Home Education ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେଉ

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେଉ

ଭୁବନେଶ୍ୱର : ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ତିନିବର୍ଷ ତଳେ ଶିଳାନ୍ୟାସ କରାଯିବା ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ଆଇନ ପ୍ରଣୟନ କରାଯାଇଥିବା ସତ୍ତ୍ୱେ ଏଯାବତ ଏହି ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମଦିନ ଅବସରରେ ୨୦୧୮ ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାଛଡା ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଐତିହ୍ୟ କ୍ୟାବିନେଟରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବା ସହ ପରବର୍ତ୍ତୀ ସମୟରେ ଓଡ଼ିଶା ବିଧାନସଭାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଆଇନ ମଧ୍ୟ ଗୃହୀତ ହୋଇଛି । ଉତ୍କଳମଣିଙ୍କ ସମେତ ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ, କୃପାସିନ୍ଧୁ ମିଶ୍ର ଓ ଗୋଦାବରୀଶ ମିଶ୍ରଙ୍କ ଭଳି ପଞ୍ଚସଖାଙ୍କ ପବିତ୍ର କର୍ମପୀଠ ସତ୍ୟବାଦୀର ବକୁଳ ବନ ଅଞ୍ଚଳରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହେବାକୁ ଯାଉଛି ।

ଇତିମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଲାଗି ୧୦ ଏକର ଜମି ଅଧିଗ୍ରହଣ କରାଯାଇଛି ଏବଂ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଶାସନିକ ମଞ୍ଜୁରୀ ମିଳିବା ସହ ୬୦ କୋଟି ଟଙ୍କା ମଧ୍ୟ ବ୍ୟବସ୍ଥା ହୋଇଛି । ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଏହି ବିଶ୍ୱବିଦ୍ୟାଳୟ ରହୁଛି ଏବଂ ଏଥିରେ ଅନ୍ୟାନ୍ୟ ବିଷୟ ସହିତ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଆଦିର ବିଭିନ୍ନ ବିଭବ ସଂକ୍ରାନ୍ତରେ ଉଚ୍ଚତର ଗବେଷଣା ପାଇଁ ମଧ୍ୟ ଯୋଜନା ଅଛି ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ଲାଗି ସ୍ଥପତିମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ନକ୍ସାକୁ ମଧ୍ୟ ସରକାର ଗ୍ରହଣ କରିଛନ୍ତି ଏବଂ ଏହାର ନିର୍ମାଣ କାର୍ଯ୍ୟ ଓଡ଼ିଶା ସେତୁ ନିର୍ମାଣ ନିଗମ ଉପରେ ନ୍ୟସ୍ତ କରାଯାଇଛି । ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜଣେ ଅବସରପ୍ରାପ୍ତ ଆଇଏଏସ୍‍ଙ୍କୁ ଓଏସଡି ଭାବେ ନିଯୁକ୍ତ କରାଯାଇଛି ଓ ସେ ଅଧିକ ଜମି ଅଧିଗ୍ରହଣ ସହିତ ନିର୍ମାଣ କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହେବ ସେ ସଂକ୍ରାନ୍ତରେ କାର୍ଯ୍ୟ କରୁଛନ୍ତି ।

ତେବେ ଶିକ୍ଷାବିତମାନେ କହୁଛନ୍ତି ଯେ ତିନିବର୍ଷ ତଳେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ସ୍ଥଳେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ କେବେ ସରିବ ଓ ସେଠାରେ କେବେ ପାଠପଢ଼ା ଆରମ୍ଭ ହେବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି । ଅତୀତରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଓଡ଼ିଶା ବିଧାନସଭା ରେଭେନ୍ସା କଲେଜ ପରିସରରେ ଚାଲିଥିଲା ଏବଂ ସଚିବାଳୟ ମଧ୍ୟ କଟକର କେତେକ ସେଡ୍‍ରେ ଆରମ୍ଭ ହୋଇଥିଲା । ବର୍ତ୍ତମାନର ବିଧାନ ସୌଧ ନିର୍ମିତ ହେବା ପୂର୍ବରୁ ରାଜଧାନୀ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେବା ପରେ ଭୁବନେଶ୍ୱରର ସର୍ଦ୍ଦାର ପଟେଲ ହଲ୍‍ରେ ବିଧାନସଭା ଚାଲୁଥିଲା । ସେହିଭଳି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟ ଏହି ସର୍ଦ୍ଦାର ପଟେଲ ହଲ ପରିସର ମଧ୍ୟରେ କିଛି ବର୍ଷ କାର୍ଯ୍ୟ କରିବା ପରେ ନିଜସ୍ୱ ସୌଧକୁ ସ୍ଥାନାନ୍ତରିତ ହୋଇଛି ।

ରମାଦେବୀ ମହିଳା କଲେଜ ଓ ରାଜଧାନୀ କଲେଜ ମଧ୍ୟ ଭୁବନେଶ୍ୱରର ଭିନ୍ନ ଅଞ୍ଚଳରେ ସରକାରୀ ସେଡ୍‍ରେ ଆରମ୍ଭ ହୋଇଥିଲା । ଏଭଳି ଅନେକ ଶିକ୍ଷାନୁଷ୍ଠାନ ଅସ୍ଥାୟୀ ଗୃହରେ ଦୀର୍ଘବର୍ଷ ଚାଲିବା ପରେ ନିଜସ୍ୱ ଗୃହକୁ ପରେ ସ୍ଥାନାନ୍ତରିତ ହୋଇଛନ୍ତି । ଏ ପରିପ୍ରେକ୍ଷୀରେ ଆସନ୍ତା ଶିକ୍ଷାବର୍ଷ ପୂର୍ବରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଅନ୍ୟ କୌଣସି ଅସ୍ଥାୟୀ ଗୃହରେ ସତ୍ୟବାଦୀ ପୁରୀ ବା ଭୁବନେଶ୍ୱରଠାରେ ପାଠପଢ଼ା ଆରମ୍ଭ କରାଯାଇ ବିଶ୍ୱବିଦ୍ୟାଳୟର ସୌଧ ସଂପୂର୍ଣ୍ଣ ହେବା ପରେ ସେଠାକୁ ସ୍ଥାନାନ୍ତର କରାଯିବା ଅଧିକ ପ୍ରାସଙ୍ଗିକ ହେବ । ଏହି ପ୍ରସ୍ତାବ ସଂକ୍ରାନ୍ତରେ ସରକାର ବିଚାର କରି ଓଡ଼ିଆ ବିଶ୍ୱବିଦ୍ୟାଳୟ ଲାଗି କୁଳପତି, କୁଳସଚିବଙ୍କ ସମେତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ଲାଗି ଏବେଠାରୁ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)