Home Health ଓଡିଶା ଯୋଗାଇଛି ସିଂହଭାଗ ଅକ୍ସିଜେନ

ଓଡିଶା ଯୋଗାଇଛି ସିଂହଭାଗ ଅକ୍ସିଜେନ

ଭୁବନେଶ୍ୱର : କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ସମଗ୍ର ଦେଶରେ ତରଳ ମେଡିକାଲ ଅକ୍ସିଜେନ୍‍ ପାଇଁ ହା ହା କାର ପଡିଥିବାବେଳେ ଓଡିଶାର ଇସ୍ପାତ କମ୍ପାନୀଗୁଡିକ ଆବଶ୍ୟକତାର ସିଂହଭାଗ ପ୍ରାୟ ୪୭,୮୦୦ ମେଟ୍ରିକ ଟନ୍‍ ଅକ୍ସିଜେନ୍‍ ଯୋଗାଇଛନ୍ତି । ଉଭୟ ରାଷ୍ଟ୍ରାୟତ ଓ ଘରୋଇ କ୍ଷେତ୍ରର ଇସ୍ପାତ କମ୍ପାନୀଗୁଡିକ ଆଗକୁ ଆସି ଅଧିକ ଅକ୍ସିଜେନ୍‍ ଉତ୍ପାଦନ ସହିତ ବହୁ ରାଜ୍ୟର ଜରୁରୀ ଚାହିଦା ମେଣ୍ଟାଇ ପାରିଛନ୍ତି ।

ଏପ୍ରିଲ ପହିଲାରୁ ଜୁଲାଇ ୨୫ତାରିଖ ମଧ୍ୟରେ ଦେଶର ସମସ୍ତ ଘରୋଇ ଓ ରାଷ୍ଟ୍ରାୟତ ସଂସ୍ଥାଗୁଡିକ ମିଳିତ ଭାବେ ୨,୩୦,୨୬୨ ମେଟ୍ରିକ ଟନ୍‍ ତରଳ ଅକ୍ସିଜେନ ଯୋଗାଇ ଥିବାବେଳେ ଓଡିଶାର ଇସ୍ପାତ କାରଖାନାଗୁଡିକ କେବଳ ୪୭,୮୦୦ ଟନ୍‍ ଯୋଗାଇଛନ୍ତି । କୋଭିଡ ପ୍ରକୋପ ସହିତ ଗୁରୁତର ରୋଗୀଙ୍କ ପାଇଁ ଅଧିକ ଅକ୍ସିଜେନ୍‍ ଆବଶ୍ୟକ ହେଉଥିବାବେଳେ ରାଉରକେଲା ଇସ୍ପାତ କାରଖାନା ଓ ଏହାର ବିଓଓ ପ୍ଲାଣ୍ଟ ୨୨,୨୪୧ ମେଟ୍ରିକ ଟନ୍‍ ତରଳ ଅକ୍ସିଜେନ୍‍ ଉତ୍ପାଦନ କରିଛି ।

କଳିଙ୍ଗନଗର ଠାରେ ଥିବା ଟାଟା ଷ୍ଟିଲ୍‍ ଏବଂ ଅନୁଗୁଳରେ ଥିବା ଟାଟା ଷ୍ଟିଲ (ବିଏସ୍‍ଏଲ୍‍) ୧୮,୭୬୭ ମେଟ୍ରିକ ଟନ୍‍ ତରଳ ଅକ୍ସିଜେନ୍‍ ଯୋଗାଇଛନ୍ତି । ଯାଜପୁର ଠାରେ ଥିବା ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ୩୧୦୫.୮୮ ମେଟ୍ରିକ ଟନ୍‍ ତରଳ ଅକ୍ସିଜେନ୍‍ ଏହି ସମୟରେ ଯୋଗାଣ କରିଥିବାବେଳେ ଅନୁଗୁଳ ଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‍ପିଏଲ୍‍) ବିଭିନ୍ନ ରାଜ୍ୟକୁ ୨୯୬୩.୩୭ ଟନ୍‍ ଅକ୍ସିଜେନ ଯୋଗାଣ କରିଛି ।

ଝାରସୁଗୁଡା ଠାରେ ଥିବା ଜେଏସଡବ୍ଲ୍ୟୁ (ବିପିଏସଏଲ୍‍) ୭୧୮.୯ ଟନ୍‍ ଅକ୍ସିଜେନ୍‍ ଯୋଗାଣ କରିଛି । ଦ୍ୱିତୀୟ ଲହରର ପିକ୍‍ ସମୟରେ ଇସ୍ପାତ କ୍ଷେତ୍ରଗୁଡିକ ଚାହିଦା ମୁତାବକ ତରଳ ଅକ୍ସିଜେନ୍‍ ଉତ୍ପାଦନ କରିଛନ୍ତି । ଚଳିତ ବର୍ଷ ଏପ୍ରିଲ୍‍ ପହିଲାରେ ୫୩୮ ଟନ୍‍ ଅକ୍ସିଜେନ୍‍ ଯୋଗାଣ ହୋଇଥିବାବେଳେ ମଇ ୧୩ ତାରିଖରେ ଏହାର ପରିମାଣ ୪୭୪୯ ମେଟ୍ରିକ ଟନ୍‍ ଥିଲା । ସ୍ଥିତିର ଗମ୍ଭୀରତାକୁ ଦେଖି ଇସ୍ପାତ କାରଖାନାଗୁଡିକ ଅଧିକ ତରଳ ଅକ୍ସିଜେନ୍‍ ଉତ୍ପାଦନ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ । କାରଖାନାଗୁଡିକ ତରଳ ନାଇଟ୍ରୋଜେନ ଓ ଆରଗନ୍‍ ଉତ୍ପାଦନ ହ୍ରାସ କରିବା ଫଳରେ ଇସ୍ପାତ ଉତ୍ପାଦନ ହ୍ରାସ ପାଇଥିଲା ।

ତରଳ ଅକ୍ସିଜେନ୍‍ ଉତ୍ପାଦନ ପାଇଁ ଇସ୍ପାତ କାରଖାନାଗୁଡିକର ଇସ୍ପାତ ଉତ୍ପାଦନ ପରିମାଣ ଚଳିତ ବର୍ଷ ଏପ୍ରିଲ୍‍ ରୁ ଜୁନ୍‍ମାସ ମଧ୍ୟରେ ୫ଲକ୍ଷ ଟନ୍‍ ହ୍ରାସ ପାଇଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆରସିପି ସିଂହ ଲୋକସଭାରେ ଏକ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି । ଇସ୍ପାତ କାରଖାନାରୁ ଉତ୍ପାଦିତ ତରଳ ଅକ୍ସିଜେନ୍‍ ଦେଶର ୨୨ଟି ରାଜ୍ୟକୁ ଉଭୟ ସଡକ, ରେଳ ଓ ଆକାଶପଥରେ ଯୋଗାଇ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ଓଡିଶା ସରକାର ଅକ୍ସିଜେନ୍‍ ଯୋଗାଣ ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ଗଠନ କରିଥିବାବେଳେ ଏହି ଟାସ୍କଫୋର୍ସ ବିନା ବାଧାରେ କିଭଳି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅକ୍ସିଜେନ ଯୋଗାଣ ହେବ ସେ ଦିଗରେ ପଦକ୍ଷେପ ନେଇଥିଲା ।

ଏହି ସମୟରେ ଓଡିଶାରେ ୧୨,୭୫୦ ଟନ୍‍ ଅକ୍ସିଜେନ୍‍ ବ୍ୟବହାର ହୋଇଥିବାବେଳେ ଅନ୍ୟ ରାଜ୍ୟକୁ ବହୁ ପରିମାଣରେ ଯୋଗାଣ ହୋଇଥିଲା । ଟାସ୍କଫୋର୍ସର ମୁଖ୍ୟ ଅସିତ ତ୍ରିପାଠୀ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଓଡିଶା ପୁଲିସ୍‍ ଟିମର ନେତୃତ୍ୱ ନେଉଥିବା ଏସ.କେ.ଜେଠୱାଙ୍କ ଠିକଣା ପଦକ୍ଷେପ ଯୋଗୁଁ ଅକ୍ସିଜେନ ଯୋଗାଣ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଶଂସିତ ହୋଇପାରିଥିଲା । (ତଥ୍ୟ)