Home Excise ଓଡ଼ିଶାରେ ବଢ଼ୁଛି ମଦ ବିକ୍ରି

ଓଡ଼ିଶାରେ ବଢ଼ୁଛି ମଦ ବିକ୍ରି

ଭୁବନେଶ୍ୱର : ଲାଇସେନ୍ସ ପ୍ରାପ୍ତ ମଦ ଦୋକାନଗଡ଼ିକ ମାଧ୍ୟମରେ ମଦୁଆମାନେ ବର୍ଷକୁ ପ୍ରାୟ ୨୫ କୋଟି ଲିଟର ମଦ ଓଡ଼ିଶାରେ ପିଇ ଯାଉଛନ୍ତି । ବଜାରରେ ହାଉଯାଉ ହେଉଥିବା ଚୋରା ମଦକୁ ହିସାବକୁ ନେଲେ ଏହାର ପରିମାଣ ଢେର ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।

କେବଳ ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ପିଇବା ପାଇଁ ମଦୁଆମାନଙ୍କୁ ବାର୍ଷିକ ପ୍ରାୟ ୧୦ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ପଡୁଛି । ଚୋରା ମଦ ଓ ଅନ୍ୟାନ୍ୟ ନିଶାକୁ ହିସାବକୁ ନେଲେ ନିଶା ବାବଦରେ ଓଡ଼ିଶାରେ ବାର୍ଷିକ ଅନ୍ୟୁନ ୫୦ ହଜାର କୋଟି ଟଙ୍କା ବରବାଦ ହେଉଛି ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ଅଭିଯୋଗ କରିଛି ।

ସରକାରୀ ହିସାବ ମୁତାବକ ଓଡ଼ିଶା ରାଜ୍ୟ ପାନୀୟ ନିଗମ ୨୦୦୦-୦୧ ବର୍ଷରେ ୨୫.୪୧ କୋଟି ଟଙ୍କାର ମଦ ବିକ୍ରି କରିଥିବା ବେଳେ ଏହା ବଢ଼ିବଢ଼ି ୨୦୧୦-୧୧ ବର୍ଷରେ ୧୯୨୩.୫୨ କୋଟିରେ ପହଞ୍ôଚଥିଲା । ୨୦୨୦-୨୧ ବର୍ଷରେ ରାଜ୍ୟ ପାନୀୟ ନିଗମ ୩୯୨୨.୩୩ କୋଟି ଟଙ୍କାର ମଦ ଯୋଗାଇ ଥିବାବେଳେ ୨୦୨୩-୨୪ ଆର୍ôଥକ ବର୍ଷରେ ଏହାର ପରିମାଣ ୮୫୯୫.୬୬ କୋଟି ଟଙ୍କା ହୋଇଥିଲା ।

ସରକାରୀ ତଥ୍ୟ ମୁତାବକ ଓଡ଼ିଶା ରାଜ୍ୟ ପାନୀୟ ନିଗମ ୨୦୦୧-୦୨ ବର୍ଷରେ ରାଜ୍ୟ ସରକାରଙ୍କୁ ୧୫୩.୭୨ କୋଟି ଟଙ୍କାର ରାଜସ୍ୱ ଦିଆଇଥିବା ବେଳେ ୨୦୧୦-୧୧ ବର୍ଷରେ ଏହି ପରିମାଣ ୧୦୪୧.୧୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ୨୦୨୦-୨୧ ବର୍ଷରେ ଓଡ଼ିଶା ରାଜ୍ୟ ପାନୀୟ ନିଗମ ରାଜ୍ୟ ସରକାରକୁ ୫୦୪୮.୨୩ କୋଟି ଟଙ୍କାର ରାଜସ୍ୱ ଦେଇଥିବାବେଳେ ଏହା ବଢ଼ିବଢ଼ି ୨୦୨୩-୨୪ ବର୍ଷରେ ୮୮୧୪.୨୫ କୋଟି ଟଙ୍କାରେ ପହଞ୍ôଚଥିଲା । ଚଳିତ ଆର୍ôଥକ ବର୍ଷରେ ଏହାର ପରିମାଣ ୧୩ ହଜାର କୋଟି ଟଙ୍କା ପାଖାପାଖି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଅବକାରୀ ବିଭାଗର ପ୍ରଦତ୍ତ ତଥ୍ୟ ମୁତାବକ ଓଡ଼ିଶାରେ ୨୦୧୩-୧୪ ବର୍ଷରେ ୫କୋଟି ୯୬ ହଜାର ଲକ୍ଷ ଲିଟର ଭାରତ ତିଆରି ବିଦେଶୀ ମଦ, ୮କୋଟି ୫୦ଲକ୍ଷ ଲିଟର ବିଅର, କୋଟିଏ ୬୧ଲକ୍ଷ ଲିଟର ଦେଶୀ ମଦ ସରକାରୀ ସଂସ୍ଥା ମାଧ୍ୟମରେ ଯୋଗା ଯାଇଥିବା ବେଳେ ୨୦୨୩-୨୪ବର୍ଷରେ ୭ କୋଟି ୯୩ଲକ୍ଷ ଲିଟର ଲିଟର ଭାରତ ତିଆରି ବିଦେଶୀ ମଦ, ୧୫କୋଟି ୩୫ଲକ୍ଷ ଲିଟର ବିଅର ଓ କୋଟିଏ ୬୫ଲକ୍ଷ ଲିଟର ଦେଶୀ ମଦ ଯୋଗା ଯାଇଥିଲା ।

ମୋଟାମୋଟି ଭାବେ ୨୦୧୩-୧୪ ବର୍ଷରେ ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନ, ବାର୍‍ ଆଦି ମାଧ୍ୟମରେ ୧୬କୋଟି ୭ଲକ୍ଷ ଲିଟର ଭାରତ ତିଆରି ବିଦେଶୀ ମଦ, ବିଅର ଓ ଦେଶୀ ମଦ ମଦୁଆଙ୍କ ପାଇଁ ଯୋଗାଇ ଦିଆଯାଇଥିବା ବେଳେ ୨୦୨୩-୨୪ବର୍ଷରେ ଏହାର ପରିମାଣ ୨୪ କୋଟି ୯୪ ଲକ୍ଷ ଲିଟରୁ ଅଧିକ ହୋଇଥିଲା । ଏଥିସହିତ ସରକାରୀ ସ୍ୱୀକୃତିପ୍ରାପ୍ତ ମହୁଲି ମଦ ଓ ରାଜ୍ୟ ସାରା ହାଉଯାଉ ହେଉଥିବା ବିଭିନ୍ନ କିସମର ଚୋରା, ନକଲି ଆଦି ମଦକୁ ହିସାବକୁ ନେଲେ ଏହି ପରିମାଣ ୫୦କୋଟି ଲିଟରରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।

ଓଡ଼ିଶା ରାଜ୍ୟ ପାନୀୟ ନିଗମ ରାଜ୍ୟ ସରକାରକୁ ଯେଉଁ ଅବକାରୀ ରାଜସ୍ୱ ଦେଉଛି ସେଥିମଧ୍ୟରେ ଅବକାରୀ ଶୁଳ୍କ ଓ ଭାଟ୍‍ ଅନ୍ତର୍ଭୁକ୍ତ । ୨୦୨୩-୨୪ ବର୍ଷରେ ଏହି ନିଗମର କାରବାରରୁ ରାଜ୍ୟ ସରକାର ୫୯୨୮.୫୮ କୋଟି ଟଙ୍କାର ଅବକାରୀ ଶୁଳ୍କ ପାଇଥିବା ବେଳେ ତାହା ଉପରେ ୨୮୮୫.୬୭ କୋଟି ଟଙ୍କାର ଭାଟ୍‍ ପାଇଛନ୍ତି । ମଦୁଆଙ୍କ ଚାହିଦା ମେଣ୍ଟାଇବା ପାଇଁ ସରକାର ନିରାପଦ ବିଶୁଦ୍ଧ ମଦ ଯୋଗାଇବା ସହ ଚୋରା ମଦ ଓ ଅନ୍ୟାନ୍ୟ ନିଷିଦ୍ଧ ନିଶାକୁ ନିୟନ୍ତ୍ରଣ କରିବା ପାଇଁ କଠୋର ପଦକ୍ଷେପ ନେଉଥିବା ବେଳେ ରାଜ୍ୟରେ ନିଶାଡ଼ିଙ୍କ ସାନ୍ଧ୍ରତା ବର୍ଷକୁ ବର୍ଷ ବଢ଼ିବଢ଼ି ଚାଲିବା ସହିତ ବିଭିନ୍ନ କିସମର ସମସ୍ୟା ବି ବୃଦ୍ଧି ପାଉଛି । (ତଥ୍ୟ)