Home Covid କମିଶନଙ୍କ କଟକଣା ନମାନିଲେ କରୋନା ବଢିବ

କମିଶନଙ୍କ କଟକଣା ନମାନିଲେ କରୋନା ବଢିବ

ଭୁବନେଶ୍ୱର : କୋଭିଡ ସଂକ୍ରମଣର ଭୟାବହତାକୁ ଆଖିଆଗରେ ରଖି ଆସନ୍ତା ଫେବୃୟାରୀ ମାସରେ ୫ପର୍ଯ୍ୟାୟରେ ଓଡିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ଯେତେସବୁ କଟକଣା ଜାରି କରିଛନ୍ତି ତାହାର ଅନୁପାଳନ ଠିକଣା ଭାବେ କରାନଗଲେ ପରିସ୍ଥିତି ଭୟଙ୍କର ହୋଇପାରେ ବୋଲି ବୈଜ୍ଞାନିକ ଓ ଚିକିତ୍ସକମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ରାଜ୍ୟ ନିର୍ବାଚନ କମିଶନଙ୍କ ଘୋଷିତ କଟକଣା ଅନୁଯାୟୀ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପ୍ରାର୍ଥୀ ଗୋଟିଏରୁ ଅଧିକ ଗାଡି ବ୍ୟବହାର କରିପାରିବେ ନାହିଁ । ସେହିପରି ପ୍ରଚାର ପାଇଁ ସଭା ସମିତି ଓ ଶୋଭାଯାତ୍ରା ଉପରେ କଡା କଟକଣା ଥିବାବେଳେ ପ୍ରାର୍ଥୀ ସାଙ୍ଗରେ ଅତି ବେଶିରେ ୫ଜଣଙ୍କୁ ନେଇ ପ୍ରଚାର ଅଭିଯାନ ଚଳାଇପାରିବେ ଏବଂ ଏ କ୍ଷେତ୍ରରେ ପ୍ରଚାରରେ ନିୟୋଜିତ ବ୍ୟକ୍ତିମାନେ ମୁଖା ପିନ୍ଧିବା ସହ ପରସ୍ପର ମଧ୍ୟରେ ଦୂରତା ବଜାୟ ରଖିବେ ଏବଂ ସାନିଟାଇଜର ଆଦି ବ୍ୟବହାର କରିବାକୁ କୁହାଯାଇଛି ।

ଦେଶରେ ଲୋକସଭା ପାଇଁ ୫୪୨ଟି ଆସନରୁ ପ୍ରାର୍ଥୀ ଲଢିଥାନ୍ତି । ସେହିଭଳି ରାଜ୍ୟରେ ବିଧାନସଭା ପାଇଁ ୧୪୭ଟି ଆସନରୁ ପ୍ରାର୍ଥୀ ଲଢନ୍ତି । କିନ୍ତୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ର୍ନିବାଚନମଣ୍ଡଳୀ ସଂଖ୍ୟା ୧,୦୬,୩୫୪ । ଏହି ଆସନଗୁଡିକରୁ ୨ଲକ୍ଷରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବା ଆଶା କରାଯାଉଛି । ଏତେ ସବୁ ପ୍ରାର୍ଥୀଙ୍କ ପାଇଁ ନିରାପତ୍ତା ବ୍ୟବସ୍ଥା ଯୋଗାଇବା ଏବଂ କେଉଁ ପ୍ରାର୍ଥୀ କେଉଁଠି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି କି ନାହିଁ ତାହାକୁ ନଜରରେ ରଖିବା ଉଭୟ ପୁଲିସ୍‍ ଓ ପ୍ରଶାସନ ପାଇଁ ଏକ ବଡ ଆହ୍ୱାନ ହେବାକୁ ଯାଉଛି ।

ରାଜ୍ୟର ୩୦ଟି ଜିଲ୍ଲାରେ ୮୫୩ ଜିଲ୍ଲା ପରିଷଦ ଜୋନ୍‍ ରହିଥିବାବେଳେ ପ୍ରତି ଜୋନ୍‍ରେ ଜିଲ୍ଲା ପରିଷଦ ସଦସ୍ୟପାଇଁ ଦଳୀୟ ଚିହ୍ନରେ ନିର୍ବାଚନ ହୋଇଥାଏ ଏବଂ ସ୍ୱାଧୀନ ପ୍ରାର୍ଥୀ ବି ଏଥିରେ ଭାଗ ନେଇଥାନ୍ତି । ଜିଲ୍ଲା ପରିଷଦ ଜୋନ୍‍ରୁ ର୍ନିବାଚିତ ପ୍ରାର୍ଥୀମାନେ ନିଜ ନିଜ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ କରନ୍ତି । ସେହିଭଳି ୬୭୯୪ ପଞ୍ଚାୟତ ଲାଗି ଜଣେ କରି ସରପଞ୍ଚ ଓ ସମିତି ସଦସ୍ୟ ନିର୍ବାଚିତ ହେବେ । ବହୁ କ୍ଷେତ୍ରରେ ସରପଞ୍ଚ ପଦବୀ ଲାଗି ଲଢେଇ ତ୍ରିମୁଖୀ ଓ ଚର୍ତୁମୁଖୀ ହେବାର ଅଛି । ସମିତି ସଭ୍ୟମାନେ ୩୧୪ଟି ବ୍ଲକ ପାଇଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବାଛିବେ । ଏହାଛଡା ପଞ୍ଚାୟତ ସ୍ତରରେ ୱାର୍ଡମେମ୍ବରମାନେ ମଧ୍ୟ ନାଏବ ସରପଞ୍ଚ ନିର୍ବାଚନ କରିବେ ।

ରାଜ୍ୟର ୬୭୯୪ଟି ଗ୍ରାମପଞ୍ଚାୟତର ୯୧,୯୧୩ ୱାର୍ଡ ରହିଛି । ପ୍ରତି ୱାର୍ଡରୁ ଜଣେ ଲେଖାଏଁ ୱାର୍ଡମେମ୍ବର ର୍ନିବାଚିତ ହେବାକଥା । ରାଜ୍ୟରେ ଯେଭଳି ଦିନକୁ ଦିନ ରାଜନୈତିକ ଉଷ୍ମତା ବୃଦ୍ଧିପାଉଛି ସେଥିରୁ ୱାର୍ଡମେମ୍ବର ପଦବୀ ପାଇଁ ବି ବହୁମୁଖୀ ପ୍ରତିଦ୍ୱନ୍ଦିତା ଅନେକ ସ୍ଥଳରେ ହୋଇପାରେ । ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨,୭୯,୩୫,୫୨୦ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବାକଥା । ଏଥିପାଇଁ ବ୍ୟାପକ ସଂଖ୍ୟକ ମତଦାନକେନ୍ଦ୍ର ମଧ୍ୟ ରହିବ ।

ବିଧାନସଭା ଓ ଲୋକସଭା ନିର୍ବାଚନର ମତଦାନ ଇଭିଏମ୍‍ରେ ହେଉଥିବାବେଳେ ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ କିନ୍ତୁ କାଗଜ ବାଲାଟ୍‍ରେ ହେବ ଏବଂ ପ୍ରତି ମତଦାତା ଅନ୍ୟୁନ ୪ଟି ବାଲାଟରେ ପୃଥକ ପୃଥକ ଭାବେ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଦସ୍ୟ ଓ ୱାର୍ଡମେମ୍ବର ପଦବୀ ପାଇଁ ଭୋଟ ଦେବେ ।

ଏବେ ଠାରୁ ପ୍ରମୁଖ ରାଜନୈତିକଦଳମାନେ ଯେଭଳି ଆରୋପ ପ୍ରତ୍ୟାରୋପରେ ବ୍ୟସ୍ତ ରହିଛନ୍ତି ନିର୍ବାଚନ ପ୍ରଚାର ସରଗରମ ହେଲେ ତାହା ଢେର ଅଧିକ ବଢିଯିବ । ସେତେବେଳେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ସଂକ୍ରାନ୍ତୀୟ ଯେତେସବୁ ଅଭିଯୋଗ ଆସିବ ଏବଂ ତାହାର ସମାଧାନ ଓ ପ୍ରତିକାର ଉଭୟ ପୁଲିସ୍‍ ଓ ପ୍ରଶାସନ ପାଇଁ ଏକ ବଡ ଆହ୍ୱାନ ହେବାକୁ ଯାଉଛି । (ତଥ୍ୟ)