Home Health କଟକଣା ମାନୁନାହାନ୍ତି ରାଜନୈତିକ ଦଳ

କଟକଣା ମାନୁନାହାନ୍ତି ରାଜନୈତିକ ଦଳ

466
0

ଭୁବନେଶ୍ୱର : କରୋନା ଲେଉଟାଣି ଘେନି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶେଷଜ୍ଞମାନେ ସାଧାରଣ ଲୋକଙ୍କୁ ବାରମ୍ବାର ସତର୍କ ସୂଚନା ଜାରି କରିବା ସହ ନୂଆ ମାର୍ଗନିର୍ଦ୍ଦେଶିକା ଦେଖାଉଛନ୍ତି । ଅଥଚ ରାଜନୈତିକ ଦଳମାନେ ଏହାର ଖୋଲା ଉଲ୍ଲଙ୍ଘନ କରୁଥିବାରୁ ସରକାରୀ ମାର୍ଗନିର୍ଦ୍ଦେଶିକା ଆଗଭଳି କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହୋଇପାରୁନଥିବା ଘେନି ବିଭିନ୍ନ ମହଲରୁ ଅଭିଯୋଗ ଆସୁଛି ।

ଆମେରିକା, ୟୁରୋପ, ଆଫ୍ରିକା ଆଦି ମହାଦେଶରେ କରୋନା ବାରମ୍ବାର ଗତି ବଦଳୁଥିବା ବେଳେ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, କେରଳ ଭଳି ରାଜ୍ୟରେ ପୁଣି ତାହାର ଉଗ୍ରରୂପ ଦେଖାଉଛି । ଏମିତିକି ଓଡ଼ିଶାରେ କରୋନା ଏକପ୍ରକାର ନିୟନ୍ତ୍ରଣାଧିନ ଅବସ୍ଥାରେ ଥିବା ବେଳେ ଏବେ ବି ସଂକ୍ରମଣ ଜାରି ରହିଛି । ଏହାକୁ ଆଖିଆଗରେ ରଖି ଲୋକେ ମାସ୍କ ଓ ସାନିଟାଇଜର୍‍ ବ୍ୟବହାର କରିବା ସହିତ ଶାରିରୀକ ଓ ସାମାଜିକ ଦୂରତା ରକ୍ଷା କରିବା ଲାଗି ସରକାରଙ୍କ ପକ୍ଷରୁ ବାରମ୍ବାର ସୂଚନା ଦିଆଯାଉଛି । ତେବେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ରାଜନୈତିକ କାର୍ଯ୍ୟକ୍ରମଗୁଡ଼ିକରେ କିନ୍ତୁ ଏବେ ଏହି କଟକଣା ପ୍ରତିପାଳିତ ହେଉନାହିଁ ।

ବିଧାନସଭା ସଚିବାଳୟ ନିକଟରୁ ଗତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଯାଇଥିବା ବିଜେପିର ଶୋଭାଯାତ୍ରା ଓ ଏହି ଶୋଭାଯାତ୍ରାକାରୀମାନଙ୍କୁ ବାଟ କଢେଇ ନେଉଥିବା ବିଜେଡିର ନେତା ମନ୍ତ୍ରୀମାନଙ୍କ ମଧ୍ୟରୁ ପ୍ରାୟ କେହି କୋଭିଡ୍‍ ଦୂରତା କଟକଣା ମାନୁନଥିବାର ଚିତ୍ର ଗଣମାଧ୍ୟମରେ ପ୍ରକାଶ ପାଇଛି । ସେହିଭଳି ବିଧାନସଭା ପରିସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ତଳେ ସେହି ସମୟରେ ଧାରଣାରେ ବସିଥିବା କଂଗ୍ରେସର ନେତାମାନେ ବି ଦୂରତା ରକ୍ଷା କରିନଥିଲେ ।

ଏହି ତିନି ପ୍ରମୁଖ ରାଜନୈତିକ ଦଳର ଅନେକ ନେତା ରାଜନୈତିକ କାର୍ଯ୍ୟକ୍ରମ ବେଳେ ମାସ୍କ ବ୍ୟବହାର କରୁନାହାନ୍ତି । ଅଥଚ ପ୍ରତିକାରାତ୍ମକ ବ୍ୟବସ୍ଥା ସ୍ୱରୂପ ବିଧାନସଭା ଅଧିବେଶନ ପୂର୍ବରୁ ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି ସାମ୍ବ ାଦିକ, ସୁରକ୍ଷା କର୍ମୀ ଓ ବିଧାନସଭା ସଚିବାଳୟ କର୍ମଚାରୀମାନଙ୍କର କରୋନା ପରୀକ୍ଷା କରାଯାଉଛି ।

ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ସର୍ବସମ୍ମୁଖରେ ପ୍ରମୁଖ ରାଜନୈତିକ ଦଳର ନେତାମାନେ କରୋନା କଟକଣାର ଉଲ୍ଲଙ୍ଘନ କରିଥିଲେ । ଅତୀତରେ ଲକ୍‍ଡାଉନ୍‍, ସଟ୍‍ଡାଉନ୍‍ ଆଦି ସମୟରେ ସାଧାରଣ ଲୋକଟିଏ ମାସ୍କ ନ ପିନ୍ଧିଲେ କିମ୍ବା ଦୂରତା ରକ୍ଷା ନ କଲେ କିମ୍ବା ଅନ୍ୟାନ୍ୟ କଟକଣା ନ ମାନିଲେ ସେମାନଙ୍କୁ ପୁଲିସ ନିର୍ଘାତ ପିଟିବା ସହ ଜରିମାନା ବି ଆଦାୟ କରୁଥିଲା । କିନ୍ତୁ ରାଜନେତାମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେଉନାହିଁ ।

ଏବେ ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ଦଳ ପକ୍ଷରୁ ଆୟୋଜିତ ଜନସଭାଗୁଡ଼ିକରେ ଏହି କଟକଣା ଅର୍ଥହୀନ ବୋଲି ଜଣାପଡୁଛି । ଏବେ ପିପିଲି ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ଲାଗି ବିଜ୍ଞପ୍ତି ଜାରି ବେଳେ କୋଭିଡ୍‍ କଟକଣା ଭିତରେ ପିପିଲିରେ ନିର୍ବାଚନ ହେବ ବୋଲି କୁହାଯାଇଛି ।

ତେବେ ବିଭିନ୍ନ ଦଳ ପକ୍ଷରୁ ସେଠାରେ ଏବେ ଯେଉଁ ପ୍ରସ୍ତୁତି ପର୍ବ ଚାଲିଛି ସେଥିରୁ ଆଗାମୀ ଦିନରେ ତିର୍ତ୍ତୋଲ, ବାଲେଶ୍ୱର ଭଳି ପିପିଲିରେ ମଧ୍ୟ ରାଜନୈତିକଳ ଦଳଗୁଡ଼ିକ କରୋନା କଟକଟଣାର ଖୋଲା ଉଲ୍ଲଙ୍ଘନ କରିବା ସମ୍ଭାବନା ଉପୁଜିଛି । ଏହାଛଡ଼ା ବିଭିନ୍ନ ଆଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ଏବେ ପ୍ରବଳ ଜନସମାଗମ ହେଉଥିବା ବେଳେ ହାଟ ବଜାରଠାରୁ ରାସ୍ତାଘାଟ ପର୍ଯ୍ୟନ୍ତ ଲୋକେ ଯେଭଳି ହାଉଯାଉ ହେଉଛନ୍ତି ସେଥିରୁ ରାଜ୍ୟରେ କରୋନ ସତର୍କତା କଟକଣା ଥିବା ଭଳି ଅନୁଭୂବ ହେଉନାହିଁ ।

LEAVE A REPLY

Please enter your comment!
Please enter your name here