Home News in Odia ଓଡ଼ିଆଙ୍କୁ ସରକାର ପଶୁ ଦୃଷ୍ଟିରେ ଦେଖୁଛନ୍ତି

ଓଡ଼ିଆଙ୍କୁ ସରକାର ପଶୁ ଦୃଷ୍ଟିରେ ଦେଖୁଛନ୍ତି

ଭୁବନେଶ୍ୱର : ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶାର ୭୭ ପ୍ରତିଶତ ଲୋକଙ୍କୁ ରାଜ୍ୟ ସରକାର ଦେଉଥିବା ଚାଉଳ ମଣିଷ ଖାଦ୍ୟ ଉପଯୋଗୀ ନୁହେଁ, ଏହା ପଶୁ ଖାଦ୍ୟ ବୋଲି କେନ୍ଦ୍ର ସରକାରଙ୍କ ଖାଉଟି ମନ୍ତ୍ରଳାୟର ଅଧିକାରୀମାନେ ତଦନ୍ତ କରି ପ୍ରକାଶ କରିବା ପରେ ନବୀନ ସରକାରଙ୍କର ବ୍ୟାପକ ଚାଉଳ ଦୁର୍ନୀତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସ ଘାତକତା ପଦାରେ ପଡ଼ିଯାଇଛି ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌଧୁରୀ କହିଛନ୍ତି ଯେ ଖୋଦ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜିଲ୍ଲା କଟକ ଜିଲ୍ଲାର ବିଭିନ୍ନ ଗୋଦାମ ଯାଞ୍ଚ କରି କେନ୍ଦ୍ରୀୟ କର୍ତ୍ତୃପକ୍ଷ ମେ ୨୭ ତାରିଖରେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଚେତେଇ ଦେଇଛନ୍ତି । ଏପରିକି ଏହି ଚାଉଳ ମଣିଷଙ୍କ ପାଇଁ ନୁହେଁ କେବଳ ଛେଳି, ଘୋଡ଼ା ଓ ମେଣ୍ଢା ଆଦି ପଶୁଙ୍କ ପାଇଁ ଯୋଗ୍ୟ ବୋଲି ସେମାନେ ଦର୍ଶାଇଛନ୍ତି ।

ରାଜ୍ୟ ସରକାର ୧ ଟଙ୍କିଆ ଚାଉଳ ଦେଇ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇ ଭୋଟ ନେଇଯାଉଛନ୍ତି । ଏବେ ସ୍ପଷ୍ଟ ହୋଇପଡ଼ିଛି ଯେ ଏଥିରେ କୋଟି କୋଟି ଟଙ୍କାର ଅର୍ଥ ବାଟମାରଣା ହୋଇଯାଇଛି । କେନ୍ଦ୍ର ଖାଉଟି ମନ୍ତ୍ରଣାଳୟର ଉପଆୟୁକ୍ତ ବିଶ୍ୱଜିତ ହାଲଦାର ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ସଚ୍ଚିବଙ୍କୁ ଚିଠି ଲେଖି ଚାଉଳ ଦୁର୍ନୀତିର ଗୁମର ଖୋଲିଛନ୍ତି । ଏପରିକି ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବାକୁ କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ (ସଂଶୋଧିତ) ୨୦୨୦ ଅନୁସାରେ ସଂପୃକ୍ତ ମିଲ ମାଲିକଙ୍କୁ କଳା ତାଲିକାଭୁକ୍ତ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସେ କହିଛନ୍ତି ।

ସମଗ୍ର ରାଜ୍ୟରେ ଗୋଦାମରେ ଥିବା ଚାଉଳର ଅବସ୍ଥା ଉପରେ ସେ ସନ୍ଦେହ ପ୍ରକଟ କରିଛନ୍ତି । ଏପରିକି ଅନୁଧ୍ୟାନ ନହେବା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକର ଗୋଦାମ ମାନଙ୍କରୁ ଚାଉଳ ନଦେବାକୁ ସେ କହିଛନ୍ତି । ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ଓଡ଼ିଶାକୁ ଏ ବାବଦରେ କେନ୍ଦ୍ର ଦେଉଥିବା ଅର୍ଥ କ୍ଷେତ୍ରରେ ପୁନଃବିଚାର କରାଯିବ ବୋଲି କେନ୍ଦ୍ର ଖାଉଟି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସର୍ତକ କରାଇ ଦେଇଛନ୍ତି ।

ଏ ସମୁଦାୟ ବ୍ୟବସ୍ଥା ଉପରେ ଅବିଶ୍ୱାସ ପ୍ରକଟ କରି ଏହାର ତୁରନ୍ତ ପୁନଃ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଯଦି କଟକ ଓ ଭୁବନେଶ୍ୱରର ସ୍ଥିତି ଏପରି ତେବେ ମାଲକାନାଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ କିପରି ଅବସ୍ଥା ଥିବ ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ପ୍ରକାଶ ଥାଉକି ଭୁବନେଶ୍ୱର ଓ କଟକର ଚାଉଳ ଗୋଦାମ, ରାଇସମିଲ, ସୁଲଭ ଦୋକାନ ଏବଂ ଏଫସିଆଇ ଗୋଦାମରେ ଥିବା ଚାଉଳ ଆଦିକୁ ଏପ୍ରିଲ ୧୧ ତାରିଖରୁ ୧୬ ତାରିଖ ମଧ୍ୟରେ ଯାଂଚ କରାଯାଇଥିଲା । ଯେଉଁଥିରେ ୧୫ଟି ସଂଗୃହିତ ନମୁନାରୁ ୯ଟି ନମୁନା ଅତି ନିମ୍ନମାନର ପ୍ରମାଣିତ ହୋଇଥିଲା ।

ଏଥିରୁ ସ୍ପଷ୍ଟ ହୋଇପଡ଼ିଛି ଯେ ଏହି ଚାଉଳର ବ୍ୟାପକ ରିସାଇକ୍ଲିଂ ଚାଲିଛି ଏବଂ ଯୋଗାଣ ବିଭାଗର ଅଧିକାରୀମାନେ ନଖରୁ ଶୀଖ ପର୍ଯ୍ୟନ୍ତ ସମନ୍ତେ ଏହି ଦୁର୍ନୀତିରେ ସଂପୃକ୍ତ । ସାଧାରଣତଃ ଏଫସିଆଇର ଅଧିକାରୀମାନେ ଚାଉଳର ମାନକୁ ନିର୍ଦ୍ଧାରଣ କରି ସାର୍ଟିଫିକେଟ ପ୍ରଦାନ କରିଥାନ୍ତି । ଏଣୁ ଏଭଳି ଚାଉଳକୁ କିପରି ସାର୍ଟିଫିକେଟ ଦିଆଗଲା ତାହା ଆଶ୍ଚର୍ଯ୍ୟର ବିଷୟ । ଏବେ ଗଛିତ ସମସ୍ତ ଚାଉଳ ଓ ଗହମର ମାନ ନିରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଖାଉଟି କଲ୍ୟାଣମନ୍ତ୍ରଣାଳୟର ଦୁଇଟି ଟିମ ଗଠନ କରିଛନ୍ତି । ଏହି ଦୁଇଟି ଟିମ ଚଳିତ ମାସ ୪ ତାରିଖରୁ ଭୁବନେଶ୍ୱର କଟକ ଏଫିସିଆଇ ଅଧିନରେ ଥିବା ୮ଟି ଜିଲ୍ଲାକୁ ପରିଦର୍ଶନରେ ଆସିବେ ବୋଲି ଜଣାପଡ଼ିଛି ।

ଏବେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ, ଯୋଗାଣ ନିଗମର କ୍ୱାଲିଟିସେଲ ତତ୍ପର ହୋଇପଡ଼ିଛି ନା ଦୁର୍ନୀତିକୁ ଲୁଚାଇବା ପାଇଁ ଅପଚେଷ୍ଟା ଚାଲିଛି ବୋଲି ସାଧାଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ଯୋଗାଣ ନିଗମର କ୍ୱାଲଟି ସେଲର କତୃପର୍କ୍ଷ ଜଗତପୁର ସ୍ଥିତ ଯୋଗାଣ ନିଗମର ଚାଉଳର ନମୁନା ସଂଗ୍ରହ କରିଥିବାର ଜଣାପଡ଼ିଛି ଏବଂ ଏହାର ମାନ ପରୀକ୍ଷା କରାଯିବ ବୋଲି ସ୍ଥିର ହୋଇଛି । ଏବେ ପାଖାପାଖି ୧୦ଲକ୍ଷ ଟନ ଚାଉଳ ମହଜୁଦ ଅଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫୦୦ କୋଟି ହେବ । ମାତ୍ର ଏହା ପଶୁ ଖାଦ୍ୟ ବୋଲି କେନ୍ଦ୍ର ସରକାର କହୁଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ କଟକ ଜିଲ୍ଳାର ୧୬ଲକ୍ଷ ହିତାଧିକାରୀ ରହିଛନ୍ତି ଏବଂ କଟକ ଜିଲ୍ଲାର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ଏହି ୧୬ଲକ୍ଷ ଲୋକଙ୍କୁ ପଶୁଖାଦ୍ୟ ଦେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓଡ଼ିଶାରେ ବିଫଳ । ରାଜ୍ୟ ସରକାର କହୁଛନ୍ତି ଯେ ସେ ୯୯.୨ ପ୍ରତିଶତ ସଫଳ । ସ୍ୱଛତାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଏହି ମହା ଦୁର୍ନୀତିର ତଦନ୍ତକରି ବାସ୍ତବ ସତ୍ୟକୁ ଜନସାଧାରଣଙ୍କୁ ଜଣାନ୍ତୁ । ତଦନ୍ତ ପରିସରକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଖାଦ୍ୟ ଯୋଗାଣ କମିଶନର ବୀରବିକ୍ରମ ଯାଦବଙ୍କୁ ଅଣାଯାଉ ଏବଂ କଂଗ୍ରେସ ଦଳ ମନ୍ତ୍ରୀଙ୍କର ତୁରନ୍ତ ଇସ୍ତଫା ଦାବୀ କରୁଛି ଏବଂ ବୀରବିକ୍ରମ ଯାଦବଙ୍କ ଉପରେ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉ ।

ଏହି ଦୁର୍ନୀତର ପର୍ଦାଫାସ ହେଲେ ନବୀନ ସରକାର ଓଡ଼ିଶାବାସୀଙ୍କୁ କିପିରି ଛେଳି, ମେଣ୍ଢା ଓ ଗାଈ ଦୃଷ୍ଟିରେ ଦେଖୁଛନ୍ତି ତାହା ଜଣାପଡ଼ିଯିବ । ପ୍ରକାଶ ଥାଉକି ଏହି ତନଖି ସମୟରେ କେନ୍ଦ୍ର ସରକାରଙ୍କ ଖାଉଟି ବିଭାଗର କତୃପର୍କ୍ଷଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ଯେଉଁ ପତ୍ର ଦେଇଛନ୍ତି ସେଥିରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ସରକାରଙ୍କର ଭରଷା ନାହିଁ । କେନ୍ଦ୍ରୀୟ କତୃପର୍କ୍ଷ ଏଠାରେ ତଦନ୍ତ ଓ ରହିବା ସମୟରେ ଅସୁରକ୍ଷିତ । ଏବେ ମିଲ ମାଲିକ ଓ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକାରେ ଓଡ଼ିଶାବାସୀ ପଶୁଖାଦ୍ୟ ଖାଉଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଏବଂ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଉପସ୍ଥିତ ଥିଲେ ।