Home Finance ଓଡିଶା ପ୍ରତି ନିବେଶକାରୀ ଆକୃଷ୍ଟ

ଓଡିଶା ପ୍ରତି ନିବେଶକାରୀ ଆକୃଷ୍ଟ

ରାଜ୍ୟର ଶିଳ୍ପ ଅର୍ଥନୀତି ଦ୍ରୁତ ଗତିରେ ପୂର୍ବାବସ୍ଥାକୁ ଫେରୁଥିବାବେଳେ ରାଜ୍ୟ ଏବେ ବିଭିନ୍ନ ନିବେଶକାରୀମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛି । କେନ୍ଦ୍ର ବର୍ହି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଓଡିଶାରେ ପୁଞ୍ଜିନିବେଶ, ରପ୍ତାନି, ପର୍ଯ୍ୟଟନ ସହିତ ଅନ୍ୟାନ୍ୟ କ୍ଷେତ୍ରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ।

ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ନିୟମିତ ଭାବେ କେନ୍ଦ୍ର ସରକାର, ନିବେଶକାରୀ ଏବଂ କର୍ପୋରେଟ କ୍ଷେତ୍ର ସହିତ ଯୋଗାଯୋଗରେ ରହିବା ସହିତ ବର୍ହି ବ୍ୟାପାର ମନ୍ତ୍ରାଳୟ ସହିତ ମଧ୍ୟ ସମ୍ପର୍କରେ ଅଛନ୍ତି । ଶିଳ୍ପ ସଚିବ ତଥା ଇପିକଲର ଅଧ୍ୟକ୍ଷ ଶ୍ରୀ ଶର୍ମା ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ଏନ୍‍.ବି.ଜାୱେଲ ବର୍ହି ବ୍ୟାପାର ମନ୍ତ୍ରାଳୟର ଷ୍ଟେଟ ଡିଭିଜନ ସହିତ ସମ୍ପର୍କରେ ରହିଛନ୍ତି ଯାହାକି ରାଜ୍ୟରେ ସିଧାସଳଖ ବିଦେଶୀ ପୁଞ୍ଜି ନିବେଶ, ଆର୍ନ୍ତଜାତୀୟ ସମନ୍ୱୟ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ସହାୟତା କରିଥାଏ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ନୀତି ଜରିଆରେ ସିଧାସଳଖ ବୈଦେଶିକ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦେଉଥିବାବେଳେ ଏହାକୁ ବର୍ହି ବ୍ୟାପାର ମନ୍ତ୍ରାଳୟର ଷ୍ଟେଟ ଡିଭିଜନ କାର୍ଯ୍ୟକାରୀ କରୁଛି । ଓଡିଶା ଏବେ ନିବେଶକାରୀଙ୍କ ପାଇଁ ପ୍ରକୃଷ୍ଟ କ୍ଷେତ୍ର ପାଲଟିଛି । ଚଳିତମାସ ଫେବୃୟାରୀରୁ ବର୍ତ୍ତମାନ ସୁଦ୍ଧା ୧,୧୭,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିଥିବାବେଳେ ଏହାଦ୍ୱାରା ୫୩ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅଧିକାରୀଙ୍କ ମତରେ ଏହା ବାଦ୍‍ ରାଜ୍ୟରେ ଏବେ ୩,୨୩,୦୦୦ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହି ସମସ୍ତ ଶିଳ୍ପ ପ୍ରକଳ୍ପ ଗୁଡିକ ରାଜ୍ୟରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ବର୍ହି ବ୍ୟାପାର ମନ୍ତ୍ରାଳୟର ଷ୍ଟେଟ ଡିଭିଜନ ଓଡିଶା ସମେତ ବିଭିନ୍ନ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବାବେଳେ ନିୟମିତ ସମନ୍ୱୟ ରକ୍ଷା ପାଇଁ ‘ମିଟ୍‍ ଦ ଷ୍ଟେଟ’ ପ୍ଲାଟଫର୍ମ ପ୍ରସ୍ତୁତ ହୋଇଛି । ଏହା ମାଧ୍ୟରେ ରାଜ୍ୟ ସରକାର ଏବଂ ବିଭିନ୍ନ ବିଦେଶ କୁଟନୈତିକ ମିଶନ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପାରିବ । ନିକଟରେ ଓଡିଶା ସରକାର ଭାରତରେ ଥିବା ଜାପାନର ରାଷ୍ଟ୍ରଦୂତ ଏବଂ ଶିଳ୍ପ ପ୍ରତିନିଧିଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ ନେଇ ଆଲୋଚନା କରିଥିଲେ । ଅନ୍ୟ ରାଷ୍ଟ୍ର ଯଥା ଜର୍ମାନ, ତାଇୱାନ ଆଦି ଏ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିଛନ୍ତି ।

ବିଦେଶରେ ଥିବା ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ସଂଖ୍ୟାଧିକ ବିଦେଶ ସେବାର ଅଫିସର ଯେଉଁମାନେ କି ଓଡିଶାର ମୂଳବାସିନ୍ଦା ସେମାନଙ୍କ ଲାଗି ରପ୍ତାନି, ପୁଞ୍ଜିନିବେଶ ଆଦି କ୍ଷେତ୍ରରେ ରାଜ୍ୟକୁ ସହାୟତା କରିବାପାଇଁ ବର୍ହି ବ୍ୟାପାର ମନ୍ତ୍ରାଳୟ ବାଧ୍ୟତାମୂଳକ କରିଛି । ଇତି ମଧ୍ୟରେ କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ରାଜ୍ୟ ଶିଳ୍ପ ବିଭାଗ ସହିତ ପୁଞ୍ଜିନିବେଶ ଓ ଶିଳ୍ପ ପ୍ରତିଷ୍ଠା ନେଇ ପକ୍ଷେପ ନିଆଯାଉଛି ।

କୋଭିଡ-୧୯ ମହାମାରୀ ସମୟରେ ରାଜ୍ୟମାନଙ୍କରେ ଯେଭଳି ଅଧିକରୁ ଅଧିକ ପୁଞ୍ଜିନିବେଶ ହେବ ସେ ଦିଗରେ ଡିପିଆଇଆଇଟି ଅଧିକ ସକ୍ରିୟ ହୋଇପଡିଛି । ବିଭାଗର ସଚିବ ଗୁରୁପ୍ରସାଦ ମହାପାତ୍ର ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଶିଳ୍ପ ସଚିବ ଶ୍ରୀ ଶର୍ମାଙ୍କ ସହିତ ସମ୍ପର୍କରେ ଅଛନ୍ତି । ପୁଞ୍ଜିନିବେଶ ମାଧ୍ୟମରେ କୋଭିଡ ସମୟରେ ଆର୍ଥିକ ବିକାଶ ଯେଭଳି ପୂର୍ବାବସ୍ଥାକୁ ଫେରିବ ସେଥିପାଇଁ କେନ୍ଦ୍ର ସରକାର ସମନ୍ୱୟ ରକ୍ଷା କରୁଥିବାବେଳେ ରାଜ୍ୟ ସରକାରଙ୍କ ମଧ୍ୟ ଏଥିପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ।  

LEAVE A REPLY

Please enter your comment!
Please enter your name here