Home General ଓଡିଶାରେ ଉଡାନ୍‍ ପାଇଁ ୨୫୫କୋଟି ଖର୍ଚ୍ଚ

ଓଡିଶାରେ ଉଡାନ୍‍ ପାଇଁ ୨୫୫କୋଟି ଖର୍ଚ୍ଚ

ଭୁବନେଶ୍ୱର : ଆଞ୍ଚଳିକ ଯୋଗାଯୋଗ ଯୋଜନା (ଆରସିଏସ୍‍)-ଉଡାନରେ ଓଡିଶା ବିମାନବନ୍ଦର ଗୁଡିକର ପୁନରୁଦ୍ଧାର ଏବଂ ବିକାଶ ଲାଗି କେନ୍ଦ୍ର ସରକାର ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ୨୫୫.୭୧ କୋଟି ଟଙ୍କା ବ୍ୟୟ କରିଛନ୍ତି । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂହ ।

ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶାର ଝାରସୁଗୁଡା, ରାଉରକେଲା, ଉତ୍‍କେଲା, ଜୟପୁର ଏବଂ ରଙ୍ଗେଇଲୁଣ୍ଡା ବିମାନବନ୍ଦରକୁ ଉଡାନ୍‍ ଯୋଜନାରେ ଚିହ୍ନଟ କରାଯାଇଛି । ଏହି ଯୋଜନାରେ ଓଡିଶାରେ ୬୦ଟି ରୁଟ୍‍ରେ ବିମାନ ଚଳାଚଳ କରିବାକୁ ଥିବାବେଳେ ଏଥିରୁ ଚଳିତବର୍ଷ ମାର୍ଚ୍ଚ ୧୬ତାରିଖ ସୁଦ୍ଧା ୧୮ଟି ରୁଟ୍‍ରେ ବିମାନ ଉଡାଣ କାର୍ଯ୍ୟକ୍ଷମ ହୋଇଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଉଡାନ ଯୋଜନା ଅଧିନରେ ବଛା ବଛା ବିମାନ ଚଳାଚଳ ସଂସ୍ଥାମାନେ ଲେଟର ଅଫ୍‍ ଆୱାର୍ଡ ପାଇବାର ୬ମାସ ଏବଂ କିମ୍ବା ବିମାନ ବନ୍ଦର ପ୍ରସ୍ତୁତ ହେବାର ୨ମାସ, ଯେଉଁ ସୁବିଧା ପ୍ରଥମେ ଉପଲବ୍ଧ ହେବ ସେହି ସମୟରେ ଆରସିଏସ୍‍ ରୁଟ୍‍ରେ ବିମାନ ଚଳାଚଳ ଆରମ୍ଭ କରିବେ ।

ଅନୁରୂପ ଭାବେ ବିମାନ ଚଳାଚଳ କରୁନଥିବା ଅମର୍ଦ୍ଦାରୋଡ, ଅନୁଗୁଳ, ବଡବିଲ, ଗୁଡାରି, ହୀରାକୁଦ, ଜେକେପୁର, ଲାଞ୍ଜିଗଡ, ନୂଆପଡା, ପଦ୍ମପୁର, ରାଇରଙ୍ଗପୁର, ରାଇସୁଆଁ, ସୁକିନ୍ଦା, ଥେରୁବାଲି, ତୁଷରା ଏବଂ ଉତ୍‍କେଲା ଆଦି ବିମାନବନ୍ଦର ଉଡାନ ଯୋଜନା ଅଧିନରେ ରାଜ୍ୟରେ ଉପଲବ୍ଧ ରହିଛି । ବର୍ତ୍ତମାନ ସୁଦ୍ଧା ଉଡାନ୍‍ ଯୋଜନାରେ ୪.୧ ରାଉଣ୍ଡ ଟେଣ୍ଡର ସରିଥିଲେ ହୋଇଥିଲେ ମଧ୍ୟ ଏହିସବୁ ବିମାନବନ୍ଦରେ ବିମାନ ଚଳାଚଳ ଲାଗି କୌଣସି ବିମାନ ଚଳାଚଳ କମ୍ପାନୀ ପ୍ରସ୍ତାବ ଦାଖଲ କରିନଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଆରସିଏସ୍‍-ଉଡାନ (ଉଡେ ଦେଶ୍‍ କି ନାଗରିକ) ଯୋଜନା ୨୦୧୬ ଅକ୍ଟୋବର ୨୧ତାରିଖରେ ଆରମ୍ଭ ହୋଇଥିଲା । ଏହି ଯୋଜନାରେ ଦେଶର ଆଭ୍ୟନ୍ତରୀଣ ଇଲାକାକୁ ବିମାନ ଚଳାଚଳ ସହିତ ସାଧାରଣ ଲୋକେ ଯେଭଳି ସ୍ୱଳ୍ପ ମୂଲ୍ୟରେ ବିମାନଯାତ୍ରା କରିପାରିବେ ସେହି ଲକ୍ଷ୍ୟ ରହିଛି । ଉଡାନ ଏକ ବଜାର ଚାହିଦା ଭିତ୍ତିକ ଯୋଜନା ହୋଇଥିବାବେଳେ ଆଗ୍ରହୀ ବିମାନ ଚଳାଚଳ ସଂସ୍ଥାମାନେ ସେମାନଙ୍କ ବ୍ୟୟସାୟକୁ ନଜରରେ ରଖି ନିର୍ଦ୍ଦିଷ୍ଟ ରୁଟ୍‍ ପାଇଁ ପ୍ରସ୍ତାବ ଦାଖଲ କରିଥାନ୍ତି ବୋଲି ମନ୍ତ୍ରୀ ଉଲ୍ଲେଖ କରଛନ୍ତି । (ତଥ୍ୟ)