Home News in Odia କଂଗ୍ରେସର ଅମାନତ ରହୁନି

କଂଗ୍ରେସର ଅମାନତ ରହୁନି

ଭୁବନେଶ୍ୱର : ଦୁଇ ବର୍ଷରେ ଅନୁଷ୍ଠିତ ତିନିଟି ଯାକ ଉପନିର୍ବାଚନରେ ଶାସକ ବିଜେଡି ବାଜିମାତ କରିଥିବାବେଳେ ଦୁଇଟି ଉପନିର୍ବାଚନରେ କଂଗ୍ରେସ ଅମାନତ ହରାଇଛି । ତେବେ ତିର୍ତ୍ତୋଲ ଆସନରେ ହୋଇଥିବା ଉପନିର୍ବାଚନରେ ଶାସକଦଳର ବିଜୟ ବ୍ୟବଧାନ ସର୍ବାଧିକ ରହିଥିବା ଜଣାଯାଇଛି ।

ଗତବର୍ଷ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବାବେଳେ ଚଳିତବର୍ଷ ପିପିଲି ଆସନରେ ଉପନିର୍ବାଚନ ହୋଇଛି । ଏହି ତିନିଟିଯାକ ଆସନରେ ବିଧାୟକମାନଙ୍କ ଅକାଳ ମୃତ୍ୟୁପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତିନିଟି ଯାକ ଆସନରେ ମୃତ ବିଧାୟକମାନଙ୍କ ପୁତ୍ରମାନେ ପ୍ରାର୍ଥୀ ହୋଇଥିବାବେଳେ ଦୁଇଜଣ ବିଧାନସଭାକୁ ଯିବାରେ ସଫଳ ହୋଇଛନ୍ତି ।

ଗତବର୍ଷ ବାଲେଶ୍ୱର ବିଧାୟକ ଥିବା ମଦନ ମୋହନ ଦତ୍ତଙ୍କ ଅକାଳ ବିୟୋଗ ପରେ ସେଠାରେ ଉପନିର୍ବାଚନ ହୋଇଥିଲା । ବିଜେପି ସେଠାରୁ ମଦନ ମୋହନଙ୍କ ପୁଅ ମାନସଙ୍କୁ ମଇଦାନକୁ ଓହ୍ଲାଇ ଥିବାବେଳେ ବିଜେପି ନୂଆ ପ୍ରାର୍ଥୀଭାବେ ସ୍ୱରୂପଙ୍କୁ ବାଛିଥିଲା । କଂଗ୍ରେସ ବି ମମତା କୁଣ୍ଡୁଙ୍କୁ ନୂଆ ପ୍ରାର୍ଥୀ କରିଥିଲା । ତେବେ ଏହି ନିର୍ବାଚନରେ ବିଜେଡି ୮୪,୦୯୭ ଖଣ୍ଡ ଭୋଟ ପାଇ ଜିଣିଥିବାବେଳେ ବିଜେପି ୭୦,୭୪୬ ଖଣ୍ଡ ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ଥିଲା । କଂଗ୍ରେସ ମାତ୍ର ୪୯୮୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହି ଅମାନତ ହରାଇଥିଲା ।

ସେହିଭଳି ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଅକାଳ ବିୟୋଗ ଯୋଗୁଁ ବାଲେଶ୍ୱର ସହିତ ସେଠାରେ ମଧ୍ୟ ଉପନିର୍ବାଚନ ହୋଇଥିଲା । ଏଠାରେ ବିଜେଡି ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କରଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲା । ବିଜେପି ରାଜକିଶୋର ବେହେରାଙ୍କୁ ଓ କଂଗ୍ରେସ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା । ରାଜକିଶୋର କଂଗ୍ରେସରୁ ଆସି ସଂଗେ ସଂଗେ ବିଜେପି ଟିକସଟ ନେଇଯାଇଥିଲେ ।

ଏହି ଉପର୍ନିବାଚନରେ ବିଜେଡିକୁ ୮୮,୩୧୦ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୪୬,୬୦୭ ଓ କଂଗ୍ରେସକୁ ୨୮,୭୭୮ ଖଣ୍ଡ ଭୋଟ ମିଳିଥିଲା । ଏଠାରେ ବିଜେଡିର ବିଜୟ ବ୍ୟବଧାନ ୪୦ହଜାରରୁ ଅଧିକ ରହିଥିବାବେଳେ କଂଗ୍ରେସ ବି ଭଲ ଫଳାଫଳ କରିଥିଲା ।

ସେହିଭଳି ପିପିଲି ଆସନରେ ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ଏଠାରେ ବିଜେଡି ୯୬,୯୭୨ ଖଣ୍ଡ ରେକର୍ଡ ସଂଖ୍ୟକ ଭୋଟ ପାଇ ବିଜୟ ହୋଇଥିବାବେଳେ ବିଜେପି ୭୬,୦୫୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଏଠାରେ କଂଗ୍ରେସ ପ୍ରାର୍ଥୀ ୪୨୬୧ ଖଣ୍ଡ ଭୋଟ ପାଇ ନିଜର ଅମାନତ ରଖିପାରି ନାହାନ୍ତି । ଏଠାରେ ବି ଶାସକଦଳ ସ୍ୱର୍ଗତ ବିଧାୟକଙ୍କ ପୁତ୍ର ରୁଦ୍ର ପ୍ରସାଦ ମହାରଥୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ତାହାର ଗତଥରର ପରାଜିତ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ମଇଦାନକୁ ଓହ୍ଲାଇଥିଲା । ତେବେ କଂଗ୍ରେସରୁ ପ୍ରଥମେ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗପରେ ଦଳ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା ।

ତେବେ ତିନିଟି ଯାକ ବିଧାନସଭା ଉପନିର୍ବାଚନରେ ଦୁଇ ବିଧାୟକଙ୍କ ପୁତ୍ର ବିଜୟୀ ହୋଇଥିବାବେଳେ ଦୁଇ କଂଗ୍ରେସ ପ୍ରାର୍ଥୀ ନିଜର ଅମାନତ ହରାଇଛନ୍ତି । (ତଥ୍ୟ)