Home General କଟକରେ ସର୍ବାଧିକ ନିର୍ମାଣ ଶ୍ରମିକ

କଟକରେ ସର୍ବାଧିକ ନିର୍ମାଣ ଶ୍ରମିକ

ଭୁବନେଶ୍ୱର : କଟକ ଜିଲ୍ଲାରେ ଅଛନ୍ତି ରାଜ୍ୟର ସବୁଠାରୁ ଅଧିକ ପଞ୍ଜିକୃତ ନିର୍ମାଣ ଶ୍ରମିକ । ରାଜ୍ୟର ୩୫ଲକ୍ଷରୁ ଅଧିକ ପଞ୍ଜିକୃତ ନିର୍ମାଣ ଶ୍ରମିକ ଥିବାବେଳେ କଟକ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୨ଲକ୍ଷ ୭୦ହଜାରରୁ ଅଧିକ ରହିଛି ।

ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡ ଅଧିନରେ ରାଜ୍ୟରେ ମୋଟ୍‍ ୩୫,୮୨,୨୭୩ ଜଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କଟକରେ ସର୍ବାଧିକ ୨,୭୦,୩୧୮ ଶ୍ରମିକ ଥିବାବେଳେ ଏହା ପଛକୁ ଖୋରଧାରେ ୨,୫୯,୬୭୪ଜଣ ଶ୍ରମିକ ଅଛନ୍ତି । ଏକ ଲକ୍ଷରୁ ଅଧିକ ପଞ୍ଜିକୃତ ଶ୍ରମିକ ଥିବା ଶ୍ରମ ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱର, ବରଗଡ, ଭଦକ୍ର, ଛତ୍ରପୁର, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, ମୟୁରଭଞ୍ଜ, ନୂଆପଡା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ରହିଛି ।

ସେହଭଳି ରାଜ୍ୟରେ ଅସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ୨,୮୪,୨୯୫ଜଣ ଶ୍ରମିକ ପଞ୍ଜିକୃତ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ୪୨,୩୬୭ଜଣ ରହିଛନ୍ତି । ଏହା ପଛକୁ ବୌଦ ଜିଲ୍ଲାରେ ୨୬,୨୬୮ ଶ୍ରମିକ ରହିଥିବାବେଳେ ସବୁଠାରୁ କମ୍‍ ଏହି ଧରଣର ୧୪୯୧ଜଣ ଶ୍ରମିକ ତାଳଚେରରେ ଅଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ବିଭିନ୍ନ ବର୍ଗର ୧,୭୫,୪୧,୫୮୯ ଜଣ କର୍ମଜୀବି ଅଛନ୍ତି । କର୍ମଚରୀ ରାଜ୍ୟବୀମା ନିଗମ ଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଗତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୫,୮୯,୯୬୦ ଜଣ ଶ୍ରମିକଙ୍କୁ କର୍ମଚାରୀ ରାଜ୍ୟବୀମା ଯୋଜନାରେ ପରିସରଭୁକ୍ତ କରାଯାଇଛି । ଯୋଜନାରୁ ବଞ୍ଚିତ ଅନ୍ୟାନ୍ୟ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଇଏସ୍‍ଆଇ ପରିସରଭୁକ୍ତ କରିବା ପାଇଁ କର୍ମଚାରୀ ରାଜ୍ୟବୀମା ନିଗମ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ସେହିପରି ସରକାରୀ ଭବିଷ୍ୟନିଧି ସଂଗଠନ ଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୩୬,୦୭,୮୪୫ଜଣ ଶ୍ରମିକ/କର୍ମଚାରୀଙ୍କୁ ଇପିଏଫ ପରିସରଭୁକ୍ତ କରାଯାଇଛି । ଇପିଏଫ୍‍ ସୁବିଧାରୁ ବଞ୍ଚିତ ଅନ୍ୟାନ୍ୟ ଯୋଗ୍ୟ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଏହାର ପରିସରଭୁକ୍ତ କରିବାପାଇଁ କର୍ମଚାରୀ ଭବିଷ୍ୟନିଧି ସଂଗଠନର କ୍ଷେତ୍ର ଅଧିକାରୀମାନଙ୍କ ଦ୍ୱାରା ନିୟମିତ ଭାବେ ସର୍ଭେ କରାଯାଉଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here