Home Health ଔଷଧ କେନ୍ଦ୍ର ଖୋଲିବାକୁ ଆୟର୍ଲ୍ୟାଣ୍ଡ ଡାକ୍ତର ଆଗ୍ରହୀ

ଔଷଧ କେନ୍ଦ୍ର ଖୋଲିବାକୁ ଆୟର୍ଲ୍ୟାଣ୍ଡ ଡାକ୍ତର ଆଗ୍ରହୀ

ଭୁବନେଶ୍ୱର : କର୍କଟ ବ୍ୟତୀତ ଅନେକ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ ନିମନ୍ତେ ଓଡ଼ିଶାରେ ଏକ ରିଜେନେରେଟିଭ୍ ମେଡିସିନ୍ ସେଣ୍ଟର ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଆୟର୍ଲ୍ୟାଣ୍ଡରେ ଅବସ୍ଥାପିତ ବିଶିଷ୍ଟ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ ପ୍ରଫେସର ଦିଲ୍ଲୀପ ମହାପାତ୍ର ।

ଆୟର୍ଲ୍ୟାଣ୍ଡର ଡୁଣ୍ଡାଲ୍‌କ ସ୍ଥିତ ଲୁଗ୍ ମେଡିକାଲ୍ ସେଂଟରର ନିର୍ଦ୍ଦେଶକ ତଥା ଲଣ୍ଡନ୍ ସ୍ଥିତ ବଲ୍ସବ୍ରିଜ୍ ବିଶ୍ୱବିଦ୍ୟାଳୟ କଲେଜର କୁଳପତି ପ୍ରଫେସର ମହାପାତ୍ର ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଭେଟିବା ସହ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସୋଆ ସହଭାଗିତାରେ ଏକ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ସ୍ଥାପନ ନେଇ ଆଲୋଚନା କରିଛନ୍ତି ।

“ଆମେ ପ୍ରାଥମିକ ସ୍ତରରେ ଏହି ପ୍ରୋଜେକ୍ଟ ସମ୍ପର୍କରେ ଆଲୋଚନା କରିଛୁ । ସୋଆରେ ରିଜେନେରେଟିଭ୍ ମେଡିସିନ୍‌ର ଏକ ଛୋଟ ୟୁନିଟ୍ ରହିଛି ଏବଂ ଏହାର ସଂପ୍ରସାରଣ ନିମନ୍ତେ ଅନେକ ସୁଯୋଗ ରହିଛି ବୋଲି କହିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଫେସର ମହାପାତ୍ର । ସେ ପଲମୋନାରୀ ମେଡିସିନ୍‌ର ମଧ୍ୟ ଜଣେ ବିଶେଷଜ୍ଞ ଅଟନ୍ତି ।

ରିଜେନେରେଟିଭ୍ ମେଡିସିନ୍ ହେଉଛ ମେଡିସିନ୍‌ର ଏକ ଶାଖା ଯେଉଁଥିରେ କି ନଷ୍ଟ ହୋଇଯାଇଥିବା ସେଲ୍‌, ଟିସ୍ୟୁ ଏବଂ ଅଂଗ ଗୁଡ଼ିକର ବିଭିନ୍ନ ପ୍ରକ୍ରିୟାରେ ପୁର୍ନବିକାଶ, ମରାମତି କିମ୍ବା ପରିବର୍ତନ କରାଯାଇଥାଏ । ଏଥି ସହିତ ଥେରାପ୍ୟୁଟିକ୍ ଷ୍ଟେମ୍ ସେଲ୍ ବ୍ୟବହାର, ଟିସ୍ୟୁ ଇଞ୍ଜିନିୟରିଂ ଏବଂ କୃତ୍ରିମ ଅଂଗ ପ୍ରସ୍ତୁତ କରିବା କାର୍ଯ୍ୟ କରାଯାଏ ।

ପ୍ରଫେସର ମହାପାତ୍ର ଆୟର୍ଲ୍ୟାଣ୍ଡରେ ଏକ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ପରିଚାଳନା କରୁଛନ୍ତି । ସେ କହିଛନ୍ତି ଯେ ଷ୍ଟେମ୍ ସେଲ୍ ଗୁଡ଼ିକ କେବଳ କ୍ୟାନ୍ସର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ନାହିଁ ବରଂ ମସ୍ତିଷ୍କରେ ଆଘାତ, ରେଟିନାରେ ସମସ୍ୟା, ପୋଡି ଯାଇଥିବା ଚର୍ମର ନବୀକରଣ ଏବଂ ଆଣ୍ଠୁ ସମସ୍ୟାର ଚିକିତ୍ସାରେ ମଧ୍ୟ ଉପଯୋଗୀ ହୋଇଥାଏ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭଳି ପ୍ରତିଷ୍ଠିତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ସହିତ ସହଭାଗିତାରେ କାର୍ଯ୍ୟ କରିବା ଏକ ଆନନ୍ଦର ବିଷୟ ଏବଂ ସୋଆ କର୍ତୃପକ୍ଷ ମଧ୍ୟ ଏ ଦିଗରେ ଖୁବ୍ ଆଗ୍ରହୀ ଥିବା ସେ କହିଛନ୍ତି । ଜଣେ ଓଡ଼ିଆ ଭାବେ ସେ ରାଜ୍ୟର ଲୋକମାନଙ୍କ ପାଇଁ କିଛି କରିବାକୁ ଇଚ୍ଛୁକ ବୋଲି କହିଛନ୍ତି ।

ପ୍ରଫେସର ନାୟକଙ୍କ ସହ ଆଲୋଚନା ସମୟରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ପ୍ରୋଭାଇସ୍ ଚ୍ୟାନ୍ସଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ପ୍ରୋଭାଇସ୍ ଚ୍ୟାନ୍ସଲର ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଉପସ୍ଥିତ ଥିଲେ ।