Home General କଏଦୀଙ୍କ ଖାଦ୍ୟ ଖର୍ଚ୍ଚ ୨୦୧୫ ପରଠୁ ବଢିନି

କଏଦୀଙ୍କ ଖାଦ୍ୟ ଖର୍ଚ୍ଚ ୨୦୧୫ ପରଠୁ ବଢିନି

ଭୁବନେଶ୍ୱର : ଛଅ ବର୍ଷ ଭିତରେ ଦରଦାମ ଢେର ବଢିଲାଣି । କିନ୍ତୁ ୨୦୧୫ ପରଠାରୁ ଏଯାବତ୍‍ ଓଡିଶାର ବିଭିନ୍ନ ଜେଲ୍‍ରେ ଥିବା ବନ୍ଦୀମାନଙ୍କ ଲାଗି ଖାଇବା ଖର୍ଚ୍ଚ ବଢୁନାହିଁ । ଫଳରେ ମହଙ୍ଗା ଯୁଗରେ ଅଳ୍ପ ପଇସାରେ କଏଦୀମାନଙ୍କୁ ଜେଲରେ ତିନି ବେଳା ଭୋଜନ ଦେବା ମୁସ୍କିଲ ହୋଇପଡୁଛି ।

କଏଦୀଙ୍କ ମୁଣ୍ଡପିଛା ଖାଇବା ଖର୍ଚ୍ଚ ପୂର୍ବରୁ ଦିନକୁ ୬୦ଟଙ୍କା କରି ଥିଲା । ୨୦୧୫ ମସିହାରେ ଏହା ୬୪ଟଙ୍କାକୁ ବଢିଥିଲା । ଏହି ୬ବର୍ଷ ମଧ୍ୟରେ ରନ୍ଧନଗ୍ୟାସର ଦାମ ପାଖାପାଖି ୨ଗୁଣା ବଢିଥିବାବେଳେ ତେଲ, ଡାଲି, ଚିନି, ଲୁଣ, ମସଲା ଠାରୁ ଆରମ୍ଭକରି ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ଢେର ବଢିଛି । ମାଛ, ମାଂସ, ଅଣ୍ଡା ଦର ବି ଏହି ସମୟ ମଧ୍ୟରେ ପାଖପାଖି ଦେଢ ରୁ ଦୁଇଗୁଣା ବୃଦ୍ଧିପାଇଛି ।

ଉଭୟ ଦୋଷୀ ସାବ୍ୟସ୍ତ ଓ ବିଚାରାଧିନ କଏଦୀମାନଙ୍କୁ ଦିନରେ ତିନି ବେଳା ଖାଇବାକୁ ଦେବାର ବ୍ୟବସ୍ଥା ଥିବାବେଳେ ସୂର୍ଯ୍ୟାସ୍ତ ପରେ କିନ୍ତୁ ଖାଇବାକୁ ଦିଆଯାଏ ନାହିଁ । ଗୋଟିଏ ଥର ଜଳଖିଆ ଓ ଦୁଇ ଥର ଭାତ/ରୁଟି ସହ ଡାଲି, ତରକାରୀ ଏବଂ ସପ୍ତାହର ନିର୍ଦ୍ଦିଷ୍ଟ ଦିନରେ ଆମିଷ ଭୋଜନ ପରିବେଷଣ ପାଇଁ ମେନ୍ୟୁ ରହିଛି । ୬୪ ଟଙ୍କାରେ ଏହା ଭରଣା କରିବା ଜେଲ୍‍ କର୍ତ୍ତୃପକ୍ଷଙ୍କ ପାଇଁ ଏକ ପ୍ରକାର ଅସମ୍ଭବପର ହୋଇ ପଡୁଥିବାବେଳେ କଏଦୀମାନଙ୍କ ଭିତରେ ବି ଅସନ୍ତୋଷ କୁହୁଳୁଛି ।

ଇତି ମଧ୍ୟରେ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ କଏଦୀମାନଙ୍କ ଖାଦ୍ୟ ଖର୍ଚ୍ଚ ବୃଦ୍ଧି ପାଇଁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । କେବଳ ସେତିକି ନୁହେଁ ସଞ୍ଜ ପୂର୍ବରୁ ସେମାନଙ୍କୁ ରୁଟି, ଭାତ, ତରକାରୀ ଆଦି ଦେବାପରେ ରାତିରେ ସେମାନଙ୍କ ପାଇଁ ହାଲକା ଖାଦ୍ୟ ବ୍ୟବସ୍ଥା କରିବାକୁ ବି ପ୍ରସ୍ତାବ ରହିଛି । ତେବେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାପରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ ।

ତୈଳଦର ବୃଦ୍ଧି ସହ ତାଳ ଦେଇ ବସ୍‍ ଭଡା ବଢାଇବାପାଇଁ ସ୍ୱୟଂକ୍ରିୟ ବ୍ୟବସ୍ଥା ରହିଛି । ସେହିଭଳି ଦରଦାମ ବୃଦ୍ଧି ଓ ପାଇକାରୀ ମୂଲ୍ୟସୂଚୀକୁ ଆଖିଆଗରେ ରଖି ରାଜ୍ୟର ଜେଲ୍‍ ରେ ଥିବା କଏଦୀମାନଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ସ୍ୱୟଂକ୍ରିୟ ଭାବେ ବଢାଇବା ସପକ୍ଷରେ ମାନବାଧିକାର କର୍ମୀମାନେ ମତବ୍ୟକ୍ତ କରୁଛନ୍ତି ।

ବର୍ତ୍ତମାନର ବଜାରରେ ପନିପରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ରନ୍ଧନସାମଗ୍ରୀର ଦରଦାମ ଯେଉଁଭଳି ସ୍ଥିତିରେ ରହିଛି ସେଥିରେ କଏଦୀମାନଙ୍କୁ ନିର୍ଦ୍ଦେଶ ମୁତାବକ ନିର୍ଦ୍ଦିଷ୍ଟ କ୍ୟାଲୋରୀର ଖାଦ୍ୟ ପରିବେଷଣ ପାଇଁ ମୁଣ୍ଡପିଛା ଦୈନିକ ଅନ୍ୟୁନ ୧୩୦ ଟଙ୍କା ଆବଶ୍ୟକ । ଏଠାରେ ଉଲ୍ଲେଖନୀୟ ଯେ ଜେଲ ମାନୁଆଲ ଅନୁଯାୟୀ ପ୍ରତି କଏଦୀଙ୍କୁ ୨୮୦୦ କ୍ୟାଲେରୀରୁ ଅଧିକ ଖାଦ୍ୟ ଦିଆଯିବା କଥା ।

ଜେଲରେ ବନ୍ଦୀ ଥିବା ଗର୍ଭବତୀ ମହିଳା ଏବଂ ପୁଷ୍ଟିହୀନ ଆଦିଙ୍କ ଲାଗି ଦୈନିକ ଅନ୍ୟୁନ ୩୧୦୦ କ୍ୟାଲୋରୀ ଖାଦ୍ୟ ଦେବାଲାଗି କୁହାଯାଇଛି । ତେବେ ୬୪ଟଙ୍କାରେ ଦିନକୁ କିଭଳି ୨୮୦୦ ରୁ ୩୧୦୦ କିମ୍ବା ତଦୁର୍ଦ୍ଧ କ୍ୟାଲୋରୀର ଖାଦ୍ୟ ତିନି ବେଳାରେ ଦିଆଯିବ ତାହା କାଠିକରପାଠ ହୋଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here