Home Judiciary ଓରିସା ରୁ ଓଡ଼ିଶା କେବେ?

ଓରିସା ରୁ ଓଡ଼ିଶା କେବେ?

ଭୁବନେଶ୍ୱର : ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓଡ଼ିଶା ରାଜ୍ୟର ନାମ ‘ଓରିସା’ରୁ ସଂଶୋଧିତ ହେବାର ପ୍ରାୟ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜିର ଦିନରେ ବି ରାଜ୍ୟ ହାଇକୋର୍ଟର ନାମ ଓରିସା ହାଇକୋର୍ଟ ରହିଛି । କଟକରେ ଥିବା ହାଇକୋର୍ଟର ନାମ ଫଳକରେ ଇଂରାଜୀରେ ଓରିସା ଲେଖା ଯାଇଥିବା ବେଳେ ଏଠାରେ ରୁଜୁ ହେଉଥିବା ମାମଲା, ବିଚାରପତିମାନଙ୍କ ରାୟ ଓ ଅନ୍ୟାନ୍ୟ ଆଦେଶନାମା ଏବଂ ହାଇକୋର୍ଟରୁ ପଠାଯାଉଥିବା ଚିଠିଗୁଡ଼ିକରେ ଆଜିର ଦିନରେ ବି ଇଂରାଜୀରେ ‘ଓରିସା’ ବୋଲି ଲେଖାଯାଉଛି । ଏହାର ସଂଶୋଧନ ପାଇଁ ବିଭିନ୍ନ ମହଲୁ ବାରମ୍ବାର ସ୍ୱର ଉଠୁଥିଲେ ମଧ୍ୟ ବ୍ୟବସ୍ଥାଗତ ପ୍ରକ୍ରିୟା ଶେଷ ହେବାରେ ବିଳମ୍ବ ଘଟୁଥିବାରୁ ଓଡ଼ିଶା ଭିତରେ ଏବେ ବି ଓରିସା ରହିଛି ।

ଇଂରାଜୀରେ ଓଡ଼ିଶାର ନାମ ଓରିସା ବ୍ରିଟିଶ୍‍ ଅମଳରୁ ଲେଖାଯାଉଥିବା ବେଳେ ହିନ୍ଦୀରେ ଉଡ଼ିସା ବୋଲି କୁହାଯାଉଥିଲା । ସେହିପରି ଇଂରାଜୀରେ ଓଡ଼ିଆ ଭାଷାର ନାମକୁ ବି ଓରିଆ ବୋଲି ଲେଖାଯାଉଥିଲା । ଏହି ତ୍ରୁଟିର ସଂଶୋଧନ ପାଇଁ ଦୀର୍ଘବର୍ଷ ଧରି ଦାବି ହେବା ପରେ ୨୦୧୦ ମସିହାରେ ୧୧୩ତମ ସମ୍ବିଧାନ ସଂଶୋଧନ ବିଧେୟକ ସଂସଦରେ ଆଗତ ହୋଇଥିଲା । ଲୋକସଭାରେ ଆଲୋଚନା ପରେ ଏହି ବିଧେୟକ ୨୦୧୦ ନଭେମ୍ବର ୯ ତାରିଖରେ ପାରିତ ହୋଇଥିଲା ଏବଂ ପରେ ୨୦୧୧ ମାର୍ଚ୍ଚ ୨୪ରେ ଏହା ରାଜ୍ୟସଭାରେ ମଧ୍ୟ ପାରିତ ହୋଇଥିଲା । ଏହାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ୧୧୩ତମ ସମ୍ବିଧାନ ବିଲ୍‍ ଆଇନ୍‍ରେ ପରିଣତ ହେବାରୁ ପୂର୍ବ ତ୍ରୁଟି ସଂଶୋଧନ କରାଯାଇ ଇଂରାଜୀ,ହିନ୍ଦୀ ସମେତ ଅନ୍ୟାନ୍ୟ ଭାଷାରେ ଆମ ରାଜ୍ୟର ନାମ ଓଡ଼ିଶା ଓ ଭାଷାର ନାମ ଓଡ଼ିଆ ଲେଖାଯିବା ପାଇଁ ଆଇନ୍‍ଗତ ବ୍ୟବସ୍ଥା ସୃଷ୍ଟି ହୋଇଥିଲା ।

ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିବା ପରେ ଇଂରାଜୀରେ ରାଜ୍ୟ ସରକାରଙ୍କ ନାମ ଓଡ଼ିଶା ସରକାର ବୋଲି ଇଂରାଜୀରେ ଉଲ୍ଲେଖ କରାଯିବା ସହ ଅନ୍ୟାନ୍ୟ ସମସ୍ତ ଦପ୍ତରରେ ବି ଓରିସା ଓ ଓରିଆ ପରିବର୍ତ୍ତେ ଓଡ଼ିଶା ଓ ଓଡ଼ିଆ ବୋଲି ଲେଖାଯାଉଛି । ତଦନୁଯାୟୀ ରାଜ୍ୟରେ ହେଉଥିବା ଯାନବାହନ ପଞ୍ଜିକରଣରେ ଓଆର୍‍ ପରିବର୍ତ୍ତେ ଓଡି ରହୁଛି । ସମସ୍ତ ଦପ୍ତରରେ ଏହି ସଂଶୋଧିତ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଆମ ରାଜ୍ୟ ହାଇକୋର୍ଟରେ କିନ୍ତୁ ଏଯାବତ୍‍ ଏହା ବଦଳି ନାହିଁ ।

ଆଇନ୍‍ ବିଷାରଦମାନେ କହୁଛନ୍ତି ଯେ ରାଜ୍ୟ ହାଇକୋର୍ଟର ନାମ ଓରିସାରୁ ଓଡ଼ିଶାର ବଦଳାଇବାର କ୍ଷମତା ହାଇକୋର୍ଟଙ୍କ ନାହିଁ । ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ସୁପ୍ରିମ୍‍କୋର୍ଟ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଏବଂ ତଦନୁଯାୟୀ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କଲେ ଯାଇ ଏହି ସଂଶୋଧନ ହୋଇପାରିବ । ତେବେ ସମ୍ବିଧାନ ସଂଶୋଧନର ୧୦ ବର୍ଷ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇନଥିବାରୁ ଓଡ଼ିଶାରେ ଥିବା ହାଇକୋର୍ଟର ନାମ ଏବେ ବି ଓରିସା ହାଇକୋର୍ଟ ଲେଖାଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟର ବିଚାର ବ୍ୟବସ୍ଥା ସରକାର ଏବଂ ବିଧାନସଭା ତଥା ସଂସଦର ନିର୍ବାଚିତ ପ୍ରତିନିଧିମାନେ ରାଜ୍ୟର ଭାବାବେଗ ସହ ଜଡ଼ିତ ଏହି ସମ୍ବେଦନଶୀଳ ସଂଶୋଧନ ପ୍ରସଙ୍ଗ ପ୍ରତି ଦୃଷ୍ଟି ଦେବାକୁ ଅନ୍ୟତମ ଆଇନ୍‍ଜୀବୀ ପ୍ରହଲାଦ କୁମାର ସିଂହ କହିଛନ୍ତି । (ତଥ୍ୟ)