Home Administration ଓଡିଶାରେ ରହିଛନ୍ତି କମ୍‍ ଆଇଏଏସ୍‍

ଓଡିଶାରେ ରହିଛନ୍ତି କମ୍‍ ଆଇଏଏସ୍‍

ନୂଆଦିଲ୍ଲୀ : ଓଡିଶା ପାଇଁ ଯେତିକି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‍ ପଦବୀ ରହିଛି ସେଥିରୁ ୬୨ଜଣ କମ୍‍ ଆଇଏଏସ୍‍ ଅଧିକାରୀ ରହିଛନ୍ତି । ରାଜ୍ୟପାଇଁ ୨୩୭ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‍ ପଦବୀ ରହିଥିବାବେଳେ ଅଛନ୍ତି ୧୭୫ଜଣ । କେନ୍ଦ୍ର କାର୍ମିକ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସଂସଦରେ ରଖିଥିବା ସୂଚନାରୁ ଏହା ଜଣାଯାଇଛି ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ସମସ୍ତ ରାଜ୍ୟଗୁଡିକ ପାଇଁ ମୋଟ୍‍ ୬୭୪୬ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‍ ପଦବୀ ରହିଥିବାବେଳେ ବର୍ତ୍ତମାନ ଏହିସବୁ ପଦବୀରେ ଅଛନ୍ତି ୫୨୩୧ ଜଣ ।

ମନ୍ତ୍ରୀ ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ପାଇଁ ସର୍ବାଧିକ ୬୫୧ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‍ ପଦବୀ ଥିବାବେଳେ ଏଠାରେ ରହିଛନ୍ତି ୫୪୮ଜଣ ଆଇ,ଏସ୍‍ । ସେହିଭଳି ମଧ୍ୟପ୍ରଦେଶ ପାଇଁ ଦ୍ୱିତୀୟ ସର୍ବାଧିକ ୪୩୯ଟି ଆଇଏଏସ୍‍ ପଦବୀ ଥିବାବେଳେ ରହିଛନ୍ତି ୩୭୦ ଜଣ । ସେହିଭଳି ମହାରାଷ୍ଟ୍ର ପାଇଁ ମଞ୍ଜୁରୀପ୍ରାପ୍ତ ୪୧୬ଟି ପଦବୀରେ ୩୩୮ ଜଣ କାର୍ଯ୍ୟରତ ରହିଛନ୍ତି ।

ଜାମ୍ମୁକାଶ୍ମୀରରେ ୧୩୭ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‍ ପଦବୀ ଥିବାବେଳେ ଏଠାରେ କାର୍ଯ୍ୟରତ ଅଛନ୍ତି ୫୯ଜଣ । ତେବେ ସିକିମ ପାଇଁ ସବୁଠାରୁ କମ୍‍ ମାତ୍ର ୪୮ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‍ ପଦବୀ ଥିବାବେଳେ ଏଠାରେ ୩୯ଜଣ କାର୍ଯ୍ୟ କରୁଛନ୍ତି ।

ସିକିମ୍‍ ପାଇଁ ୯୪ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‍ ପଦବୀ ଥିବାବେଳେ ଏଠାରେ କାର୍ଯ୍ୟରତ ରହିଛନ୍ତି ୫୯ଜଣ । ମଣିପୁରରେ ୧୧୫ ପଦବୀରେ ୮୭ଜଣ କାର୍ଯ୍ୟରତ ଥିବାବେଳେ ତ୍ରିପୁରାରେ ୧୦୨ ପଦବୀରେ ୬୨, ଉତ୍ତରାଖଣ୍ଡରେ ୧୨୦ ପଦବୀରେ ୮୯ଜଣ ଆଇଏଏସ୍‍ ଅଧିକାରୀ ରହିଛନ୍ତି ।

ମୋଟ ଆଇଏଏସ୍‍ ପଦବୀ ମଧ୍ୟରୁ ବରିଷ୍ଠ ଅଫିସର ସ୍ତରରେ ୪୦% କେନ୍ଦ୍ରୀୟ ଡେପୁଟେସନ ପାଇଁ ରହିଥିବାବେଳେ ରାଜ୍ୟ ଡେପୁଟେସନ ପାଇଁ ୨୫%, ତାଲିମ ପାଇଁ ୩.୫% ସଂରକ୍ଷଣ, ଛୁଟି ଆଦି ପାଇଁ ୧୬.୫% ପଦବୀରେ ସଂରକ୍ଷଣ ବ୍ୟବସ୍ଥା ରହିଛି ।