Home Agriculture ଓଡିଶାରେ କମୁଛି ସାର ବ୍ୟବହାର

ଓଡିଶାରେ କମୁଛି ସାର ବ୍ୟବହାର

ଭୁବନେଶ୍ୱର : ଠିକଣା ସମୟରେ ସାର ଯୋଗାଣ ପାଇଁ କୃଷି ମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରୁଥିବାବେଳେ ରାଜ୍ୟରେ କିନ୍ତୁ ବର୍ଷକୁ ବର୍ଷ ରାସାୟନିକ ସାର ବ୍ୟବହାର କମିବାରେ ଲାଗିଛି । ଗତ ତିନିବର୍ଷ ମଧ୍ୟରେ ପାଖପାଖି ଏକ ଲକ୍ଷ ମେଟ୍ରିକ ଟନ୍‍ ସାର ବ୍ୟବହାର କମିଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ଓଶିଶାର ଚାଷୀମାନେ ୧୧,୫୨,୯୫୭ ମେଟ୍ରିକ ଟନ୍‍ ସାର ବ୍ୟବହାର କରିଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୧୧,୨୯,୦୫୯ ମେଟ୍ରିକ ଟନ୍‍କୁ ହ୍ରାସ ପାଇଥିଲା । ତେବେ ୨୦୨୦-୨୧ ବର୍ଷରେ ଫେବୃୟାରୀ ଶେଷ ସୁଦ୍ଧା ଏହି ପରିମାଣ ୧୦ଲକ୍ଷ ୭୮ ହଜାର ମେଟ୍ରିକ ଟନ୍‍ରୁ ସାମାନ୍ୟ ଅଧିକ ରହିଥିଲା । ଗୋଟିଏ ପଟେ ରାଜ୍ୟରେ ରସାୟନିକ ସାର ବ୍ୟବହାର କମି କମି ଚାଲିଥିବାବେଳେ ବ୍ୟାପକ ପ୍ରୋତ୍ସାହନ ସତ୍ୱେ ଜୈବିକ ସାର ବ୍ୟବହାର ବି ବଢିପାରୁ ନାହିଁ ।

ରସାୟନିକ ସାର ବ୍ୟବହାର କମ୍‍ ନେଇ ଚାଷୀମାନେ କହିଛନ୍ତି ଯେ ସାରର ଅତ୍ୟଧିକ ଦରବୃଦ୍ଧି ଓ ଠିକଣା ସମୟରେ ଉପଲବ୍ଧ ନହେବାରୁ ସେମାନେ ଚାହିଁଲେ ବି ଅଧିକ ସାର ବ୍ୟବହାର କରିପାରୁ ନାହାନ୍ତି । ଓଡିଶାରେ ଅଧିକ ଭାବରେ ବ୍ୟବହାର ହେଉଥିବା ୟୁରିଆ ଓ ଡିଏପି ଭଳି ସାରର ଦର ବଢିଥିବାବେଳେ ଠିକଣା ସମୟରେ ଏହା ମିଳୁନାହିଁ । ଚାଷ ସମୟରେ ସାର ପାଇଁ ଚାଷୀକୁ ବାରମ୍ବାର ଦୋକାନକୁ ଦଉଡିବାକୁ ପଡୁଛି । ଯେତିକି ସାର ଆସୁଛି ତାହାକୁ ଚାଷୀମାନଙ୍କୁ ବାଣ୍ଟିକୁଣ୍ଟି ଦିଆଯାଉ ଥିବାରୁ ସେମାନେ ଅଧିକ ଫସଲ ଅମଳ ପାଇଁ ଚାହିଁଲେ ବି ସାର ବ୍ୟବହାର କରିପାରୁ ନାହାନ୍ତି ।

କୃଷିଜାତ ସାମଗ୍ରୀ ଉତ୍ପାଦନରେ ଆଗୁଆ ଥିବା ରାଜ୍ୟମାନଙ୍କ ତୁଳନାରେ ଓଡିଶାରେ କମ୍‍ ରସାୟନିକ ସାର ବ୍ୟବହାର ହେଉଥିବାବେଳେ ଲଗାତାର ଭାବେ ତାହା ହ୍ରାସ ପାଇବା ଏବେ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । ଏହାଦ୍ୱାରା ରାଜ୍ୟରେ ଫସଲ ଉତ୍ପାଦନ ହ୍ରାସ ପାଇବାର ସମ୍ଭାବନା ରହିଛି । ତେବେ ରାଜ୍ୟ ସରକାର ରସାୟନିକ ସାର ବଦଳରେ ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି ।

ହେଲେ ଓଡିଶାରେ ଆଶାନୁରୂପ ଭାବେ ଜୈବିକ ସାର ବ୍ୟବହାର ହୋଇପାରୁ ନାହିଁ । ୨୦୧୮-୧୯ ବର୍ଷରେ ରସାୟନିକ ସାର ତୁଳନାରେ ଓଡିଶାରେ ମାତ୍ର ୦.୧୮ ପ୍ରତିଶତ ଜୈବିକ ସାର ବ୍ୟବହାର ହୋଇଥିଲା । ଏଥିରେ ୯୯୫ ମେଟ୍ରିକ ଟନ୍‍ କଠିନଗୁଣ୍ଡ ଜୈବିକ ସାର ଓ ୧୧୩୮ କିଲୋ ଲିଟର ତରଳ ଜୈବିକ ସାର ଥିଲା ।

ସେହିଭଳି ୨୦୧୯ -୨୦ବର୍ଷରେ ଉଭୟ କଠିନ ଓ ତରଳ ଜୈବିକ ସାର ବ୍ୟବହାରର ପରିମାଣ ଯଥାକ୍ରମେ ୯୭୫ ଟନ୍‍ ଓ ୧୭୧୯ କିଲୋ ଲିଟର ଥିଲା । ଏହା ରସାୟନିକ ସାର ତୁଳନାରେ ମାତ୍ର ୦.୨୪ ପ୍ରତିଶତ ରହିଥିଲା । ୨୦୨୦-୨୧ବର୍ଷରେ ଯଦିଓ କଠିନ ଓ ତରଳ ଜୈବିକ ସାର ବ୍ୟବହାର ପରିମାଣ ବୃଦ୍ଧିପାଇ ଯଥାକ୍ରମେ ୧୪୦୪ ଟନ୍‍ ଓ ୫୮୯୮ କିଲୋଲିଟରରେ ପହଞ୍ଚିଥିଲା ତଥାପି ତାହା ରସାୟନିକ ସାର ତୁଳନାରେ ମାତ୍ର ୧ ପ୍ରତିଶତ ରହିଥିଲା । (ତଥ୍ୟ)

LEAVE A REPLY

Please enter your comment!
Please enter your name here