Home Finance ଓଡିଶାକୁ ସୁଧ ମୁକ୍ତ ଋଣ

ଓଡିଶାକୁ ସୁଧ ମୁକ୍ତ ଋଣ

ଭୁବନେଶ୍ୱର : ଓଡିଶା ସରକାର କେନ୍ଦ୍ରରୁ ପୁଞ୍ଜି ପ୍ରକଳ୍ପ ଲାଗି ୫୦ବର୍ଷ ପାଇଁ ୩୪୭କୋଟି ଟଙ୍କାର ସୁଧମୁକ୍ତ ଋଣ ପାଇବେ । କେନ୍ଦ୍ର ସରକାର ଅତିରିକ୍ତ ଭାବେ ଏହି ଯୋଜନାରେ ୧୫ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଯୋଗାଇଦେବାକୁ ସ୍ଥିର କରିଛନ୍ତି ।

ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥ ପାଇବାକୁ ଥିବାବେଳେ କେନ୍ଦ୍ର ସରକାର ଏହି ପର୍ଯ୍ୟାୟରେ ୭୪୦୦ କୋଟି ଟଙ୍କା ଯୋଗାଇଦେବେ । ପଞ୍ଚଦର୍ଶ ଅର୍ଥ କମିଶନଙ୍କ ପୁରସ୍କାର ବାବଦରେ ୨୦୨୧-୨୨ ବର୍ଷ ପାଇଁ ରାଜ୍ୟଗୁଡିକ କେନ୍ଦ୍ରୀୟ ଟିକସରୁ ସେମାନଙ୍କ ଭାଗ ପାଇବେ । ଚଳିତ ଆର୍ଥିକ ବର୍ଷ ପାଇଁ ବ୍ୟୟ ବିଭାଗ ପକ୍ଷରୁ ‘ସ୍କିମ୍‍ ଫର ଫାଇନାନସିଆଲ ଆସିଷ୍ଟାଣ୍ଟ ଟୁ ଷ୍ଟେଟ ଫର୍‍ କ୍ୟାପିଟାଲ ଏକ୍ସପେଣ୍ଡିଚର’ ନେଇ ନୂଆ ମାର୍ଗଦର୍ଶିକା ଜାରି ହୋଇଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍‍ ଭାଷଣରେ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ବ୍ୟୟ ସହିତ ସରକାରୀ ଉଦ୍ୟୋଗରୁ ପୁଞ୍ଜିପ୍ରତ୍ୟାହାର ନେଇ ଘୋଷଣା କରିଥିଲେ । ପୁଞ୍ଜି ବ୍ୟୟ ଦ୍ୱାରା ଗରିବ ଏବଂ ଅଣକୁଶଳୀ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଏବଂ ଭବିଷ୍ୟତରେ ଏହା ଅର୍ଥନୀତିକୁ ଅଧିକ ଉତ୍ପାଦନମୁଖୀ କରିବା ସହିତ ଅଭିବୃଦ୍ଧିରେ ସହାୟକ ହେବ ।

ତେଣୁ କରୋନା ପ୍ରଭାବିତ ଅର୍ଥନୀତିରେ ବି ଗତବର୍ଷ ପୁଞ୍ଜି ବ୍ୟୟ ପାଇଁ ସ୍ୱତନ୍ତ୍ର ସହାୟତା ଯୋଗାଇବାକୁ ସ୍ଥିର ହୋଇଥିଲା । ଏହି ଯୋଜନାରେ ରାଜ୍ୟ ସରକାରଙ୍କୁ ୫୦ବର୍ଷ ପାଇଁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ । ୨୦୨୦-୨୧ ବର୍ଷ ପାଇଁ ୧୨ହଜାର କୋଟି ଯୋଗାଇଦେବାକୁ ଲକ୍ଷ୍ୟ ଥିବାବେଳେ ୧୧,୮୩୦କୋଟି ୨୯ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ମହାମାରୀ ସମୟରେ ରାଜ୍ୟ ସ୍ତରରେ ପୁଞ୍ଜି ବ୍ୟୟ କ୍ଷେତ୍ରରେ ଏହା ବେଶ୍‍ ସହାୟକ ହୋଇଛି । ଯୋଜନା ପ୍ରତି ସକରାତ୍ମକ ମନୋଭାବ ପ୍ରକାଶ ପାଇବାପରେ ରାଜ୍ୟଗୁଡିକର ଅନୁରୋଧକୁ ରକ୍ଷାକରି ୨୦୨୧-୨୨ବର୍ଷରେ ଏହାକୁ ଚଳାଇ ରଖିବାପାଇଁ ନିଷ୍ପତ୍ତି ନିଆଯାଇଛି ।

୨୦୨୧-୨୨ ବର୍ଷରେ ଏହି ଯୋଜନାରେ ରାଜ୍ୟଗୁଡିକୁ ୩ପର୍ଯ୍ୟାୟରେ ସ୍ୱତନ୍ତ୍ର ସହାୟତା ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଉତ୍ତର-ପୂର୍ବ ଓ ପାର୍ବତ୍ୟ ରାଜ୍ୟଗୁଡିକୁ ୨୬୦୦ କୋଟି ଟଙ୍କା ମିଳିବ । ଏହାବାଦ୍‍ ଆମାସ, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟ ପ୍ରତ୍ୟେକ ୪୦୦କୋଟି ଟଙ୍କା କରି ପାଇବେ ଯେତେବେଳେ ଏହି ଗୋଷ୍ଠିରେ ଥିବା ଅନ୍ୟ ରାଜ୍ୟଗୁଡିକୁ ୨୦୦ କୋଟି ଟଙ୍କା କରି ମଞ୍ଜୁର ହୋଇଛି ।

ତୃତୀୟ ପର୍ଯ୍ୟାୟରେ ରାଜ୍ୟଗୁଡିକୁ ଭିତ୍ତିଭୂମିର ଆଧୁନିକୀକରଣ/ପୁନଃ ପ୍ରକ୍ରିୟାକରଣ ଏବଂ ରାଜ୍ୟ ସରକାରୀ ଉଦ୍ୟୋଗଗୁଡିକରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଏହି ପର୍ଯ୍ୟାୟରେ ୫୦୦୦ କୋଟି ଟଙ୍କା ଯୋଗାଇ ପ୍ରଦାନ କରାଯିବ । ରାଜ୍ୟଗୁଡିକ ସେମାନଙ୍କ ପାଇଁ ମଞ୍ଜୁର ଅର୍ଥରୁ ୩୩ ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବିନା ସୁଧରେ ୫୦ବର୍ଷ ପାଇଁ ନେଇପାରିବେ । ଏହି ଯୋଜନାରେ ମିଳୁଥିବା ଅର୍ଥ ନୂଆ ପ୍ରକଳ୍ପ ଓ କାର୍ଯ୍ୟକାରୀ ପ୍ରକଳ୍ପରେ ବିନିଯୋଗ ହେବ ଯାହାକି ରାଜ୍ୟକୁ ଦୀର୍ଘମିଆଦୀ ସୂତ୍ରରେ ଲାଭ ପହଞ୍ଚାଇବ । ଏଥି ସହିତ ଏହି ଅର୍ଥରେ ଚଳାଯାଉଥିବା ପୁଞ୍ଜି ପ୍ରକଳ୍ପର ବାକିଆ ବିଲ୍‍ ମଧ୍ୟ ପଇଠ କରାଯାଇ ପାରିବ । (ତଥ୍ୟ)