Home General ଓଡିଶା ଚାଷୀଙ୍କୁ ୬୯୫୬ କୋଟି

ଓଡିଶା ଚାଷୀଙ୍କୁ ୬୯୫୬ କୋଟି

ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‍ କିଷାନ) ଯୋଜନାରେ କେନ୍ଦ୍ର ସରକାର ଓଡିଶାର ଚାଷୀମାନଙ୍କୁ ୬୯୫୬.୬୮ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀ ଚାଷୀ ପରିବାରକୁ ବାର୍ଷିକ ୬୦୦୦ ଟଙ୍କା ମିଳୁଥିବାବେଳେ ଏହି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ୍‍ ଆକାଉଣ୍ଟକୁ ପ୍ରତି ଚାରିମାସରେ ଥରେ ୨୦୦୦ ଟଙ୍କା କରି ପଠାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୯-୨୦ ବର୍ଷରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପିଏମ୍‍-କିଷାନ ଯୋଜନାରେ ୧୯୧୨.୯୪ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୦୨୦-୨୧ ବର୍ଷରେ ଚାଷୀମାନେ ୧୯୬୮.୪୭ କୋଟି ଟଙ୍କା ପାଇଛନ୍ତି । ସେହିଭଳି ୨୦୨୧-୨୨ ବର୍ଷରେ କେନ୍ଦ୍ର ସରକାର ଏହି ଯୋଜନାରେ ଓଡିଶାର ଚାଷୀଙ୍କୁ ୧୯୯୪.୩୨ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ହିତାଧିକାରୀମାନେ ୧୦୮୦.୯୪ କୋଟି ଟଙ୍କା ପାଇସାରିଲେଣି । ତେଣୁ ମୋଟାମୋଟି ଭାବେ ରାଜ୍ୟର ଚାଷୀମାନଙ୍କ ବ୍ୟାଙ୍କ୍‍ ଖାତାକୁ ଏହି ଯୋଜନାରେ ମୋଟ୍‍ ୬୯୫୬,୬୮,୬୨,୦୦୦ ଟଙ୍କା ଆସିଛି ।

ଉଲ୍ଲେଖନୀୟ ଯେ ଓଡିଶା ସରକାର ୨୦୧୮ ମସିହାରେ କାଳିଆ ଯୋଜନା ଆରମ୍ଭ କରିବାପରେ କେନ୍ଦ୍ର ସରକାର ପିଏମ-କିଷାନ ଯୋଜନା କାର୍ଯ୍ୟକାରୀ କରିଥିଲେ । ବର୍ତ୍ତମାନ ସୁଦ୍ଧା କାଳିଆ ଯୋଜନାରେ ରାଜ୍ୟର ୪୧,୦୮,୯୫୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୮,୬୯,୫୨୯ ଜଣ ଭୂମିହୀନ ଚାଷୀ ସାମିଲ ହୋଇଛନ୍ତି ।

ରାଜ୍ୟ ସରକାର କାଳିଆ ଯୋଜନାରେ ଉଭୟ ଖରିଫ ଓ ରବି ଚାଷୀ ପାଇଁ ୫୦୦୦ ଟଙ୍କା କରି ବର୍ଷକୁ ମୋଟ୍‍ ୧୦ହଜାର ଟଙ୍କା ଯୋଗାଇ ଦେଉଥିଲେ । ସେହିଭଳି ଭୂମିହୀନ କୃଷକମାନଙ୍କୁ ବାର୍ଷିକ ୧୨,୫୦୦ ଟଙ୍କା କରି ପ୍ରଦାନ କରାଯାଇଥିଲା । ତେବେ କେନ୍ଦ୍ର ସରକାର ପିଏମ୍‍ କିଷାନ ଯୋଜନା କାର୍ଯ୍ୟକାରୀ କରିବାପରେ କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚାଷୀମାନେ ଦୁଇଟି କିସ୍ତିରେ ବର୍ଷକୁ ୪୦୦୦ ଟଙ୍କା ପାଉଛନ୍ତି । ଖରିଫ ଓ ରବି ଫସଲ ପ୍ରତ୍ୟେକ ପାଇଁ ୨୦୦୦ ଟଙ୍କା କରି ପ୍ରଦାନ କରାଯାଉଛି ।

ଏହାବାଦ୍‍ ରାଜ୍ୟ ସରକାର ୨୦୨୧-୨୨ ବର୍ଷରେ କାଳିଆ ଯୋଜନା ଅଧିନରେ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ଆକାରରେ ୧.୨୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏଥିରେ ବିଭିନ୍ନ ଜିଲ୍ଲାର ୭୬୫ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ଜଣାଯାଇଛି । (ତଥ୍ୟ)