Home News in Odia କଂଗ୍ରେସର କ୍ଷେତ ବଂଚାଅ ଶୋଭାଯାତ୍ରା

କଂଗ୍ରେସର କ୍ଷେତ ବଂଚାଅ ଶୋଭାଯାତ୍ରା

ଦେଶର କୃଷି, କୃଷକ ଓ ଶ୍ରମିକମାନଙ୍କ ସ୍ୱାର୍ଥକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରି କେନ୍ଦ୍ରର ବିଜେପି ସରକାର ୩ ଗୋଟି ବିଧେୟକ ସଂସଦରେ ପାରିତ କରି ଆଇନ୍ରେ ପରିଣତ କରିଛନ୍ତି । ଏହାର ପ୍ରତିବାଦରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟ୍ରାକ୍ଟର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲାକୁମାର ଯୋଗଦେଇ କହିଛନ୍ତି ଯେ କୃଷକ ଓ ଶ୍ରମିକମାନଙ୍କ ଉନ୍ନତି ଓ ସ୍ୱାର୍ଥରକ୍ଷା ପାଇଁ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଛି । ସେହିପରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ କହିଲେ ଯେ ଯଦି ସରକାରଙ୍କର ଚାଷୀଙ୍କ ପ୍ରତି ତିଳେମାତ୍ର ଆନ୍ତରିକତା ଅଛି ତେବେ ଛତିଶଗଡ ସରକାର ଯେପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୦୦ ଟଙ୍କା କରିଛନ୍ତି ସେହିପରି ଓଡିଶାରେ କରିବେକି ବୋଲି ପ୍ରଶ୍ନ କରିବା ସହିତ ୨୫୦୦ ଟଙ୍କା ତଳକୁ ଯିଏ କିଣିବ ବା ବିକ୍ରୀ କରିବ, ତା ପ୍ରତି ଜେଲ୍ ଦଣ୍ଡାଦେଶ ସହିତ ଅର୍ଥ ଦଣ୍ଡାଦେଶର ନିୟମ କଲେ ପ୍ରକୃତରେ ରାଜ୍ୟ ସରକାରଙ୍କର •ଷୀମାନଙ୍କ ପ୍ରତି ଦରଦ ଅଛି ବୋଲି ଜଣାପଡ଼ିବ ।

ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ ବାହାରି କଟକ ପ୍ରତାପନଗରୀ ଦେଇ କଟକ ଅଭିମୁଖେ ଯାତ୍ରା କରିଥିଲା । ଏହି ଶୋଭାଯାତ୍ରା କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଂଚିବା ପରେ ନୂତନ କାର୍ଯ୍ୟାଳୟକୁ ଡ. ଚେଲାକୁମାର ଓ ପିସିସି ସଭାପତି ଉଦ୍ଘାଟନ କରିଥିବା ବେଳେ ନବନିଯୁକ୍ତ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମାନସ ଚୌଧୁରୀ ସମସ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲାକା, କଂଗ୍ରେସ ନେତା ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ଗଣେଶ୍ୱର ବେହେରା, ପ୍ରମୁଖ ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । 

LEAVE A REPLY

Please enter your comment!
Please enter your name here