Home General କନଜରଭେନ୍ସି ଦଖଲ ହଟାଇବ କିଏ ?

କନଜରଭେନ୍ସି ଦଖଲ ହଟାଇବ କିଏ ?

ଭୁବନେଶ୍ୱର : ରାଜଧାନୀର ବିିଭିନ୍ନ ଗଳିକନ୍ଦି ବିଶେଷକରି କନଜରଭେନ୍ସିଗୁଡିକରେ ଥିବା ଜବରଦଖଲକୁ କିଏ ହଟେଇବ ତାହାକୁ ନେଇ ପ୍ରଶ୍ନବାଚୀ । ବିଏମ୍‍ସି, ସାଧାରଣ ପ୍ରଶାସନ ଓ ବିଡିଏର ଉଚ୍ଛେଦକାରୀ ଦଳ ଥିଲେ ମଧ୍ୟ ଏମାନଙ୍କୁ ହଟାଯାଇ ପାରୁନାହିଁ ।

ରାଜଧାନୀକୁ ପରସ୍କାର ପରିଚ୍ଛନ୍ନ କରି ରଖିବାପାଇଁ ଏବେ କନଜଭେନ୍ସିଗୁଡିକରେ ଟାଇଲ୍‍ ବିଛା କାର୍ଯ୍ୟ ହେଉଛି । ପୂର୍ତ୍ତ ବିଭାଗ ଅଧିନରେ ଥିବା ସରକାରୀ କ୍ୱାର୍ଟର ପଛରେ ଏହି ଟାଇଲ ବିଛା କାର୍ଯ୍ୟ କରୁଛି ବିଏମ୍‍ସି । ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସଫା ହୋଇନଥିବା କନଜରଭେନ୍ସରୁ ଶହ ଶହ ଟ୍ରକ ମାଟି ଓ ଆବର୍ଜନା ଉଠିବା ସହିତ ସେଠାରେ କଂକ୍ରିଟ, ବାଲି ପକାଇବା ସହିତ ତାହା ଉପରେ ଟାଇଲ୍‍ ବିଛାଯାଉଛି ।

ହେଲେ ବିଭିନ୍ନ ୟୁନିଟ୍‍ରେ କନଜରଭେନ୍ସିରେ ଥିବା ଜବରଦଖଲକୁ ଉଠାଯାଇ ପାରୁନାହିଁ । କେଉଁଠି କନଜରଭେନ୍ସିରେ ଝୁମ୍ପୁଡି ଘର ତ ଆଉ କେଉଁଠି ଆଜିବେଷ୍ଟ ଘର ହୋଇ ଏସି ଲାଗିଛି । ଆଜିବେଷ୍ଟସ ଘର ତ ଦୂରରକଥା କନଜରଭେନ୍ସିରେ ଥିବା ଝୁମ୍ପୁଡିକୁ ହଟାଇବା ବଦଳରେ ତାହା ଚାରିପଟେ ବିଏମ୍‍ସି ଟାଇଲ୍‍ ବିଛାଇବାରେ ଲାଗିଛି । ଫଳରେ ଏହିସବୁ ଜବଦରଖଲ ଧିରେ ଧିରେ ସ୍ଥାୟୀ ହେବାରେ ଲାଗିଛି ।

ଖୋଦ ରାଜ୍ୟ ଲୋକସେବା ଭବନ ଓ ରାଜଭବନ ଆଖପାଖରେ ଥିବା ଏଭଳି ଜବରଦଖଲକୁ ହଟାନଯିବା ଏବେ ସେହିସବୁ କ୍ୱାଟର୍ସରେ ରହୁଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । କ୍ୱାଟର୍ସର ମାଲିକ ପୂର୍ତ୍ତ ବିଭାଗ ଏଥିପ୍ରତି ଆଖିବୁଜି ଦେଇଥିବାବେଳେ ଟାଇଲ୍‍ ବିଛା କାର୍ଯ୍ୟ ନେଇଥିବା ବିଏମ୍‍ସି ବି ଏହି ବିବାଦରେ ପଶିବାକୁ ଚାହୁଁନାହିଁ । ସେହିଭଳି କନଜରଭେନ୍ସିରେ ସ୍ୱରେଜ ପାଇପ୍‍ ଦାୟିତ୍ୱରେ ଥିବା ୱାଟ୍‍କୋ କର୍ତ୍ତୃପକ୍ଷ ବି ଏହା ଉପରେ ଦୃଷ୍ଟି ଦେଉ ନାହାନ୍ତି ।

ଏହା ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ବିଏମ୍‍ସି କର୍ତ୍ତୃପକ୍ଷ କୋଟି କୋଟି ଟଙ୍କା ବ୍ୟୟରେ କନଜରଭେନ୍ସିରେ ଟାଇଲ୍‍ ବିଛା କାର୍ଯ୍ୟ ଆରମ୍ଭ କରିଛନ୍ତି ତାହା ବହୁ ସ୍ଥାନରେ ବିଶେଷକରି ସରକାରୀ କ୍ୱାଟର୍ସ ଆଖପାଖରେ ବାଟବଣା ହେବାରେ ଲାଗିଛି । ଏଭଳି ଜବରଦଖଲକୁ ହଟାଇବାର ଦାୟିତ୍ୱ କାହାର ତାହା ସ୍ଥିର ହୋଇପାରୁ ନଥିବାରୁ ବିଏମସିର ଏହି ଯୋଜନା ଏବେ ଏକ ପ୍ରକାର ବାଟବଣା ।

ଅନ୍ୟ ପକ୍ଷରେ ଜାଗା ମିଶନରେ ସରକାର ଜମି ପଟ୍ଟା ଦେବାପରେ ଏବେ ରାଜଧାନୀରେ ସରକାରୀ ଜାଗା ଜବରଦଖଲର ମୋହ ବଢିଯାଇଛି । ଏପରିକି ଜଣେ ଜଣେ ବ୍ୟକ୍ତି ଯେଉଁମାନଙ୍କର ଦୁଇ ତିନିଟି ବସ୍ତିରେ ଘର ଓ ଜମି ରହିଛି ସେମାନେ ଏବେ ଛଅ ନମ୍ବର, ନଅ ନମ୍ବର, ଆଠ ନମ୍ବର ଓ ଚାରି ନମ୍ବର ୟୁନିଟ୍‍ରେ ଥିବା ରାସ୍ତାକଡ ଜମି ଓ କନଜରଭେନ୍ସିକୁ ଜବରଦଖଲ କରିବାରେ ଲାଗିଛି । ଏଠାରେ ରାତାରାତି ଘର ତିଆରି ହେଉଥିବାବେଳେ ଟାଟା ପାୱାର ସେହି ଘରକୁ ବିଜୁଳି ଓ ୱାଟ୍‍କୋ ଜଳ ସଂଯୋଗ ଦେଉଛନ୍ତି । ପରବର୍ତ୍ତୀ ସମୟରେ ଏହି ଘରକୁ ଜବରଦଖଲକାରୀମାନେ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଛନ୍ତି ନଚେତ ଭଡା ଦେଇ ଦେଉଛନ୍ତି । ଏମାନଙ୍କୁ କିଏ ହଟାଇବା ତାହା ଏବେ ରାଜଧାନୀରେ ବଡ ପ୍ରଶ୍ନବାଚୀ ହୋଇଛି । (ତଥ୍ୟ)