Home Finance ଓଡିଶାରେ ଜିଏସ୍‍ଟି ଆଦାୟ ୪୦% ବୃଦ୍ଧି

ଓଡିଶାରେ ଜିଏସ୍‍ଟି ଆଦାୟ ୪୦% ବୃଦ୍ଧି

ଭୁବନେଶ୍ୱର : ସେପ୍ଟେମ୍ବର ମାସରେ ଓଡିଶାରୁ ୩୩୨୬ କୋଟି ଟଙ୍କାର ଜିଏସ୍‍ଟି ଆଦାୟ ହୋଇଛି ଯାହାର ୨୦୨୦ ସେପ୍ଟେମ୍ବର ତୁଳନାରେ ୪୦ ପ୍ରତିଶତ ଅଧିକ ରହିଛି । ୨୦୨୦ ସେପ୍ଟେମ୍ବର ମାସରେ ରାଜ୍ୟରୁ ୨୩୮୪ କୋଟି ଟଙ୍କାର ଜିଏସ୍‍ଟି ରାଜସ୍ୱ ଆଦାୟ ହୋଇଥିଲା ।

ସେହିଭଳି ୨୦୨୧ ସେପ୍ଟେମ୍ବର ମାସରେ ମୋଟ୍‍ ୧,୧୭,୦୧୦ କୋଟି ଟଙ୍କାର ଜିଏସ୍‍ଟି ରାଜସ୍ୱ ସଂଗୃହିତ ହୋଇଛି ଯାହା ମଧ୍ୟରୁ ସିଜିଏସ୍‍ଟି ପରିମାଣ ୨୦,୫୭୮ କୋଟି ଟଙ୍କା, ଏସ୍‍ଜିଏସ୍‍ଟି ପରିମାଣ ୨୬,୭୬୭ କୋଟି ଟଙ୍କା, ଆଇଜିଏସ୍‍ ପରିମାଣ ହେଉଛି ୯ ୬୦,୯୧୧ କୋଟି ଟଙ୍କା (ଆମଦାନୀ ସାମଗ୍ରୀରୁ ସଂଗୃହୀତ ୨୯,୫୫୫ କୋଟି ଟଙ୍କା ଅନ୍ତର୍ଭୂକ୍ତ) ଏବଂ ୮୭୫୪ କୋଟି ଟଙ୍କାର ସେସ୍ ( ଆମଦାନୀ ସାମଗ୍ରୀ ଉପରୁ ଆଦାୟ ହୋଇଥିବା ୬୨୩ କୋଟି ଟଙ୍କା ଅନ୍ତର୍ଭୁକ୍ତ) ରହିଛି ।

ସରକାର ନିୟମିତ ସମାଧାନ ଭାବରେ ଆଇଜିଏସ୍‍ଟିରୁ ସିଜିଏସ୍‍ଟିକୁ ୨୮,୮୧୨ କୋଟି ଟଙ୍କା ଏବଂ ଏସଜିଏସ୍‍ଟିକୁ ୨୪,୧୪୦କୋଟି ଟଙ୍କା ଦେବାକୁ ସ୍ଥିର କରିଛନ୍ତି । ସେପ୍ଟେମ୍ବର ୨୦୨୧ ମାସରେ ନିୟମିତ ସମାଧାନ ପରେ କେନ୍ଦ୍ର ଏବଂ ରାଜ୍ୟଗୁଡିକର ମୋଟ ରାଜସ୍ୱ ସିଜିଏସଟି ପାଇଁ ୪୯,୩୯୦ କୋଟି ଟଙ୍କା ଏବଂ ଏସ୍‍ଜିଏସ୍‍ଟି ପାଇଁ ୫୦,୯୦୭ କୋଟି ଟଙ୍କା ରହିଛି ।

ସେପ୍ଟେମ୍ବର ୨୦୨୧ ମାସ ପାଇଁ ଆଦାୟ ହୋଇଥିବା ଜିଏସ୍‍ଟି ରାଜସ୍ୱ ଗତ ବର୍ଷର ଏହି ମାସ ତୁଳନାରେ ୨୩ ପ୍ରତିଶତ ଅଧିକ ରହିଛି । ଗତବର୍ଷର ସେପ୍ଟେମ୍ବର ମାସ ତୁଳନାରେ ଚଳିତବର୍ଷ ସାମଗ୍ରୀ ଆମଦାନୀରୁ ୩୦% ଅଧିକ ରାଜସ୍ୱ ଆଦାୟ ହୋଇଥିବାବେଳେ ଘରୋଇ କାରବାରରୁ (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ଏହିସବୁ ସୂତ୍ରରୁ ୨୦ ପ୍ରତିଶତ ଅଧିକ ରାଜସ୍ୱ ଆଦାୟ ହୋଇଛି । ୨୦୧୯ ମସିହାରେ ୯୧,୯୧୬ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିବାବେଳେ ସେପ୍ଟେମ୍ବର ୨୦୨୦ ରେ କିନ୍ତୁ ଏହା ତୁଳନାରେ ୪ ପ୍ରତିଶତ ଅଧିକ ରାଜସ୍ୱ ମିଳିଥିଲା ।

ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ହାରାହାରି ମାସିକ ମୋଟ ଜିଏସଟି ସଂଗ୍ରହ ୧.୧୫ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ବର୍ଷର ପ୍ରଥମ ତ୍ରୈମାସିକରେ ହାରାହାରି ଭାବେ ମାସିକ ସଂଗ୍ରହ ହୋଇଥିବା ୧.୧୦ ଲକ୍ଷ କୋଟି ଟଙ୍କା ତୁଳନାରେ ୫% ଅଧିକ । ଏହା ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ଅର୍ଥନୀତିରେ ଦ୍ରୁତ ଗତିରେ ସୁଧାର ଆସୁଛି । ଅର୍ଥନୈତିକ ଅଭିବୃଦ୍ଧି ସହିତ, ଟିକସ ଫାଙ୍କି କାର୍ଯ୍ୟକଳାପ, ବିଶେଷକରି ନକଲି ବିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ବର୍ଦ୍ଧିତ ଜିଏସଟି ସଂଗ୍ରହରେ ସହାୟକ ହୋଇଛି । ଆଶା କରାଯାଉଛି ଯେ ରାଜସ୍ୱ ଆଦାୟରେ ସକରାତ୍ମକ ଧାରା ଜାରି ରହିବ ଏବଂ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅଧିକ ଆୟ ହେବ ।

କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ମାନଙ୍କୁ ସେମାନଙ୍କ ଜିଏସ୍‍ଟି ରାଜସ୍ୱ ତାରତମ୍ୟ ଭରଣା ପାଇଁ ଜିଏସ୍‍ଟି କ୍ଷତିପୂରଣ ବାବଦରେ ୨୨,୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।