Home News in Odia ଓଡ଼ିଶା ପାଇଁ ନିର୍ବାଚନର ବର୍ଷ

ଓଡ଼ିଶା ପାଇଁ ନିର୍ବାଚନର ବର୍ଷ

ଭୁବନେଶ୍ୱର : ଆଗାମୀ ନୂଆବର୍ଷର ପ୍ରଥମାର୍ଦ୍ଧରେ ପିପିଲି ବିଧନସଭା ଉପନିର୍ବାଚନ ସହିତ ପୌର ଓ ସମବାୟ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ବିଭିନ୍ନ ପ୍ରସଙ୍ଗ ଓ ଅପ୍ରସଙ୍ଗକୁ ଉଠାଇ ଶୀତଦିନେ ବି ବାତବରଣ ସରଗରମ୍‍ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ଏହା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁପରେ ଖାଲିପଡ଼ିଥିବା ପିପିଲି ବିଧାନସଭା ଆସନରୁ ପ୍ରାର୍ଥୀ ହେବା ଲାଗି ବିଜେଡି, ବିଜେପି ଓ କଂଗ୍ରେସର ଅନେକ ଆଶାୟୀ ଅଛନ୍ତି । ତେବେ ଏହି ଆସନ ଲାଗି ସ୍ୱର୍ଗତ ମହାରଥୀଙ୍କ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରିବ ଏକପ୍ରକାର ନିଶ୍ଚିତ ବୋଲି ରାଜଧାନୀରୁ ପିପିଲି ପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଥିବା ବେଳେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ । ସ୍ୱର୍ଗତ ମହାରଥୀଙ୍କ ପରିବାର ବ୍ୟତୀତ ଆଉ କେତେକଙ୍କ ନାମ ଚର୍ଚ୍ଚା ହେଉଥିଲେ ବି ସେଥିରେ ଦମ୍‍ ନ ଥିବା କୁହାଯାଉଛି ।

ବିଜେପି ଓ କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ବି ଅନେକ ଆଶାୟୀ ଅଛନ୍ତି । ଏହି ଆଶାୟୀମାନେ ଏବେ ନିର୍ବାଚନମଣ୍ଡଳୀରେ ବୁଲି ସମର୍ଥକ ଯୋଗାଡ଼ କରିବା ସଙ୍ଗେ ସଙ୍ଗେ ରାଜଧାନୀରେ ବି ପଇଁତରା ମାରୁଛନ୍ତି । ରାଜ୍ୟର ପୌରସଂସ୍ଥାଗୁଡ଼ିକର ନିର୍ବାଚନ ପ୍ରାୟ ଦୁଇବର୍ଷ ଧରି ହୋଇନାହିଁ । ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ କଟକରୁ ଦିଲ୍ଲୀ ପର୍ଯ୍ୟନ୍ତ ମାମଲା ଚାଲିବାରୁ ନିର୍ବାଚନ ସ୍ଥଗିତ ରହିଛି ।

ଇତିମଧ୍ୟରେ ଏହି ମାମଲା ଫିଇସଲା ସରିଥିବାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟର ତାଲିକା ସଂଶୋଧନ ସମେତ ଅନ୍ୟ ପ୍ରାକ୍‍ ପ୍ରସ୍ତୁତି ଚାଲିଥିବା ବେଳେ ସଂରକ୍ଷଣ ପ୍ରସଙ୍ଗରେ ବି ନଗର ଉନ୍ନୟନ ବିଭାଗ କସରତ ଆରମ୍ଭ କରିଛି । ଜାନୁଆରୀ କିମ୍ବା ଫେବୃଆରୀରେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏହି ସମୟରେ ବି ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇପାରେ । ତେବେ ଉପନିର୍ବାଚନ ଆଗୁଆ ହେଲେ ପରେ ପୌର ନିର୍ବାଚନ ହେବ ବୋଲି ସୂଚନା ମିଳୁଛି ।

ସେହିପରି ଦୀର୍ଘଦିନ ଧରି ସମବାୟ ସମିତିଗୁଡ଼ିକରେ ନିର୍ବାଚିତ ପ୍ରତିନିଧି ନାହାନ୍ତି । ତେଣୁ ଅନେକ ଶୀର୍ଷ ସମବାୟ ସଂସ୍ଥାର ଦାୟିତ୍ୱ ପ୍ରଶାସକମାନଙ୍କ ହାତରେ ରହିଛି । ଏ ପରିପ୍ରେକ୍ଷୀରେ ଆସନ୍ତା ଜୁନ୍‍ ମାସ ପୂର୍ବରୁ ସମବାୟ ନିର୍ବାଚନ ମଧ୍ୟ ହୋଇପାରେ । ଏହା ପରେ ପରେ ୨୦୨୨ରେ ପଞ୍ଚାୟତ ନିର୍ବାଚନ ହେବାର ବି ସମ୍ଭାବନା ରହିଛି । ତେଣୁ ୨୦୨୧ ବର୍ଷଟି ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପାଇଁ ଏକପ୍ରକାର ନିର୍ବାଚନ ବର୍ଷ ହେବାକୁ ଯାଉଛି ।

୨୦୨୪ର ସାଧାରଣ ନିର୍ବାଚନ ପୂର୍ବରୁ ପୌର, ପଞ୍ଚାୟତ ଓ ସମବାୟ ନିର୍ବାଚନ କ୍ୱାର୍ଟର ଫାଇନାଲ ଓ ସେମି ଫାଇନାଲ ଭଳି ହେବ । ଏହାକୁ ଆଖି ଆଗରେ ରଖି ବିଜୁ ଜନତା ଦଳ ପୂର୍ଣ୍ଣ ପ୍ରସ୍ତୁତି ପଥରେ ଥିବା ବେଳେ କୌଣସି ସ୍ଥାନରେ ବି ଖଇଚା ଛାଡ଼ିବାକୁ ଚାହୁଁନାହିଁ । ୨୦୧୯ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବା ଦୃଷ୍ଟିରୁ ପୌର, ପଞ୍ଚାୟତ ଓ ସମବାୟ ନିର୍ବାଚନରେ ନିଜର ସ୍ଥିତି ଜାହିର କରିବା ଲାଗି ମଧ୍ୟ ସାଙ୍ଗଠନିକ ସ୍ତରରେ ଉଦ୍ୟମ ଚଳାଇଛି । କଂଗ୍ରେସ ଦଳ ବି ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ ।