିକ କରୋନା ସଂକ୍ରମଣ ହଜାରେ ତଳେ ରହିଥିବାବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କିନ୍ତୁ ବଢିବାରେ ଲାଗିଛି । ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସରକାରୀ ତାଲିକାରେ ଦେଢହଜାର ନିକଟତର ହୋଇଥିବାବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ଡେଙ୍ଗୁ ଚିହ୍ନଟ ହେଲେଣି ।

ରାଜଧାନୀରେ ଡେଙ୍ଗୁ ପ୍ରଥମେ କଳ୍ପନା, ନିଳାଦ୍ରୀବିହାର ଆଦି ଅଞ୍ଚଳରେ ଦେଖା ଦେଇଥିବାବେଳେ ଏବେ ସମଗ୍ର ରାଜଧାନୀକୁ ବ୍ୟାପିଗଲାଣି । ଅବସ୍ଥା ଏଭଳି ହୋଇଛି ଯେ କ୍ୟାପିଟାଲ ହସ୍ପିଟାଲରେ କ୍ୟାବିନ, ନର୍ସିଂହୋମ୍‍, ୱାର୍ଡ ସବୁ ଡେଙ୍ଗୁ ରୋଗୀରେ ଭରପୂର ହୋଇଗଲାଣି । ଏବେ ଆସୁଥିବା ଡେଙ୍ଗୁ ରୋଗୀଙ୍କୁ ଘରେ ରହି ଚିକିତ୍ସିତ ହେବା ଓ ଯଦି ପାଟ୍‍ଲେଟ୍‍ କମିବ ତେବେ ଡାକ୍ତରଖାନାରେ ଭର୍ତ୍ତି ହେବାପାଇଁ କୁହାଯାଉଛି ।

ଏଡିସ୍‍ ମଶା ଦ୍ୱାରା ଡେଙ୍ଗୁ ବ୍ୟାପୁଥିବାବେଳେ ମଶା ନିୟନ୍ତ୍ରଣ ପାଇଁ ବିଏମ୍‍ସି କର୍ତ୍ତୃପକ୍ଷ ବାରମ୍ବାର ପ୍ରଚାର କରିବାରେ ଲାଗିଛନ୍ତି । ହେଲେ ସହରରେ ବ୍ୟାପକ ମଶାଧୁଆଁ ଛାଡିବା ଓ ମଶାତେଲ ପକାଇବା ଲକ୍ଷ୍ୟ କରାଯାଉ ନାହିଁ । ଗୋଟିଏ ଦୁଇଟି ଅଞ୍ଚଳକୁ ବାଦ୍‍ ଦେଲେ ପୂର୍ବଭଳି ସହରସାରା ଆଉ ମଶାଧୂଆଁ ଛଡାଯାଉନାହିଁ ।

ରାଜଧାନୀରେ ଡେଙ୍ଗୁ ସଂକ୍ରମଣର କାରଣ ପାର୍କ ବୋଲି କୁହାଯାଉଥିଲା । କାରଣ କରୋନା ପାଇଁ ପାର୍କଗୁଡିକ ଦୀର୍ଘଦିନ ବନ୍ଦ ରହିବା ଯୋଗୁଁ ଏହା ଭିତରେ ଥିବା ଡଷ୍ଟବିନ୍‍ ଓ ଅନ୍ୟାନ୍ୟ ପାତ୍ରରେ ପାଣି ଜମି ଡେଙ୍ଗୁମଶା ବଂଶ ବିସ୍ତାର କରିଥିଲେ । ବର୍ତ୍ତମାନ କିନ୍ତୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଶା ଭଣ ଭଣ ହେଉଛନ୍ତି ।

ଦୀର୍ଘଦିନ ଧରି ବନ୍ଦ ରହିଥିବା ସ୍କୁଲ, କଲେଜ ପରିସରରେ ଜଙ୍ଗଲିଆ ପରିବେଶ ସୃଷ୍ଟି ହେବା ସହିତ ସେଠାରେ ମଶାମାନେ ବଂଶ ବିସ୍ତାର କରିଛନ୍ତି । ବର୍ତ୍ତମାନ ଶିକ୍ଷାନୁଷ୍ଠାନଗୁଡିକ ଧିରେ ଧିରେ ଖୋଲୁଥିବାରୁ ସେଠାରେ ଛାତ୍ରଛାତ୍ରୀମାନେ ମଶା କାମୁଡାର ଶିକାର ହେଉଛନ୍ତି । କରୋନା ସଂକ୍ରମଣ ପାଇଁ କର୍ତ୍ତୃପକ୍ଷ ଶିକ୍ଷାନୁଷ୍ଠାନରେ ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ମଶା ନିୟନ୍ତ୍ରଣ ପାଇଁ କିନ୍ତୁ ସେଭଳି ପଦକ୍ଷେପ ନିଆଯାଉ ନାହିଁ ।

ସେହିଭଳି ଡେଙ୍ଗୁ ଆକ୍ରାନ୍ତ ରୋଗୀଙ୍କର ପ୍ରାୟତଃ ପ୍ରତଦିନ ରକ୍ତ ପରୀକ୍ଷା ଆବଶ୍ୟକ ହେଉଥିବାବେଳେ ଡାକ୍ତରଖାନାରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଅନେକ ଲୋକେ ବାଧ୍ୟହୋଇ ଘରୋଇ ନିଦାନ କେନ୍ଦ୍ରକୁ ଯାଉଥିବା ଲକ୍ଷ୍ୟ କରାଯାଉଛି ।

ବର୍ତ୍ତମାନ ରାଜଧାନୀରେ ଯେଉଁମାନଙ୍କ ଠାରେ ଡେଙ୍ଗୁ ଚିହ୍ନଟ ହେଉଛି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଫୋନ୍‍ କରାଯାଇ ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତରେ ବୁଝାଯାଉଛି । ହେଲେ କୋଭିଡ ଭଳି ଟେଲିଫୋନ୍‍ରେ ଡାକ୍ତରୀ ପରାମର୍ଶ ମିଳୁନାହିଁ । ଗୋଟିଏ ପଟେ ଶଯ୍ୟାର ଅଭାବ ଓ ଅନ୍ୟ ପଟେ ଦୈନିକ ନୂଆ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ଏବେ ରାଜଧାନୀବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବାରେ ଲାଗିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here