Home Covid ଓମିକ୍ରନ ବିପଦ ନେଇ ବୈଜ୍ଞାନିକଙ୍କ ସତର୍କ ବାଣୀ

ଓମିକ୍ରନ ବିପଦ ନେଇ ବୈଜ୍ଞାନିକଙ୍କ ସତର୍କ ବାଣୀ

ଭୁବନେଶ୍ୱର : ମାସକ ଭିତରେ କରୋନା ଓମିକ୍ରନ ପ୍ରଜାତି ଭାଇରସ ପ୍ରାୟ ୧୦୦ ରାଷ୍ଟ୍ରରେ ପହଞ୍ଚି ସାରିଲାଣି । ଏହି ଭାଇରସର ସଂକ୍ରମଣ ହାର ଦ୍ରୁତ ରହୁଥିବାରୁ ସାଧାରଣ ଲୋକେ ଓ ସରକାର ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରତିଷେଧମୂଳକ ବ୍ୟବସ୍ଥା ଉପରେ ଗୁୁରୁତ୍ୱାରୋପ କରିବାକୁ ଏ ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକାରେ ଉଚ୍ଚତର ଗବେଷଣା କରୁଥିବା ଓଡ଼ିଆ ଯୁବ ବୈଜ୍ଞାନିକ ଡଃ ସ୍ୱୟଂ ପ୍ରକାଶ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ ଗତ ନଭେମ୍ବର ୨୪ ତାରିଖରେ କରୋନାର ନୂଆ ପ୍ରଜାତି ଓମିକ୍ରନ ଦକ୍ଷିଣ ଆଫ୍ରିକାରେ ଚିହ୍ନିତ ହୋଇଥିଲା ଏବଂ ୨୬ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଭୟଙ୍କର ଭୂତାଣୁ ଭାବେ ଘୋଷଣା କରିଥିଲେ । ସେତେବେଳେ ଭାରତରେ ଆଦୌ ଓମିକ୍ରନ ନଥିଲା । କିନ୍ତୁ ସମୟକ୍ରମେ ଓମିକ୍ରନ ଆଫ୍ରିକା ମହାଦେଶ ଡେଇଁ ଭାରତ ସମେତ ଏସିଆ ମହାଦେଶର ବିଭି୍‍ନ୍ନ ରାଷ୍ଟ୍ର ଏବଂ ୟୁରୋପ, ଆମେରିକା ଆଦିରେ ତାଣ୍ଡବ ସୃଷ୍ଟି କରୁଛି ।

ୟୁରୋପ, ଆମେରିକା ଆଦିରେ ଏବେ ଯେତେ କରୋନା ସଂକ୍ରମିତ ଚିହ୍ନିତ ହେଉଛନ୍ତି ତାହାର ୭୦ ପ୍ରତିଶତରୁ ଅଧିକରେ ଓମିକ୍ରନ ରହୁଛି । ଏବେ ଓମିକ୍ରନରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁ ହାର କିନ୍ତୁ ଡେଲଟା, ଆଲଫା ଆଦି ତୁଳନାରେ ଢ଼େର କମ୍‍ ରହୁଛି । ଏମିତିକି ପୂର୍ବରୁ ଉଭୟ ଡୋଜ୍‍ ଟିକା ନେଇଥିବା ଏବଂ ଆଗରୁ କରୋନାରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ବି ଓମିକ୍ରନ ଛାଡୁନାହିଁ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଓମିକ୍ରନ ଦ୍ୱାରା ସଂକ୍ରମିତ ହେବାର ନଜିର ଦେଖାଯାଉଛି ।

କରୋନା ସଂକ୍ରମଣକୁ ଏବେ ଅନେକ ଲୋକ ଅତି ହାଲୁକା ଭାବେ ନେଇ ଏଥିରୁ ବର୍ତ୍ତିବା ପାଇଁ ଥିବା କଟକଣାକୁ ମାନୁ ନ ଥିବା ଭବିଷ୍ୟତରେ ସ୍ଥିତିକୁ ସାଂଘାତିକ କରିପାରେ ବୋଲି ଡଃ ସ୍ୱୟଂପ୍ରକାଶ କହିଛନ୍ତି । ଏ ଦୃଷ୍ଟିରୁ ଭାରତ ବିଶେଷକରି ଓଡ଼ିଶା ପାଇଁ ଆସନ୍ତା ଜାନୁଆରୀ ଓ ଫେବୃୟାରୀରେ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଓମିକ୍ରନ, ଡେଲଟା, ଆଲଫା ସମେତ କରୋନାର ବିଭିନ୍ନ ପ୍ରଜାତି ଦ୍ୱାରା ଯେଉଁ ଲୋକମାନେ ସଂକ୍ରମିତ ହୋଇ କିଛିଦିନର ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି ।

ସେମାନଙ୍କ ମଧ୍ୟରୁ ଅନେକଙ୍କ ଶରୀରରେ କୋଭିଡ ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ ସମସ୍ୟା ଦେଖାଦେଉଛି ଏବଂ କୋଭିଡରୁ ବଞ୍ଚିଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହି ରୋଗୀଙ୍କ ମଧ୍ୟରୁ କେତେକ ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରୁଛନ୍ତି । ବିଭିନ୍ନ ରୋଗକୁ ବଢ଼ାଇ ମଣିଷକୁ ମୃତ୍ୟୁ ମୁଖକୁ ‘ପୋଷ୍ଟ କୋଭିଡ’ ଟାଣି ନେଉଛି ।

ଦେଶ ବିଦେଶର କେତେକ ଟେଲିଭିଜନ ଚ୍ୟାନେଲକୁ ସ୍ୱାତନ୍ତ୍ର ସାକ୍ଷାତକାର ଦେଇ ଏ କ୍ଷେତ୍ରରେ ଉଚ୍ଚତର ଗବେଷଣା କରୁଥିବା ଓଡ଼ିଆ ଯୁବ ବୈଜ୍ଞାନିକ ଡଃ ସ୍ୱୟଂପ୍ରକାଶ କହିଛନ୍ତି ଯେ ୨୦୧୯ ନଭେମ୍ବର ମାସରେ ଚୀନ୍‍ର ଉହାନରେ ଠାବ କରାଯାଇଥିବା କୋଭିଡ ଭୂତାଣୁ ଆମେରିକା ଓ ଭାରତରେ ୨୦୨୦ ଜାନୁଆରୀ ଶେଷ ବେଳକୁ ପହଞ୍ଚିଥିଲା ।

ଇତିମଧ୍ୟରେ ଦୁଇବର୍ଷ ପୂରଣ ହୋଇନଥିଲେ ମଧ୍ୟ ଆମେରିକା, ଭାରତ ସମେତ ବିଶ୍ୱର ୨ଶହରୁ ଅଧିକ ରାଷ୍ଟ୍ରରେ କିଭଳି ଅଧିକରୁ ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ମୃତ୍ୟୁବରଣ କରିଛନ୍ତି ତାହାର ପରିସଂଖ୍ୟାନକୁ ଆଖିଅଗରେ ରଖି ସମସ୍ତେ ଟିକା ନେବା ସହ ମାସ୍କ ପରିଧାନ କରିବା, ହାତ ଧୋଇବା ସଂଗେ ସଂଗେ ସାନିଟାଇଜର ବ୍ୟବହାର କରିବା, ଅଯଥାରେ ଭିଡରେ ଯୋଗ ନ ଦେବା, ପରସ୍ପରଠାରୁ ଦୁରତା ରକ୍ଷା କରିବା ଏବଂ ସର୍ବୋପରି ସାମାଜିକ, ଆଧ୍ୟତ୍ମିକ ଓ ରାଜନୈତିକ ସମାବେଶମାନଙ୍କରୁ ଦୂରେଇ ରହିବା ଆବଶ୍ୟକ ।

କୋଭିଡ ପରିପ୍ରେକ୍ଷୀରେ ଡାକ୍ତରମାନଙ୍କ ପରାମର୍ଶ ନ ନେଇ ମନଇଚ୍ଛା ଔଷଧ ବ୍ୟବହାର ସାଂଘାତିକ କ୍ଷତିକାରକ ବୋଲି ସେ ଚେତାଇ ଦେଇଛନ୍ତି । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଗବେଷଣାରତ ଡଃ ସ୍ୱୟଂପ୍ରକାଶ କୋଭିଡ ଟିକା ବାହାର କରିବା କ୍ଷେତ୍ରରେ ସମର୍ପିତ ଭାବେ କାମ କରିଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ଏକ ଜଣାଶୁଣା ନାମ । ଏବେ ସେ କୋଭିଡ ପରବର୍ତ୍ତୀ ଅବସ୍ଥା ସଂକ୍ରାନ୍ତରେ ଗବେଷଣାରତ । (ତଥ୍ୟ)