Home General ଓଡିଶାର ଖାଦ୍ୟ ସୁରକ୍ଷା ମଡେଲ ଅନୁକରଣୀୟ

ଓଡିଶାର ଖାଦ୍ୟ ସୁରକ୍ଷା ମଡେଲ ଅନୁକରଣୀୟ

ଭୁବନେଶ୍ୱର : ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶା ଏକ ନମ୍ବର ସ୍ଥାନ ହାସଲକରିଛି । ଏହା ପଛକୁ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଭଳି ରାଜ୍ୟ ଅଛନ୍ତି । ଓଡିଶାର ଖାଦ୍ୟ ସୁରକ୍ଷା ମଡେଲକୁ ଆପଣେଇବାକୁ ବିଶ୍ୱର ବିଭିନ୍ନ ଦେଶ ଆଗ୍ରହୀ ଥିବା ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ଆଜି ପ୍ରଶ୍ନକାଳରେ ବିଧାୟକ ମକରନ୍ଦ ମୁଦୁଲିଙ୍କ ମୂଳ ପ୍ରଶ୍ନ ଓ ବିଧାୟକ ପଦ୍ମନାଭ ବେହେରା, ବିଷ୍ଣୁ ସେଠୀ ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଅତରିକ୍ତ ପ୍ରଶ୍ନର ଉତ୍ତରରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ ୨୦୨୧ ମସିହା ଜୁଲାଇ ୨୯ ତାରିଖ ଠାରୁ ରାଜ୍ୟରେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହା ମାଧ୍ୟମରେ ୧୦,୫୭୮ ଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୧,୧୦,୦୦୦ ପରିବାର ଉପକୃତ ହେଉଛନ୍ତି । ସେହଭଳି ୫୩୩ ଆନ୍ତଃରାଜ୍ୟ ହିତାଧିକାରୀ ଯୋଜନାରୁ ସୁଫଳ ପାଉଛନ୍ତି ।

ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୯୫ ଲକ୍ଷ ୭୪ହଜାର ୬୭୫ ଟି ପରିବାରର ୩,୩୩,୨୭,୨୫୫ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି । ଏଥି ମଧ୍ୟରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨,୬୧,୨୨୭ ଟି ପରିବାରର ୮,୦୮,୮୦୦ ଜଣ ଯୋଗ୍ୟ ହିତାଧିକାରୀ ରହିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରେ ସର୍ବାଧିକ ୩.୨୬ କୋଟି ଲୋକଙ୍କୁ ସାମିଲ ପାଇଁ କେନ୍ଦ୍ର ସରକାର ସୀମା ଧାର୍ଯ୍ୟ କରିଛନ୍ତି ।

ଓଡିଶାରେ ଲୋକଙ୍କ ଆବଶ୍ୟକତାକୁ ଦେଖି ଏହି ସୀମା ବଢାଇବାପାଇଁ ରାଜ୍ୟ ସରକାର ବାରମ୍ବାର ଅନୁରୋଧ କଲେ ମଧ୍ୟ ଏହି ସୀମା ବଢୁନାହିଁ । ଫଳରେ ଓଡିଶା ସରକାର ରାଜ୍ୟ ଖାଦ୍ୟ ଯୋଜନା କାର୍ଯ୍ୟକାରୀ କରି ଅଧିକ ଲୋକଙ୍କୁ ଏଥିରେ ଅର୍ନ୍ତଭୁକ୍ତ କରିଛନ୍ତି । ଯେଉଁ ହିତାଧିକାରୀମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ ଆବେଦନ କରି ଅପେକ୍ଷା କରିଛନ୍ତି ସେମାନଙ୍କ ସଂକ୍ରାନ୍ତରେ ତୁରନ୍ତ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିଭଳି ମନ୍ତ୍ରୀ କହିଥିଲେ ଯେ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି । ଏହା ପଛକୁ ଯଥାକ୍ରମେ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଆଦି ରାଜ୍ୟ ରହିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳା ଏସ୍‍ଏଜଜି ମାନଙ୍କୁ ସାମିଲ, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଠିକଣା ଭାବେ ଖାଦ୍ୟ ଯୋଗାଣ ଭଳି ୧୨ଟି ମାନଦଣ୍ଡରେ ଓଡିଶା ଉନ୍ନତ ପ୍ରଦର୍ଶନ କରିଥିବାରୁ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମନ୍ତ୍ରୀ ଦର୍ଶାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ରୋମ୍‍ ଗସ୍ତ ସମୟରେ ଅନେକ ରାଷ୍ଟ୍ର ଓଡିଶାର ଏହି ସଫଳ ମଡେଲକୁ ଆପଣେଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଯାହାକି ରାଜ୍ୟପାଇଁ ଗର୍ବ ଓ ଗୌରବର ବିଷୟ ।