Home News in Odia କମିଶନରେଟ୍‌ ପୋଲିସ ପାଇଁ ସ୍ୱତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା

କମିଶନରେଟ୍‌ ପୋଲିସ ପାଇଁ ସ୍ୱତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା

ଭୁବନେଶ୍ୱର : ଭୁବନେଶ୍ୱର -କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ  ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି।

ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସଂଧାନ କରି ପଦକ୍ଷେପ ନେବେ।   ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ୱତନ୍ତ୍ର ଶାଖା କାର୍ଯ୍ୟ କରିବ । ଏଥିରେ ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୯ଜଣ ଇନ୍‌ସପେକ୍ଟର, ୧୨ଜଣ ସବ୍‌ଇନିସ୍‌ପେକ୍ଟର, ୩ ଜଣ ଏଏସ୍‌ଆଇ (ଯୋଗାଯୋଗ), ୩ ଜଣ କନେଷ୍ଟବଳ (ଯୋଗାଯୋଗ) ଓ ୨୭ ଜଣ କନେଷ୍ଟବଳ,  ଏହିପରି ୫୯ ଜଣ କର୍ମଚାରୀଙ୍କୁ ନେଇ ଏହି ଶାଖା କାର୍ଯ୍ୟ କରିବ।

ସେହିପରି କମିଶନରେଟ୍‌ ପୋଲିସ ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ପାଇଁ ଏହି ଅଞ୍ଚଳରେ ୩ ଗୋଟି ନୂତନ ଥାନାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେହି ନୂଆ ଥାନା ଗୁଡିକ ହେଲା – ପାହାଳ, ଇନ୍‌ଫୋଭାଲି ଓ ବୟାଳିଶମୌଜା/ବେଣ୍ଟକାର ।

ବାଲିଅନ୍ତା ଥାନା ଅଧୀନରେ କାମ କରୁଥିବା ପାହାଳ ଫାଣ୍ଡି, ଜଟଣୀ ଥାନା ଅଧୀନରେ କାମ କରୁଥିବା ଇନ୍‌ଫୋଭାଲି ଫାଣ୍ଡି ଓ କଟକ ସଦର ଥାନା ଅଧୀନରେ କାମ କରୁଥିବା ବେଣ୍ଟକାର ଫାଣ୍ଡିକୁ ଉନ୍ନୀତ କରାଯାଇ ଏହି ୩ଟି ନୂତନ ଥାନା ସୃଷ୍ଟି କରାଯାଇଛି ।