Home Judiciary ଓଡ଼ିଶାରେ ବଢ଼ୁଛି ମାମଲା ସଂଖ୍ୟା

ଓଡ଼ିଶାରେ ବଢ଼ୁଛି ମାମଲା ସଂଖ୍ୟା

ଭୁବନେଶ୍ୱର : ଆଇନ୍‌ ଅଦାଲତରେ ମାମଲାର ତ୍ୱରିତ ଫଇସଲା ଲାଗି ରାଜ୍ୟ ସରକାର ୧୦ ବର୍ଷ ତଳେ ପ୍ରଣୟନ କରିଥିବା ରାଜ୍ୟ ମାମଲା ନୀତିରୁ ବିଶେଷ ସୁଫଳ ମିଳୁନାହିଁ । ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢ଼ି ଚାଲିଛି ।

ନ୍ୟାସନାଲ ଜୁଡ଼ିସିଆଲ ଡାଟା ଗ୍ରୀଡ୍‌ର ତଥ୍ୟ ମୁତାବକ ଆଜିସୁଦ୍ଧା ଓଡ଼ିଶାର ବିଭିନ୍ନ ଆଇନ୍‌ ଅଦାଲତରେ ୧୩,୯୭,୪୮୪ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ସେଥିମଧ୍ୟରୁ ଅପରାଧିକ ମାମଲା ସଂଖ୍ୟା  ୧୧,୧୧,୪୨୫ ଥିବା ବେଳେ ଦେୱାନି ମାମଲା ସଂଖ୍ୟା ରହିଛି ୨,୮୬,୦୫୯ । ଏହି ମାମଲାଗୁଡ଼ିକ ମଧ୍ୟରୁ ୮,୫୩,୬୯୯ ହେଉଛି ୫ ବର୍ଷ ପର୍ଯ୍ୟନ୍ତ ଗଡ଼ୁଥିବା ମାଲି ମୋକଦ୍ଦମା । ଉଦ୍‌ବେଗର କଥା ହେଉଛି ଯେ ୫ରୁ ୩୦ ବର୍ଷ ଓ ତଦୁଦ୍ଧ୍ୱର୍ ସମୟ ଧରି ଓଡ଼ିଶାର ବିଭିନ୍ନ ଆଇନ୍‌ ଅଦାଲତରେ ୫,୪୩,୭୮୫ ମାମଲା ଗଡ଼ିଚାଲିଛି । ଏହି ପୁରୁଣା ମାମଲାଗୁଡ଼ିକ ଭିତରୁ ୪,୩୭,୯୭୬ଟି ହେଉଛି ଅପରାଧିକ ମାମଲା । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ରାଜ୍ୟର ଆଇନ୍‌ ଅଦାଲତଗୁଡ଼ିକରେ ଆଜିସୁଦ୍ଧା ଯେତେ ମାମଲା ରହିଛି ସେଥିରୁ ୭୯.୫୩ ପ୍ରତିଶତ ହେଉଛି ଅପରାଧିକ ମାମଲା । 

କେନ୍ଦ୍ର ସରକାର ଜାତୀୟ ମାମଲା ନୀତି ପ୍ରଣୟନ କରିଥିବା ବେଳେ ତ୍ରୟୋଦଶ ଅର୍ଥ କମିଶନ ମଧ୍ୟ ସମସ୍ତ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ମାମଲା ନୀତି ପ୍ରଣୟନ କରିବାକୁ କହିଥିଲେ । ବିଶେଷକରି ସଂଖ୍ୟାଧିକ ମାମଲାରେ ରାଜ୍ୟ ସରକାର ପକ୍ଷ ରହୁଥିବାରୁ ସରକାର ଚାହିଁଲେ ବିକଳ୍ପ ବ୍ୟବସ୍ଥା କରି ଆଇନ୍‌ ଅଦାଲତ ବାହାରେ ବହୁ ସମସ୍ୟାର ସମାଧାନ କରିପାରିବେ । ଏହାକୁ ଆଖି ଆଗରେ ରଖି ଓଡ଼ିଶା ରାଜ୍ୟ ମାମଲା ନୀତି ୨୦୧୧ ମଇ ୩୦ ତାରିଖରେ ବିଧିବଦ୍ଧ ଭାବେ ଗେଜେଟ୍‌ ବିଜ୍ଞପ୍ତି ଜରିଆରେ ଘୋଷଣା କରାଯାଇଥିଲା । 

ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ରାଜ୍ୟ ମାମଲା ନୀତି ପ୍ରଣୟନ ବେଳକୁ ୫ ବର୍ଷରୁ ପୁରୁଣା ମାମଲା ସଂଖ୍ୟା ପ୍ରାୟ ସାଢ଼େ ୩ ଲକ୍ଷରେ ସୀମିତ ଥିବା ବେଳେ ଏହି ସଂଖ୍ୟା କମିବା ପରିବର୍ତ୍ତେ ଏବେ ପାଖାପାଖି ସାଢ଼େ ୫ ଲକ୍ଷ ହେଲାଣି । ଗୋଟିଏ ପଟେ ଦୁର୍ବଳ ମାମଲା ପରିଚାଳନା ଯୋଗୁ ୮୦ ପ୍ରତିଶତରୁ ଅଧିକ ଅପରାଧିକ ମାମଲାରେ ସରକାର ହାରୁଛନ୍ତି ଏବଂ ଅଭିଯୁକ୍ତମାନେ ଦୋଷମୁକ୍ତ ହେଉଛନ୍ତି । ରାଜ୍ୟରେ ବିଭିନ୍ନ ପ୍ରକାରର ଅପରାଧ ବୃଦ୍ଧି ପାଇବାର ଏହା ଅନ୍ୟତମ କାରଣ । 

ହାଲୁକା, ଦୁର୍ବଳ ଓ ମିଛ ମାମଲାଗୁଡ଼ିକର ଚାପା ଆଇନ୍‌ ଅଦାଲତଗୁଡ଼ିକ ଉପରେ ବଢ଼ି ଚାଲିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ତ୍ୱରିତ ଫଇସଲା ହୋଇପାରୁନାହିଁ । ଗୋଟିଏ ପଟେ ନିମ୍ନ ଅଦାଲତରୁ ହାଇକୋର୍ଟ ପର୍ଯ୍ୟନ୍ତ ବ୍ୟାପକ ସଂଖ୍ୟାରେ ବିଚାରପତି ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ୁଥିବା ବେଳେ ଅନ୍ୟପଟେ ଥାନା ଫାଣ୍ଡିଗୁଡ଼ିକ ଏକପ୍ରକାର ମାମଲା ତିଆରି କାରଖାନାରେ ପରିଣତ ହୋଇଛନ୍ତି ବୋଲି ଆଇନ୍‌ ବିଶେଷଜ୍ଞମାନେ ମତ ଦେଉଛନ୍ତି । ରାଜ୍ୟରେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୫ ଲକ୍ଷ ଥିବା ବେଳେ ଚାକିରି ଓ ପେନ୍‌ସନ୍‌ ସଂକ୍ରାନ୍ତୀୟ ମାମଲା ସଂଖ୍ୟା ପାଖାପାଖି ୮୦ ହଜାର ରହିଛି । ରାଜ୍ୟ ସରକାର ଚାହିଁଲେ ବିକଳ୍ପ ବ୍ୟବସ୍ଥା କରି ଆବେଦନକାରୀମାନଙ୍କ ସମସ୍ୟାର ତ୍ୱରିତ ଫଇସଲା କରିପାରନ୍ତେ ଓ ଏହା ମାମଲା ସଂଖ୍ୟା ହ୍ରାସରେ ସହାୟକ ହୁଅନ୍ତା ବୋଲି ମତପ୍ରକାଶ ପାଉଛି । (ତଥ୍ୟ)