Home Administration ଓପିଏସସି କରିବନି ଏଏସ୍‍ଓ ପରୀକ୍ଷା

ଓପିଏସସି କରିବନି ଏଏସ୍‍ଓ ପରୀକ୍ଷା

ଭୁବନେଶ୍ୱର : ଲୋକସେବାଭବନ ଓ ରାଜଭବନ ପାଇଁ ସହକାରୀ ସେକ୍ସନ ଅଫିସର (ଏଏସ୍‍ଓ) ଚୟନ ପରୀକ୍ଷା କରିପାରିବନାହିଁ ବୋଲି ଓଡିଶା ଲୋକସେବା ଆୟୋଗ (ଓପିଏସ୍‍ସି) ରାଜ୍ୟ ସରକାରଙ୍କୁ ଅବଗତ କରିଛି । ଏହି ପରୀକ୍ଷା ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ଜରିଆରେ କରିବାପାଇଁ ଓପିଏସ୍‍ସି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି ।

ଓପିଏସ୍‍ସିର ସଚିବ ରାଜ୍ୟ ଗୃହ ବିଭାଗକୁ ଏ ସଂକ୍ରାନ୍ତରେ ଅବଗତ କରିଛନ୍ତି । ପରୀକ୍ଷା ନକରିବା ନେଇ ଓପିଏସ୍‍ସି ଯୁକ୍ତି ବାଢିଛି ଯେ ଆଗାମୀ ଦିନଗୁଡିକରେ କେଉଁ ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେ ସଂକ୍ରାନ୍ତରେ ଆୟୋଗ ସମୟ ଧାର୍ଯ୍ୟ କରିସାରିଛନ୍ତି । ତେଣୁ ଏଏସ୍‍ଓ ପରୀକ୍ଷାପାଇଁ ଆୟୋଗଙ୍କ ନିକଟରେ ଆଉ ସମୟ ନାହିଁ ।

ଏଥି ସହିତ ଓପିଏସ୍‍ସି ଉଲ୍ଲେଖ କରିଛି ରଯେ ଯେଉଁ କର୍ମଚାରୀଙ୍କ ମୂଳ ଦରମା ୪୬୦୦ ଟଙ୍କା କିମ୍ବା ତଦୁର୍ଦ୍ଧ ଓପିଏସ୍‍ସି କେବଳ ସେହି ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା କରିବ । ଏଏସ୍‍ଓମାନଙ୍କର ମୂଳ ଦରମା ୪୨୦୦ ଟଙ୍କା ହୋଇଥିବାରୁ ଏହାର ନିଯୁକ୍ତି ପରୀକ୍ଷା କରିବା ଓପିଏସ୍‍ସି ପରିଧି ମଧ୍ୟରେ ଆସୁନାହିଁ ।

ସେହିଭଳି ଆୟୋଗ କେତେ ଗୁଡିଏ ପଦବୀରେ ନିଯୁକ୍ତି ପାଇଁ ଅଗ୍ରାଧିକାର ଭିତ୍ତିରେ ପରୀକ୍ଷା କରୁଥିବା ଦର୍ଶାଇଛନ୍ତି । ସେଗୁଡିକ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର, ବିଶ୍ୱବିଦ୍ୟାଳୟର ପ୍ରଫେସର, ଟିଚର ଏଜୁକେଟର ଆଦି ରହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ହାଇସ୍କୁଲରେ ପିଜି ଶିକ୍ଷକ ଓ ପ୍ରଧାନ ଶିକ୍ଷକ ନିଯୁକ୍ତି , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ହୋମିଓପାଥିକ ଓ ଆର‌୍ୟୁବେଦିକ ଡାକ୍ତର ଏବଂ ସାଧାରଣ ପ୍ରଶାସନ ବିଭାଗ ପାଇଁ ଓସିଏସ୍‍-୧୯ ଓ ଓସିଏସ୍‍-୨୦ ପଦବୀ ସକାଶେ ପରୀକ୍ଷା ଆଦି ରହିଛି ।

ତେବେ ବରିଷ୍ଠ ଅଧିକାରୀମାନଙ୍କ କହିବା କଥା ଯେ ଲୋକସେବାଭବନ ଓ ରାଜଭବନରେ ନିଯୁକ୍ତ ହେଉଥିବା ଏଏସ୍‍ଓମାନେ ଏବେ ଦ୍ୱିତୀୟଶ୍ରେଣୀ ପାହ୍ୟାର ଅଧିକାରୀ । ପୂର୍ବରୁ ଓପିଏସସି ଏହି ଦୁଇ ଦପ୍ତରରେ ନିଯୁକ୍ତ ହେବାକୁ ଥିବା ତୃତୀୟଶ୍ରେଣୀ ପାହ୍ୟାର କର୍ମଚାରୀ ଚୟନ ଲାଗି ପରୀକ୍ଷା କରୁଥିଲା । ବର୍ତ୍ତମାନ ଏଏସ୍‍ଓ ପରୀକ୍ଷା ପାଇଁ ମନା କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।

ଆଇନ୍‍ ବିଶେଷଜ୍ଞମାନଙ୍କ ମତରେ ଏଏସ୍‍ଓ ପରୀକ୍ଷା ଷ୍ଟାଫସିଲେକ୍ସନ କମିଶନ ଜରିଆରେ ହୋଇପାରିବ ନାହିଁ । କାରଣ ଏଏସ୍‍ଓ ଚୟନ ପରୀକ୍ଷା କିଏ କରିବ ତାହା ଏଏସ୍‍ଓ ରିକ୍ରୁଟମେଣ୍ଟ ରୁଲ୍‍ରେ ଉଲ୍ଲେଖ ରହିଛି । ଓପିଏସ୍‍ସି ଏହି ପରୀକ୍ଷା କରିବ ବୋଲି ସ୍ପଷ୍ଟ ଉଲ୍ଲେଖ ଥିବାରୁ ଆଇନ୍‍ରେ ସଂଶୋଧନ ନହେଲେ ଅନ୍ୟ ସଂସ୍ଥା ଦ୍ୱାରା ଏହା କରାଯାଇ ପାରିବନାହିଁ । ଏଭଳି ସ୍ଥିତିରେ ରାଜ୍ୟ ସରକାର ଏଏସ୍‍ଓ ପରୀକ୍ଷାପାଇଁ ଓପିଏସ୍‍ସିଙ୍କୁ ଅବଗତ କରିଥିବାବେଳେ ଏହି ପରୀକ୍ଷା କିଭଳି ହେବ ଓ କିଏ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)

LEAVE A REPLY

Please enter your comment!
Please enter your name here