Home Agriculture ଓଡିଶା ଦୁଗ୍ଧ ଉପରେ ନଜର

ଓଡିଶା ଦୁଗ୍ଧ ଉପରେ ନଜର

ଭୁବନେଶ୍ୱର : ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଉଥିବାବେଳେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ବ୍ୟବସାୟୀ କରୁଥିବା ରାଜ୍ୟ ବାହାରର କମ୍ପାନୀମାନଙ୍କ ନଜର ଏବେ ଓଡିଶା ଉପରେ । ଓମ୍‍ଫେଡ୍‍ ସହିତ ଓଡିଶା ଭିତରେ ଥିବା ୩/୪ଟି ସଂସ୍ଥା ଦୁଗ୍ଧ ସଂଗ୍ରହ କରୁଥିବାବେଳେ ନିକଟରେ ଦେଶର ସର୍ବବୃହତ୍‍ ଦୁଗ୍ଧ ସମବାୟ ସଂସ୍ଥା ଅମୁଲ ମଧ୍ୟ ଓଡିଶାର ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ ଆରମ୍ଭ କରିଛି ।

ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ରେକର୍ଡ ପରିମାଣରେ ହେଉଛି । ୨୦୦୦ ମସିହାରେ ରାଜ୍ୟରୁ ବାର୍ଷିକ ଦୁଗ୍ଧ ଉତ୍ପାଦନ ମାତ୍ର ୮ଲକ୍ଷ ୪୭ହଜାର ମେଟ୍ରିକ ଟନ୍‍ ଥିବାବେଳେ ବର୍ତ୍ତମାନ ଏହା ବାର୍ଷିକ ୨୫ଲକ୍ଷ ମେଟ୍ରିକ ଟନ୍‍ରେ ପହଞ୍ଚିଲାଣି । ସେହିଭଳି ଦୈନିକ ଦୁଗ୍ଧ ଉତ୍ପାଦନ ୨୩ଲକ୍ଷ ଲିଟରରୁ ବୃଦ୍ଧି ପାଇ ଏବେ ୬୫ଲକ୍ଷ ଲିଟରରେ ପହଞ୍ଚି ପାରିଛି ।

ତେବେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଏହି ବ୍ୟବସାୟରେ ଜଡିତ କମ୍ପାନୀ ସଂଖ୍ୟା ବି ବଢିଛି । ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଓମ୍‍ଫେଡ୍‍ ଚାଷୀଙ୍କ ଠାରୁ ସର୍ବାଧିକ ଦୁଗ୍ଧ ସଂଗ୍ରହ କରୁଥିବାବେଳେ ଆଉ କିଛି ଘରୋଇ ସଂସ୍ଥା ବି ଚାଷୀଙ୍କ ଠାରୁ ଦୁଗ୍ଧ ଉଠାଉଛନ୍ତି । ଏଥିପାଇଁ ଗତ କିଛିଦିନ ଧରି ଓମ୍‍ଫେଡ୍‍ କଡା ମୁକାବିଲାର ସମ୍ମୁଖୀନ ହୋଇଛି । ବିଶେଷକରି ଓମ୍‍ଫେଡ୍‍ ଦୁଗ୍ଧ ସଂଗ୍ରହକାରୀମାନଙ୍କୁ ଯେତିକି କମିଶନି ଦେଉଛି ଘରୋଇ ସଂସ୍ଥାମାନେ ତାହାଠାରୁ ପ୍ରାୟ ୧୦ଗୁଣ ଅଧିକ ଅର୍ଥ ପ୍ରଦାନ କରୁଛନ୍ତି । ଫଳରେ ଅନେକ ସ୍ଥାନରେ ଓମ୍‍ଫେଡ୍‍ ସଂସ୍ଥାର କର୍ମଚାରୀମାନେ ନିଜ ସମ୍ପର୍କୀୟଙ୍କ ନାମରେ ଘରୋଇ ସଂସ୍ଥାର ଦୁଗ୍ଧ ସଂଗ୍ରହ ଚଳାଇଛନ୍ତି ।

ତେବେ ଏବେ ଉଭୟ ଓମ୍‍ଫେଡ୍‍ ଓ ଅନ୍ୟ ଘରୋଇ ସଂସ୍ଥାପାଇଁ ପ୍ରତିଦ୍ୱନ୍ଦି ଭାବେ ଉଭା ହୋଇଛି ଅମୁଲ । ଗୁଜୁରାଟର ଏହି ଦୁଗ୍ଧ ସମବାୟ ସଂସ୍ଥା ପୂର୍ବରୁ ଓଡିଶାରେ ତାହାର ଦୁଗ୍ଧଜାତ ସାମଗ୍ରୀର ବ୍ୟବସାୟ ଚଳାଇଥିବାବେଳେ ଏବେ ସିଧାସଳଖ ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ ଆରମ୍ଭ କରିଛି । ଅମୁଲ ଏବେ ଅଧିକ ଦୁଗ୍ଧ ଉତ୍ପାଦନ କରୁଥିବା ଉପକୂୂଳବର୍ତ୍ତୀ ଜିଲ୍ଲାଗୁଡିକ ଉପରେ ନଜର ପକାଇଛି । ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକୃତ ପ୍ରକ୍ରିୟାରେ ଦୁଗ୍ଧର ମାନ ଓ ଅନ୍ୟାନ୍ୟ ପରୀକ୍ଷା କରୁଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଏହାବାଦ୍‍ ପଡୋଶୀ ରାଜ୍ୟର କିଛି ସଂସ୍ଥାବି ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାରୁ ଦୁଗ୍ଧ ସଂଗ୍ରହ କରୁଛନ୍ତି ।

ଅମୁଲ ଏବେ ସରକାରୀ ସଂସ୍ଥା ଓମ୍‍ଫେଡ୍‍ ପାଇଁ ସବୁଠାରୁ ବଡ ପ୍ରତିଦ୍ୱନ୍ଦୀ ହୋଇଥିବାବେଳେ ଏହାର ମୁକାବିଲା ପାଇଁ ଓମ୍‍ଫେଡ୍‍ର ସେଭଳି କିଛି ଯୋଜନା ଥିବା ଲକ୍ଷ୍ୟ କରାଯାଉନାହିଁ । ଏହି ସରକାରୀ ସଂସ୍ଥା ଦୁଗ୍ଧ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କର୍ମୀଙ୍କୁ ଠିକଣା ସମୟରେ କମିଶନ ପ୍ରଦାନ କରୁନଥିବାବେଳେ ଚାଷୀଙ୍କ ପାଇଁ ସେଭଳି ଆକର୍ଷଣୀୟ ଯୋଜନା କରୁନାହିଁ କି ନିଜ ଉତ୍ପାଦିତ ସାମଗ୍ରୀକୁ ଠିକଣା ଭାବେ ବିକ୍ରି କରୁନାହିଁ । ଖୋଦ୍‍ ରାଜଧାନୀରେ ବହୁ ଆଡମ୍ବରରେ ଖୋଲିଥିବା ଓମ୍‍ଫେଡ୍‍ର ଅତ୍ୟାଧୁନିକ ପାର୍ଲରକୁ ବି କର୍ତ୍ତୃପକ୍ଷ ଚଳାଇ ନପାରି ତାହାକୁ ଭଡାରେ ଦେଇଦେଇଛନ୍ତି । ସେଠାରେ ଏବେ ଦୁଗ୍ଧଜାତ ସାମଗ୍ରୀ କମ୍‍ ଚାଉଳ, ଛତୁଆ ଅଧିକ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here