Home Health ଓମିକ୍ରନ ମୁକାବିଲା ପାଇଁ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

ଓମିକ୍ରନ ମୁକାବିଲା ପାଇଁ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ : ଓମିକ୍ରନ ଭାରିଆଣ୍ଟର ମୁକାବିଲା ଲାଗି ରାଜ୍ୟ ସରକାରମାନଙ୍କ ସହିତ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ ଏହି ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ ବୈଠକରେ ଉପସ୍ଥିତ ରହିଥିଲେ ।

ଏହି ବୈଠକରେ ବେସାମରିକ ବିମାନ ଚଳାଚଳ ସଚିବ ଶ୍ରୀ ରାଜୀବ ବଂଶଲ, ସ୍ୱାସ୍ଥ୍ୟ ଗବେଷଣା ସଚିବ ତଥା ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ, ଏନସିଡିସିର ନିର୍ଦ୍ଦେଶକ ଡକ୍ଟର ସୁଜିତ କେ ସିଂ, ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବ, ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିର୍ଦ୍ଦେଶକ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଇମିଗ୍ରେସନ ବ୍ୟୁରୋର ପ୍ରତିନିଧି, ରାଜ୍ୟ ବିମାନ ବନ୍ଦର ଜନ ସ୍ୱାସ୍ଥ୍ୟ ଅଧିକାରୀ (ଏପିଏଚଓ) ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ବୈଠକରେ କହିଥିଲେ ଯେ କୋଭିଡ ୧୯ର ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ମାର୍ଗଦର୍ଶିକା ଏବଂ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହାକୁ ରାଜ୍ୟମାନଙ୍କୁ ଜାରି କରାଯାଇଥିବା ସେ ଦୋହରାଇଥିଲେ । ମହାମାରୀ ମୁକାବିଲା ଜାରି ରଖିବା ନିମନ୍ତେ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ବିଭିନ୍ନ ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର ଏବଂ ଭୂସୀମା ଦେଇ ଦେଶ ଭିତରକୁ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ଲାଗି ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ।

 ‘ବିପଦରେ ଥିବାଦେଶରୁ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନେ ଭାରତରେ ପହଞ୍ଚିବା କ୍ଷଣି ପ୍ରଥମ ଦିନରେ ହିଁ ସେମାନଙ୍କର ନମୁନା ପରୀକ୍ଷା କରାଯିବ । ଏହାପରେ ଯାତ୍ରୀ ସଙ୍ଗରୋଧରେ ରହିବେ ଓ ଅଷ୍ଟମ ଦିନରେ ପୁଣିଥରେ ତାଙ୍କର ନମୁନା ପରୀକ୍ଷା କରାଯିବ। ଅନୁରୂପ ଭାବେ ‘ବିପଦରେ ଥିବା’ ଦେଶଗୁଡ଼ିକରୁ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ଆରଟି-ପିସିଆର ନମୁନା ପରୀକ୍ଷା ରିପୋର୍ଟ ନଆସିବା ପର୍ଯ୍ୟନ୍ତ ସେମାନେ ବିମାନବନ୍ଦରରେ ଅପେକ୍ଷା କରିବେ । ତେଣୁ ଅନ୍ୟତ୍ର ଯିବା ଲାଗି ବିମାନ ଟିକେଟ ବୁକିଂ ନକରିବା ଲାଗି ସେମାନଙ୍କୁ କୁହାଯାଇଛି।

ବିଭିନ୍ନ ରାଜ୍ୟରେ ଚୟନ କରାଯାଇଥିବା ଆଇଏନଏସଏସିଓଜି ପରୀକ୍ଷାଗାରକୁ ସମସ୍ତ ପଜିଟିଭ ନମୁନା ତୁରନ୍ତ ପଠାଯିବ। ରାଜ୍ୟମାନେ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିବିଶେଷଙ୍କର କଣ୍ଟାକ୍ଟ ଟ୍ରେସିଂ କରିବେ ଏବଂ ୧୪ ଦିନ ପର୍ଯ୍ୟନ୍ତ ତାଙ୍କ ଉପରେ ନଜର ରଖିବେ ।

ନମୁନା ପରୀକ୍ଷା ବୃଦ୍ଧି : ପରୀକ୍ଷଣ ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ନମୁନା ପରୀକ୍ଷା ପାଇଁ ନିର୍ଦ୍ଧାରିତ ମାର୍ଗଦର୍ଶିକାକୁ ପାଳନ କରିବା ଲାଗି ପରାମର୍ଶ ଦିଆଯାଇଛି । ଆରଟି-ପିସିଆର ଅନୁପାତକୁ ବଜାୟ ରଖି ପ୍ରତ୍ୟେକ ଜିଲ୍ଲାରେ ଯଥେଷ୍ଟ ନମୁନା ପରୀକ୍ଷା ସୁନିଶ୍ଚିତ କରିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି ।

ହଟସ୍ପଟଗୁଡ଼ିକ ଉପରେ ପ୍ରଭାବୀ ନଜର ରଖିବା : ନିକଟରେ ଅଧିକ ପଜିଟିଭ ଚିହ୍ନଟ ହୋଇଥିବା କ୍ଲଷ୍ଟର ଅଞ୍ଚଳ ଉପରେ କ୍ରମାଗତ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।  ସମସ୍ତ କୋଭିଡ ୧୯ ପଜିଟିଭ ନମୁନା ଚିହ୍ନଟ ହୋଇଥିବା ଆଇଏନଏସଏସିଓଜି ପରୀକ୍ଷାଗାରକୁ ଜିନୋମ ସିକୁଏନ୍ସିଂ ପାଇଁ ତୁରନ୍ତ ପଠାଯିବାକୁ କୁହାଯାଇଛି ।

ଗୃହ ସଙ୍ଗରୋଧରେ ରହିଥିବା ସଂକ୍ରମିତଙ୍କର ପ୍ରଭାବୀ ଏବଂ ଲଗାତାର ନିରୀକ୍ଷଣ କରାଯିବ ବିପଦରେ ଥିବା ଦେଶରୁ ଆସିଥିବା ଯାତ୍ରୀଙ୍କ ଘରକୁ ବ୍ୟକ୍ତିଗତ ଭାବେ ସ୍ୱାସ୍ଥ୍ୟକର୍ମୀମାନେ ଯିବେ । ଅଷ୍ଟମ ଦିନରେ ନେଗେଟିଭ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ରାଜ୍ୟ ପ୍ରଶାସନ ଦୃଷ୍ଟି ରଖିବେ ।

ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ : ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି କୁହାଯାଇଛି । ଆଇସିୟୁ, ଅକ୍ସିଜେନ ସଂଯୁକ୍ତ ଶଯ୍ୟା ଭେଣ୍ଟିଲେଟର ଆଦି ଉପଲବ୍ଧ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମାଞ୍ଚଳ ଏବଂ ଶିଶୁ ରୋଗୀଙ୍କ ପାଇଁ ଇସିଆରପି-iiକାର୍ଯ୍ୟକାରୀ କରାଯିବ । ଆବଶ୍ୟକ ସାମଗ୍ରୀ, ଔଷଧ, ଅକ୍ସିଜେନ ସିଲିଣ୍ଡର ଆଦିର ଯୋଗାଣ ସୁନିଶ୍ଚିତ କରିବା ସହିତ ମଞ୍ଜୁରିପ୍ରାପ୍ତ ପିଏସଏ ପ୍ଲାଣ୍ଟକୁ ଆଗୁଆ କାର୍ଯ୍ୟକାରୀ କରାଯିବ ।

ବିମାନ ବନ୍ଦର ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସମନ୍ୱୟ ସ୍ଥାପନ କରାଯାଇ ପଜିଟିଭ ଚିହ୍ନଟ ହୋଇଥିବା ଯାତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯିବ, ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ବିବରଣୀ ରଖାଯିବ ଏବଂ ପ୍ରଭାବୀ ନିରୀକ୍ଷଣ ପାଇଁ ସେମାନଙ୍କୁ ଆବଶ୍ୟକ ସମର୍ଥନ ଯୋଗାଇ ଦିଆଯିବ ।

ରାଜ୍ୟ ପ୍ରଶାସନ, ଇମିଗ୍ରେସନ ବ୍ୟୁରୋ, ବିମାନବନ୍ଦର ଜନ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଭୂଖଣ୍ଡ ସୀମାପାର ଅଧିକାରୀ (ଏଲବିସିଓ)ମାନଙ୍କ ମଧ୍ୟରେ ପ୍ରଭାବୀ ଏବଂ ସମୟୋଚିତ ସମନ୍ୱୟ ଉପରେ ଗୁରୁତ୍ୱ କରାଯାଇଛି । ଏହି ସବୁ ଅଧିକାରୀମାନଙ୍କ ସହିତ ବୈଠକ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ଯାହାଫଳରେ ଆଜି ମଧ୍ୟରାତ୍ରୀ ଠାରୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଲାଗୁ ହେଉଥିବା ମାର୍ଗଦର୍ଶିକାକୁ ପ୍ରଭାବୀ ଏବଂ ସୁଗମ ଢଙ୍ଗରେ କାର୍ଯ୍ୟକାରୀ କରାଯାଇପାରିବ ।

ଦେଶରେ କୌଣସି ଚିନ୍ତାଜନକ ଭାରିଆଣ୍ଟର ସଂକ୍ରମଣକୁ ଚିହ୍ନଟ ଏବଂ ପ୍ରତିହତ କରିବା ଲାଗି ରାଜ୍ୟ ନିରୀକ୍ଷଣ ଅଧିକାରୀ ନିକଟରେ ଚିହ୍ନଟ ହୋଇଥିବା ପଜିଟିଭ କ୍ଲଷ୍ଟରଗୁଡ଼ିକର ଦୈନିକ ଅନୁଧ୍ୟାନ କରିବେ ।

ସାପ୍ତାହିକ ଗଣମାଧ୍ୟମ ବିବୃତି ଜରିଆରେ ଦୈନନ୍ଦିନ ପରିସ୍ଥିତି ସମ୍ପର୍କରେ ପ୍ରମାଣ ଏବଂ ବିଜ୍ଞାନ ଆଧାରିତ ସୂଚନା ଜନସାଧାରଣଙ୍କୁ ଯୋଗାଇ ଦିଆଯିବ ।

ଡକ୍ଟର ଭି କେ ପଲ କହିଥିଲେ ଯେ କୋଭିଡ୧୯ର ନୂଆ ଭାରିଆଣ୍ଟର ଉଦ୍ଭବ “ମହାମାରୀ ମଧ୍ୟରେ ମହାମାରୀ” ଭଳି ପରିସ୍ଥିତି ଆଣିଛି । କୋଭିଡ ୧୯ ପରିଚାଳନା କ୍ଷେତ୍ରରେ ଦେଶର  ଅଧିକ ଅଭିଜ୍ଞତା ରହିଛି । ସେ ପୁଣିଥରେ କୋଭିଡ ଉପଯୁକ୍ତ ବ୍ୟବହାର କଡ଼ାକଡ଼ି ପାଳନ କରିବା ଉପରେ ଆଲୋକପାତ କରିଥିଲେ । ଭିଡ଼ ଏଡ଼ାଇବା ସହିତ ଟିକାକରଣକୁ ବଢ଼ାଇବା ନିମନ୍ତେ ସେ ପରାମର୍ଶ ଦେଇଥିଲେ ।

କୋଭିଡ ୧୯ ବିରୋଧରେ ଟିକାକରଣକୁ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ ବର୍ଣ୍ଣନା କରି “ହର ଘର ଦସ୍ତକ” ଟିକାକରଣ ଅଭିଯାନକୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ସେ ଘୋଷଣା କରିଥିଲେ । ଅତିକମରେ ଶତପ୍ରତିଶତ ପ୍ରଥମ ଡୋଜ କଭରେଜ ଏବଂ ଆବଶ୍ୟକ କ୍ଷେତ୍ରରେ ଦ୍ୱିତୀୟ ଡୋଜ ଟିକାକରଣ ସାରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କୋଭିଡ ୧୯ ଟିକାକରଣର ଗତି ଏବଂ ପ୍ରସାର ବଢ଼ାଇବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ଆଇସିଏମଆର ଡିଜି ସୂଚନା ଦେଇଥିଲେ ଯେ ଓମିକ୍ରନ ଭାରିଆଣ୍ଟକୁ ଆରଟିପିସିଆର ଏବଂ ଆରଏଟି ପରୀକ୍ଷାରେ ଚିହ୍ନଟ କରିବା ସମ୍ଭବ । ତେଣୁ ସଂକ୍ରମିତମାନଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଓ ଆଗୁଆ ଚିହ୍ନଟ କରିବା ଲାଗି ନମୁନା ପରୀକ୍ଷା ବଢ଼ାଇବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

“ବିପଦରେ ନଥିବା” ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀମାନଙ୍କୁ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ପରୀକ୍ଷା କରାଇବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି । କୋଭିଡ ଉପଯୁକ୍ତ ବ୍ୟବହାର ପାଳନ କରିବା, ଭିଡ଼ ଠାରୁ ଦୂରରେ ରହିବା ଏବଂ ଟିକାକରଣ କଭରେଜ ବଢ଼ାଇବାକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।