Home News in Odia ଓଡ଼ିଶାରେ ୫୫ ପ୍ରତିଶତ ଜଳସ୍ତର ଉପରକୁ ଉଠିଛି

ଓଡ଼ିଶାରେ ୫୫ ପ୍ରତିଶତ ଜଳସ୍ତର ଉପରକୁ ଉଠିଛି

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଉଥିବା ଘେନି ବିଭିନ୍ନ ମହଲରୁ ଅଭିଯୋଗ ଆସୁଥିବା ବେଳେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟ କିନ୍ତୁ କିଛି ପରିମାଣର ଆଶ୍ୱାସନା ଦେଇଛି । କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ରାଜ୍ୟର ଯେତେ କୂଅ ଉପରେ ତଥ୍ୟ ସଂଗ୍ରହ କରିଛି ସେଥିରୁ ଅନ୍ୟୂନ ୫୫ ପ୍ରତିଶତରେ ଭୂତଳ ଜଳସ୍ତର ଉପରକୁ ଉଠିଥିବା ବେଳେ ୪୫ ପ୍ରତିଶତରେ ଏହା ନିମ୍ନଗାମୀ ଥିବା ଜଣାପଡିଛି ।

ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ସମଗ୍ର ଦେଶର ବିଭିନ୍ନ ଅଞ୍ଚଳରେ ଲଗାତର ଭାବେ ଭୂତଳ ଜଳ ସ୍ଥିତି ପରଖି ଥାଆନ୍ତି । ୨୦୨୦ ନଭେମ୍ବର ମାସରେ ଓଡ଼ିଶାର ଭୂତଳ ଜଳସ୍ତର ସ୍ଥିତି ଯାହା ଥିଲା ତାହା ତୁଳନାରେ ୨୦୨୧ ନଭେମ୍ବର ମାସ ଅନୁଧ୍ୟାନରୁ ମିଳିଥିବା ତଥ୍ୟ ମୁତାବକ ଭୂତଳ ଜଳସ୍ତରରେ ଉନ୍ନତି ପରିଲକ୍ଷିତ ହେଉଛି ।

ନିକଟରେ ରାଜ୍ୟସଭାରେ ଜଳଶକ୍ତି ବିଭାଗ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦେଇଥିବା ତଥ୍ୟ ମୁତାବକ ଓଡ଼ିଶାର ୧୨୪୫ଟି କୂଅର ତୁଳନାତ୍ମକ ସ୍ଥିତି ଉପରେ ଅନୁଧ୍ୟାନ କରାଯାଇଥିଲା । ଏଥିରୁ ୬୮୪ଟିରେ ଭୂତଳ ଜଳସ୍ତର ଉପରକୁ ଉଠିଥିବା ବେଳେ ୫୬୦ଟି ତଳକୁ ଖସିଛି ଏବଂ ଗୋଟିଏ କୂଅରେ ଜଳସ୍ତର ସମାନ ଅଛି ।

୬୫୦ଟି କୂପରେ ଜଳସ୍ତର ୨ ମିଟର ପର୍ଯ୍ୟନ୍ତ ବଢ଼ିଥିବା ବେଳେ ୩୨ଟିରେ ୨ରୁ ୪ ମିଟର ଓ ୨ଟିରେ ୪ ମିଟରରୁ ଅଧିକ ଉପରକୁ ଉଠିଛି । ସେହିଭଳି ୫୧୭ଟି କୂପରେ ଜଳସ୍ତର ୨ ମିଟର ପର୍ଯ୍ୟନ୍ତ ନିମ୍ନଗାମୀ ହୋଇଥିବା ବେଳେ ୩୫ଟିରେ ୨ରୁ ୪ ମିଟର ଓ ୮ଟିରେ ୪ ମିଟରରୁ ତଳକୁ ଖସିଛି ।

କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ମୁତାବକ ଜଳସ୍ତର ହ୍ରାସ ଘେନି ଭୂତଳ ଜଳ ବୋର୍ଡ ନିର୍ଦ୍ଦିଷ୍ଟ ଭାବେ କିଛି ତଥ୍ୟ ଦେଇନଥିଲେ ମଧ୍ୟ ଭୂଗର୍ଭରୁ ଅଧିକ ପରିମାଣର ପାଣି ଉତ୍ତୋଳନ କରାଯିବା, ବୃଷ୍ଟିପାତରେ ଅନିୟମିତତା, ଜନସଂଖ୍ୟା ବୃଦ୍ଧି ଏବଂ ଶିଳ୍ପାୟନ ଓ ସହରୀକରଣ ଭୂତଳ ଜଳସ୍ତର ହ୍ରାସର ଅନ୍ୟତମ କାରଣ ହେଉଛି ।

ପାଣି ବ୍ୟାପାର ଅନୁଧ୍ୟାନ କରିବା ରାଜ୍ୟ ସରକାରଙ୍କ ବ୍ୟାପାର ହୋଇଥିଲେ ମଧ୍ୟ ଭୂତଳ ଜଳସ୍ତରର ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସହଯୋଗ ଦେଉଛି ଏବଂ ଏହା ଫଳରେ ବ୍ୟାପକ ସଂଖ୍ୟକ ବର୍ଷା ଜଳ ଅମଳ ପ୍ରକଳ୍ପ ତିଆରି ହେଉଛି ।

ଭୂତଳ ଜଳସ୍ତରରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ୨୦୧୯ରେ ଜଳଶକ୍ତି ଅଭିଯାନ ଯୋଜନା ଚଳାଇଛନ୍ତି ଏବଂ ଏଥିରେ ଜଳକ୍ଲଷ୍ଟ ଅଞ୍ଚଳ ଭାବେ ଚିହ୍ନିତ ହୋଇଥିବା ୨୫୬ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାମ ଚାଲିଛି । ବର୍ଷା ଜଳକୁ ଧରି ରଖିବା ପାଇଁ ଗାଁରୁ ସହର ପର୍ଯ୍ୟନ୍ତ ଚାରିଆଡେ ସଚେତନତା ସୃଷ୍ଟି ସଂଗେ ସଂଗେ ସଂରକ୍ଷଣ ଅଭିଯାନ ମଧ୍ୟ ଚାଲୁଛି । ଜଳ ସଂପଦ ବିଭାଗ ବି ଅଟଳ ଭୂଜଳ ଯୋଜନା ପାଇଁ ୬ ହଜାର କୋଟି ଟଙ୍କା ବ୍ୟୟ କରୁଛି ।

ଇତିମଧ୍ୟରେ ରାଜ୍ୟ ସରକାରମାନଙ୍କ ସହ ବିଚାର ବିମର୍ଶ କରି କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଭୂତଳ ଜଳ ସଂରକ୍ଷଣ ପାଇଁ ମାଷ୍ଟର ପ୍ଲାନ୍‍ ତିଆରି କରିଛି, ଯେଉଁଥିରେ ୧୪୨ ଲକ୍ଷ ଜଳ ଅମଳ ପ୍ରକଳ୍ପ ମାଧ୍ୟମରେ ୧୮୫ ବିଲିୟନ କ୍ୟୁବିକ୍‍ ଲିଟର ଜଳ ସଂରକ୍ଷିତ ହୋଇପାରୁଛି । ଏହାଛଡା କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଓ ସହର ବ୍ୟାପାର ବିଭାଗ ମାଧ୍ୟମରେ ବି ବିଭିନ୍ନ ରାଜ୍ୟରେ ଭୂତଳ ଜଳ ସଂରକ୍ଷଣ ଅଭିଯାନ ଚାଲିଛି ।