Home Finance ଓଡିଶାକୁ ୪୯୬କୋଟି ୨୧ଲକ୍ଷ

ଓଡିଶାକୁ ୪୯୬କୋଟି ୨୧ଲକ୍ଷ

ଚଳିତ ବର୍ଷର ଏପ୍ରିଲ ଓ ମଇ ମାସର ଜିଏସ୍‍ଟି କ୍ଷତି ବାବଦକୁ ଓଡ଼ିଶା କେନ୍ଦ୍ର ସରକାରଙ୍କଠାରୁ ୪୯୬ କୋଟି ୨୧ ଲକ୍ଷ ଟଙ୍କା ପାଇବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସ୍‍ଟି କାଉନ୍‍ସିଲ୍‍ ଅନୁମୋଦନ ଗ୍ରହଣ ନେଇ ଘୋଷଣା କରିବା ପରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ରାଜସ୍ୱ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଛି ।

ଚଳିତମାସ ୫ ତାରିଖରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପାଇଁ ଜିଏସ୍‍ଟି କ୍ଷତିପୂରଣ ବାବଦରେ ୨୦ହଜାର କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଓଡ଼ିଶା ଏଥିରୁ ୪୯୬ କୋଟି ୨୧ ଲକ୍ଷ ୧୯ହଜାର ଟଙ୍କା ପାଇବେ । ଆସନ୍ତା ସପ୍ତାହରେ କେନ୍ଦ୍ର ସରକାର ଆଉ ୨୫ହଜାର କୋଟି ଟଙ୍କା ବାଣ୍ଟିବେ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯେଉଁ ରାଜ୍ୟଗୁଡ଼ିକ ୨୦୧୭-୧୮ ବର୍ଷରେ ଜିଏସ୍‍ଟି କ୍ଷତିପୂରଣ ବାବଦରେ କମ୍‍ ଅର୍ଥ ପାଇଥିଲେ ସେମାନଙ୍କୁ ଏହି ରାଶି ମିଳିବ । ଓଡିଶା ମଧ୍ୟ ଏଥିରୁ ଲାଭାନ୍ୱିତ ହେବ ।

ଓଡିଶା ଯେତିକି କ୍ଷତିପୂରଣ ପାଇବାକଥା ତାହା ପାଇନାହିଁ ବୋଲି ଅଧିକାରୀମାନେ କହୁଛନ୍ତି । ସାଧାରଣତଃ କେନ୍ଦ୍ର ଦୁଇ ମାସର ଅନୁଦାନକୁ ତା’ ପରବର୍ତ୍ତୀ ମାସରେ ପ୍ରଦାନ କରିଥାଏ । କିନ୍ତୁ ସମଗ୍ର ଦେଶରେ ଜିଏସ୍‍ଟି ସଂଗ୍ରହ ମାନ୍ଦା ହୋଇଥିବା ଯୋଗୁଁ କେନ୍ଦ୍ର ସରକାର ଏହି ଅର୍ଥ ଦେଇପାରି ନାହାନ୍ତି ।

ଓଡ଼ିଶା ସରକାର ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ଅର୍ଥାତ୍‍ ଏପ୍ରିଲ୍‍ରୁ ଜୁଲାଇ ପର୍ଯ୍ୟନ୍ତ କ୍ଷତିପୂରଣ ବାବଦରେ ୩୬୪୭ କୋଟି ୧୨ ଲକ୍ଷ ଟଙ୍କା ପାଇବାକୁ ଅପେକ୍ଷା କରିଛନ୍ତି । କିନ୍ତୁ ଦୁଇମାସ ପାଇଁ ମିଳଲା ୪୯୬କୋଟି ୨୧ଲକ୍ଷ ଟଙ୍କା ।

କରୋନା ମହାମାରୀ ପରିପ୍ରେକ୍ଷୀରେ ଜାରି ଲକ୍‍ଡାଉନ୍‍ ଯୋଗୁ ଜିଏସ୍‍ଟି ରାଜସ୍ୱ ଆଦାୟ ସମଗ୍ର ଦେଶରେ ଧିମେଇ ଯାଇଛି । ଏହାଫଳରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଯେଉଁ ୧୪ ପ୍ରତିଶତ କ୍ଷତିପୂରଣ ଦେବାପାଇଁ ଜିଏସ୍‍ଟି ଆଇନ୍‍ରେ ବ୍ୟବସ୍ଥା କରିଥିଲେ ତାହାକୁ କାର୍ଯ୍ୟକାରୀ କରିପାରୁ ନାହାନ୍ତି ।

ଏଥିପାଇଁ ଜିଏସ୍‍ଟି କ୍ଷତିପୂରଣ ଭରଣା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଋଣ କରିବା ସକାଶେ ଦୁଇଟି ପ୍ରସ୍ତାବ ଦେଇଛନ୍ତି । ଓଡ଼ିଶା ସରକାର ପ୍ରଥମ ଉପାୟକୁ ଗ୍ରହଣ କରିଛନ୍ତି । ଏହା ରାଜ୍ୟ ପାଇଁ ହିତକର ହେବ ବୋଲି ଅଧିକାରୀମାନେ କହୁଛନ୍ତି । ତଦନୁଯାୟୀ ରାଜ୍ୟ ସରକାର ଜିଏସ୍‍ଟିରେ ଯେତିକି କ୍ଷତିପୂର୍ତ୍ତି ହୋଇଛି ତାହାର ଭରଣା ପାଇଁ ଋଣ କରିବେ ।

କେନ୍ଦ୍ର ସରକାର ଯେଉଁ ଆକଳନ କରିଛନ୍ତି ସମସ୍ତ ରାଜ୍ୟ ପାଇଁ ଏ ବାବଦରେ ହାରାହାରି ୯୭ କୋଟି ଟଙ୍କା ଆବଶ୍ୟକ ପଡିବ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସମନ୍ୱୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ରାଜ୍ୟମାନେ ଋଣ କରିପାରିବେ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଆଧାରରେ ଧାର୍ଯ୍ୟ ସୀମା ମଧ୍ୟରେ ଏହି ଋଣ କରାଯାଇପାରିବ ।

ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ଏହି ଋଣ ପରିଶୋଧ କରିପାରିବେ ନାହିଁ କିମ୍ବା ଏହି ଋଣକୁ ରାଜ୍ୟର ଋଣଭାର ଭାବେ ବିବେଚନ କରାଯିବ ନାହିଁ ।  

LEAVE A REPLY

Please enter your comment!
Please enter your name here