Home Environment ଓଡିଶାର କଇଁଚ୍ଛ ସୁରକ୍ଷା ମଡେଲ୍‌ ଶ୍ରେଷ୍ଠ

ଓଡିଶାର କଇଁଚ୍ଛ ସୁରକ୍ଷା ମଡେଲ୍‌ ଶ୍ରେଷ୍ଠ

ଭୁବନେଶ୍ୱର : ଅଲିଭ ରିଡ୍‌ଲେ କଇଁଚ୍ଛଙ୍କ ସୁରକ୍ଷା, ପ୍ରଜନନ ଏବଂ ବଂଶବୃଦ୍ଧି ନିମନ୍ତେ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ସମନ୍ୱିତ ମୋଡେଲ୍‌ ସର୍ବଶ୍ରେଷ୍ଠ ପ୍ରାମାଣିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଉଚ୍ଚ କ୍ଷମତା ସଂପନ୍ନ କମିଟି ବୈଠକରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଏହା ପ୍ରକାଶ କରିଛନ୍ତି ।

ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ର ବୈଜ୍ଞାନିକ ଡଃ ଶିବ କୁମାର ଏବଂ ବିଶେଷଜ୍ଞ ଡଃ ପ୍ରିୟମ୍ବଦା ମହାନ୍ତି(ହେଜମାଦି) କହିଥିଲେ ଯେ ପ୍ରକୃତିର ଏହି ବିପଦଗ୍ରସ୍ତ ସାମୁଦ୍ରିକ ପ୍ରାଣୀର ସଂରକ୍ଷଣ ଓ ବୃଦ୍ଧି ଦିଗରେ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ଓଡ଼ିଶାର ଆନ୍ତଃବିଭାଗୀୟ ଟିମ୍‌ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କ ସହ ସମନ୍ୱିତ ସୁରକ୍ଷା ମୋଡେଲ୍‌ ଆନ୍ତର୍ଜାତିକ ସ୍ତରରେ ବେଶ୍‌ ପ୍ରଶଂସିତ ହୋଇଛି ।

ପ୍ରକୃତିର ଏହି ଅମୂଲ୍ୟ ସଂପତ୍ତିର ସଂରକ୍ଷଣ ନିମନ୍ତେ କ୍ଷେତ୍ରସ୍ତରରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ, ମତ୍ସ୍ୟ ଓ ପଶୁସଂପଦ ବିଭାଗ, ପୋଲିସ୍‌, ସମୁଦ୍ରତଟ ପୋଲିସ୍, ତଟ ସୁରକ୍ଷା ବାହିନୀ, ସଂପୃକ୍ତ ଜିଲ୍ଲା ପ୍ରଶାସନ ଏବଂ ବନ୍ଦର କର୍ତ୍ତୁପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ସାମିଲ୍‌ କରି ସଚେତନତା ଓ ସୁରକ୍ଷା କାର୍ଯ୍ୟକ୍ରମକୁ ଏକ ଲୋକ-ଅଭିଯାନର ରୂପଦେବା ସହ ଏ କ୍ଷେତ୍ରରେ ଓଡ଼ିଶାର ପରିଚୟକୁ ଅଧିକ ଜାଜୁଲ୍ୟମାନ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା କଇଁଚ୍ଛ ସଂରକ୍ଷଣ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଡଃ ଶର୍ମା କହିଥିଲେ ଯେ ଚଳିତ ବର୍ଷ ସଂରକ୍ଷଣ କାର୍ଯ୍ୟ ନିମନ୍ତେ ଭଦ୍ରକ, ରାଜନଗର, ପୁରୀ ଏବଂ ବ୍ରହ୍ମପୁର ଆଦି ୪ଟି ବନ୍ୟଜନ୍ତୁ ବନଖଣ୍ଡମାନଙ୍କୁ ସମୁଦାୟ ୫ଟି ତୀବ୍ରଗତି ସଂପନ୍ନ ବୋଟ୍‌ ସହ ୧୩ ଟି ଟ୍ରଲର ଏବଂ ସହାୟକ ବୋଟ୍‌ ଯୋଗାଇ ଦିଆଯାଇଛି । ସମୁଦ୍ର ମଧ୍ୟରେ ପେଟ୍ରୋଲିଂକୁ ଅଧିକ ସକ୍ରିୟ ଓ ଫଳପ୍ରସୁ କରିବାରେ ଏହା ଅନେକ ସହାୟକ ହେବ । 

ପ୍ରଧାନ ବନ ସଂରକ୍ଷକ (ବନ୍ୟଜନ୍ତୁ) ଶଶି ପଲ୍‌ ଜଣାଇଥିଲେ ଯେ ଗତବର୍ଷ ଗହିରମଥା ଉପକୂଳରେ ପ୍ରାୟ ୩.୫ଲକ୍ଷ କଇଁଚ୍ଛ ଅଣ୍ଡାଦେଇଥିଲେ । ଏହି ଉପକୂଳରେ ମାର୍ଚ୍ଚ ୧୦ ରୁ ମାର୍ଚ୍ଚ ୨୪ ତାରିଖ ମଧ୍ୟରେ ସାମୂହିକ ଅଣ୍ଡାଦାନ ହୋଇଥିଲା । ପ୍ରବର୍ତ୍ତନ କାର୍ଯ୍ୟରେ ୩୮  ଟି ଟ୍ରଲର୍‌ ସିଜ୍‌ ସହ ୨୦୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା ।

ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଶାସନ ସଚିବ ଆର୍‌.ରଘୁ ପ୍ରସାଦ କହିଥିଲେ ଯେ ଇତି ମଧ୍ୟରେ ମତ୍ସ୍ୟଜିବୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ନିମନ୍ତେ ଏକ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି । ଏହି ଆପ୍‌ ମାଧ୍ୟମରେ ମତ୍ସ୍ୟଜିବୀମାନେ ମାଛମରା ନିଷିଦ୍ଧ ଅଂଚଳର ସୀମା ଦେଖି ପାରିବେ । ନିଷିଦ୍ଧ ଅଂଚଳକୁ ପଶିବା ସଂଗେ ସଂଗେ ସେମାନେ ଗୋଟିଏ ଆଲର୍ଟ ମେସେଜ୍‌ ପାଇବେ । ଏହି ଆପ୍‌କୁ ନିଜ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରି ବୋଟ୍‌ମାନଙ୍କର ସ୍ଥିତି ନିର୍ଦ୍ଧାରଣ କରିବା ପାଇଁ ସଂରକ୍ଷଣ କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଚଳିତ ବର୍ଷ ଅଲିଭ ରିଡ୍‌ଲେ ପ୍ରଜନନ ଋତୁ ନିମନ୍ତେ ସଂରକ୍ଷଣ ଓ ସୁରକ୍ଷା କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା । ଏଥି ନିମନ୍ତେ ୨୦୨୧ ମସିହା ନଭେମ୍ବର ୧ ତାରିଖ ଠାରୁ ୨୦୨୨ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ସମୁଦ୍ର ଉପକୂଳରୁ ୨୦ କି.ମି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଂଚଳ ମଧ୍ୟରେ ମାଛମରା ନିଷେଧ ଜାରି ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା ।

 ଯନ୍ତ୍ର ଚାଳିତ ଡ଼ଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛମରା ନିଷେଧ ହେବ । ବିନା ମଟର ବୋଟ୍ ରେ ପାରମ୍ପରିକ ଢ଼ଙ୍ଗରେ ମାଛ ଧରୁଥିବା ମତ୍ସ୍ୟଜିବୀ ମାନଙ୍କୁ ଅଯଥାରେ ଅସୁବିଧାରେ ନପକାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର, ଡ଼ି.ଆର.ଡ଼ି.ଓ ଏବଂ ଉପକୂଳବର୍ତ୍ତୀ ୩ଟି ବନ୍ଦର କର୍ତ୍ତୁପକ୍ଷ ମାନେ ସଂରକ୍ଷଣ ନିୟମକୁ କଡ଼ାକଡ଼ି ଅନୁପାଳନ କରିବା ସହ ରାତ୍ରୀ ସମୟରେ ତୀବ୍ର ଆଲୋକ ରଶ୍ମିକୁ ଅବନତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ତୀବ୍ର ଆଲୋକ ରଶ୍ମି ଓଲିଭ୍‌ରିଡ୍‌ଲେଙ୍କ ଉପରେ କୁପ୍ରଭାବ ପକାଇବାର ସମ୍ଭାବନା ଥିବାରୁ ଆଲୋକ ରଶ୍ମି ନିୟନ୍ତ୍ରିତ କରିବାକୁ କୁହାଯାଇଥିଲା । ମିଳିତ ଅପରେସନ୍‌ ନିମନ୍ତେ ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ବନ୍ଦର କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ପ୍ରମୁଖ ପ୍ରଧାନ ବନ ସଂରକ୍ଷକ ଶିଶିର କୁମାର ରଥୋ, ମତ୍ସ୍ୟ ଓ ପଶୁସଂପଦ ବିଭାଗ ଶାସନ ସଚିବ ଆର୍‌. ରଘୁ ପ୍ରସାଦ, ପ୍ରଧାନ ମୁଖ୍ୟ ସଂରକ୍ଷକ(ବନ୍ୟଜନ୍ତୁ) ଶଶି ପଲ୍‌, ବିଶେଷଜ୍ଞ ଡଃ ପ୍ରିୟମ୍ବଦା ମହାନ୍ତି (ହେଜ୍ ମାଦୀ), ତଟ ସୁରକ୍ଷା ବାହିନୀ କମାଣ୍ଡାଣ୍ଟ, ବନ୍ୟଜନ୍ତୁ ସଂରକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକ ଓ ବୈଜ୍ଞାନିକଙ୍କ ସମେତ ଡ଼ି.ଆର୍.ଡ଼ି.ଓ, ଆଇ.ଟି.ଆର୍., ଧାମରା, ଗୋପାଳପୁର ଏବଂ ପାରାଦ୍ୱୀପ ବନ୍ଦର କର୍ତ୍ତୁପକ୍ଷଙ୍କର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here