Home Energy ଓ.ଇ.ଆର.ସି ଅଧ୍ୟକ୍ଷ ନିଯୁକ୍ତି କେବେ ?

ଓ.ଇ.ଆର.ସି ଅଧ୍ୟକ୍ଷ ନିଯୁକ୍ତି କେବେ ?

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଖରା ସହିତ ଘନ ଘନ ବିଜୁଳିକାଟରେ ରାଜ୍ୟବାସୀ ଅତିଷ୍ଠ । ରାଜ୍ୟରେ ବିଜୁଳିର ଲୁଚକାଳି ଖେଳ ଚାଲିଥିବା ସମୟରେ ଦୁଃଖଦାୟକ ହେଉଛି ଦୀର୍ଘ ୩ମାସ ହେଲା ବିଜୁଳି ବିଭାଗର ସର୍ବୋଚ୍ଚ ସଂସ୍ଥା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (ଓ.ଇ.ଆର.ସି.)ର ଅଧ୍ୟକ୍ଷ ପଦବୀ ଖାଲି ପଡ଼ିବା ।

ରାଜ୍ୟର ୯୨ଲକ୍ଷ ବିଜୁଳି ଗ୍ରାହକ ନିଜ ସମସ୍ୟାର ସମାଧାନ ପାଇଁ ଯିବେ କାହା ପାଖକୁ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ପ୍ରଶ୍ନ କରିଛନ୍ତି । ତୁରନ୍ତ ଓ.ଇ.ଆର.ସି.ର ଅଧ୍ୟକ୍ଷ ପଦବୀ ପୂରଣ କରିବା ପାଇଁ ଶ୍ରୀ ବେହେରା ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି ।

ଏହା ସହିତ ମାଟ୍ରିକ୍ ପରୀକ୍ଷା ଓ ଯୁକ୍ତ୨ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ହେତୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜୁଳି କାଟ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ତୁରନ୍ତ ଟାଟା ପାୱାରକୁ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଛନ୍ତି । ବିଦ୍ୟୁତ୍ ଗ୍ରାହକମାନଙ୍କର ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ତୁରନ୍ତ ଏକ ଉତ୍ସର୍ଗୀକୃତ ଟେଲିଫୋନ୍ ନମ୍ବର ନିଃଶୁଳ୍କ ଭାବରେ ଜାରି କରିବାକୁ ଶ୍ରୀ ବେହେରା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ବିଦ୍ୟୁତ୍ କମିଟି ପ୍ରତି ସପ୍ତାହକୁ ଥରେ ଲେଖାଏଁ ବସି ବିଜୁଳି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ରାଜ୍ୟ ଶକ୍ତି ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ତା ନହେଲେ ବିଜୁଳି ବିଭ୍ରାଟକୁ ନେଇ ଜନସାଧାରଣଙ୍କ ଭିତରେ ଯେଉଁ ନିଆଁ କୁହୁଳିଛି, ତାହା କେତେବେଳେ ତ ବିସ୍ଫୋରଣ ପରିସ୍ଥିତି ସୃଷ୍ଟି ନ କରିବ ତାହା କହିହେବ ନାହିଁ ।

ଏଣୁ ବେଳହୁଁ ସାବଧାନ ନୀତିରେ ରାଜ୍ୟ ସରକାର ଅଘୋଷିତ ବିଜୁଳିକାଟକୁ ବନ୍ଦ କରିବା ସଙ୍ଗେସଙ୍ଗେ ୩୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେବାପାଇଁ ଏବଂ ତୁରନ୍ତ ଓ.ଇ.ଆର.ସି.ର ଅଧ୍ୟକ୍ଷ ପଦ ପୁରଣ କରିବାକୁ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।