Home News in Odia ଓଡିଶା ପର୍ଯ୍ୟଟନ ପାଇଁ ୧୨୭କୋଟି ମଞ୍ଜୁର

ଓଡିଶା ପର୍ଯ୍ୟଟନ ପାଇଁ ୧୨୭କୋଟି ମଞ୍ଜୁର

ଭୁବନେଶ୍ୱର : ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପ୍ରାୟ ୧୨୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବିଜେଡି ସାଂସଦ ମମତା ମୋହାନ୍ତଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନରେଡ୍ଡୀ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ଉପକୂଳ ପର୍ଯ୍ୟଟନ ବିଶେଷକରି ଗୋପାଳପୁର, ବରକୁଳ, ସାତପଡା ଓ ଟାମ୍ପରାର ବିକାଶ ପାଇଁ ୭୦.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସ୍ୱଦେଶ ଦର୍ଶନ ଯୋଜନା ଅଧିନରେ ଏହି ପାଣ୍ଠି ଯୋଗାଇ ଦିଆଯିବ । ଅନୁରୂପ ଭାବେ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ପୁରୀ ଶ୍ରୀଜଗନ୍ନାଥ ଧାମ ଏବଂ ରାମଚଣ୍ଡି ଠାରେ ଭିତ୍ତିଭୂମି ବିକାଶ ଲାଗି ୫୦କୋଟି ଟଙ୍କା ମଞ୍ଜୁର କରାଯାଇଛି । ଦେଉଳି ମେଗା ସର୍କିଟ ଠାରେ ପ୍ରାଚୀ ନଦୀ ମୁହାଣର ବିକାଶ କାର୍ଯ୍ୟ ହେବ ।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଏହାର ସ୍ୱଦେଶ ଦର୍ଶନ ଯୋଜନା ଏବଂ ପ୍ରସାଦ ଯୋଜନା ଅଧିନରେ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡିକୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଏହି ପାଣ୍ଠି ଜରିଆରେ ରାଜ୍ୟରେ ଥିବା ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରାଯିବ । ରାଜ୍ୟ ସରକାରଙ୍କ ସହ ପରାମର୍ଶ ପରେ ଏହି ଯୋଜନାରେ ହେବାକୁ ଥିବା ବିକାଶ କାର୍ଯ୍ୟଗୁଡିକୁ ଚିହ୍ନଟ କରାଯିବ ଏବଂ ଉପଯୁକ୍ତ ପ୍ରକଳ୍ପ ରିପୋର୍ଟ, ଯୋଜନାର ମାର୍ଗଦର୍ଶିକା ଏବଂ ପାଣ୍ଠି ପରିମାଣକୁ ଦେଖି ଅର୍ଥ ମଞ୍ଜୁର ହେବ । ବିକାଶ ହେବାକୁ ଥିବା ପର୍ଯ୍ୟଟନସ୍ଥଳୀଗୁଡିକୁ ଚିହ୍ନଟ କରିବାର ପ୍ରାଥମିକ ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର ।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଆହୁରି ମଧ୍ୟ ପୁରୀ ରେଳ ଷ୍ଟେସନର ବିକାଶ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଏହି ଯୋଜନାରେ ପର୍ଯ୍ୟଟନ ମନ୍ତ୍ରାଳୟ ଓ ରେଳବାଇ ୫୦:୫୦ ଅନୁପାତରେ ଅର୍ଥ ଯୋଗାଇବେ । ସାଂସଦ ଶ୍ରୀମତୀ ମୋହାନ୍ତ ଜାଣିବାକୁ ଚାହିଁଥିଲେ ଯେ ମୟୁରଭଞ୍ଜ ଜିଲ୍ଲା ସମେତ ଓଡିଶାର ଅନ୍ୟ ଜିଲ୍ଲା ଗୁଡିକରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ଅଛି କି ? ତେବେ ଏଥିପାଇଁ କୌଣସି ଅର୍ଥ ମଞ୍ଜୁର ହୋଇନଥିବା ସରକାରୀ ସୂତ୍ରରୁ ପ୍ରକାଶ । (ତଥ୍ୟ)