Home Covid ଓଡିଶା ଯୋଗାଇଲାଣି ୧୨୬୮ ଟନ୍‍ ଅକ୍ସିଜେନ୍‍

ଓଡିଶା ଯୋଗାଇଲାଣି ୧୨୬୮ ଟନ୍‍ ଅକ୍ସିଜେନ୍‍

ଭୁବନେଶ୍ୱର : କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୬୭ ଟି ଟ୍ୟାଙ୍କର୍ ଯୋଗେ ୧୨୬୮ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି ।

ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି । ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି ।

ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲାର ସମସ୍ତ ଏସ୍‌ପି/ଡିସିପି/ରେଂଜ ଡିଆଇଜି/ଆଇଜିଏବଂ ପୋଲିସ୍ କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କର୍‌କୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସ୍ଥାନରେ ପହଁଚାଇବାକୁ ରାଜ୍ୟ ପୋଲିସ୍ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି ।