Home Health ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୭ ହେଲା

ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୭ ହେଲା

ଭୁବନେଶ୍ୱର : ଆଜି ଗୋଟିଏ ଦିନରେ ରାଜ୍ୟରେ ୨୩ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବାପରେ ମୋଟ୍‍ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି । ପୂର୍ବରୁ ତିନି ପର୍ଯ୍ୟାୟରେ ୧୪ଜଣ ଚିହ୍ନଟ ହୋଇଥିଲେ ।

ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୧୯ଜଣ ପୁରୁଷ ଓ ୪ଜଣ ମହିଳା ରହିଛନ୍ତି । ଏମାନଙ୍କ ବୟସ ୮ ରୁ ୮୩ବର୍ଷ ମଧ୍ୟରେ ।

ଏହି ସଂକ୍ରମିତଙ୍କ ମଧ୍ୟରୁ ୧୧ଜଣ ବିଦେଶ ଫେରନ୍ତା ହୋଇଥିବାବେଳେ ୧୨ଜଣ ରାଜ୍ୟ ଭିତରେ ଓମିକ୍ରନ ସଂକ୍ରମିତ ହୋଇଛନ୍ତି । ସମସ୍ତଙ୍କ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରାଯାଇଥିବାବେଳେ ସେମାନଙ୍କ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଆଜି ଚିହ୍ନଟ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାରୁ ୭ଜଣ ଥିବାବେଳେ ଖୋରଧାରୁ ୪ଜଣ, ପୁରୀ ଓ ସମ୍ବଲପୁରରୁ ୩ଜଣ କରି, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରୁ ୨ଜଣ କରି, ଜଗତ୍‍ସିଂହପୁର ଓ ବାଲେଶ୍ୱରରୁ ଜଣେ କରି ରହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୩୭ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ମଧ୍ୟ ଗୋଟିଏ ଦିନରେ ୪୦ପ୍ରତିଶତରୁ ଅଧିକ ବୃଦ୍ଧି ଗଟିଛି । ଡିସେମ୍ବର ୩୧ତାରିଖରେ ରାଜ୍ୟରେ ୨୯୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗତ କାଲି ୪୨୪ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଖୋରଧା ଜିଲ୍ଲାର ୧୧୯ଜଣ ରହିଛନ୍ତି ।

ରାଜ୍ୟରେ ହଠାତ୍‍ ଗୋଟିଏ ଦିନରେ ୨୩ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ଓ କରୋନା ସଂକ୍ରମଣର ବେଗ ବଢିବା ଏବେ ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି । ତେଣୁ କରୋନା ପ୍ରତିହତ ଜାରି କଟକଣା ନିୟମ ପାଳନ ପାଇଁ ବିଭାଗ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି ।