Home Finance ଓଡିଶାକୁ ମିଳିଲା ୬୪୩୦ କୋଟିର ଋଣ

ଓଡିଶାକୁ ମିଳିଲା ୬୪୩୦ କୋଟିର ଋଣ

ଭୁବନେଶ୍ୱର : ଜିଏସ୍‍ଟି କ୍ଷତିପୂରଣ ବାବଦରେ କମ୍‍ ଅର୍ଥ ମିଳୁଥିବାବେଳେ ଏ ବାବଦୀୟ ଅଭାବ ଦୂର ପାଇଁ କେନ୍ଦ୍ର ସରକାର ଓଡିଶାକୁ ୬୪୩୦ କୋଟି ଟଙ୍କାର ଋଣ ମଞ୍ଜୁର କରିଛନ୍ତି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

ଜିଏସ୍‍ଟି କାଉନସିଲର ୪୩ତମ ବୈଠକର ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର ସରକାର ବଜାରରୁ ୧.୫୯ କୋଟି ଟଙ୍କାର ଋଣ ଉଠାଣ କରିଥିବାବେଳେ ଏହାକୁ ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଋଣ ଆକାରରେ ଯୋଗାଇ ଦେଇଛନ୍ତି । ତଦନୁଯାୟୀ ଓଡିଶା ଚଳିତ ଆର୍ଥିକ ବର୍ଷ ପାଇଁ ୬୪୩୦ କୋଟି ଟଙ୍କା ପାଇଛି ।

ଦେଶର କେତେକ ରାଜ୍ୟ ଯଥା ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ, ନାଗାଲ୍ୟାଣ୍ଡ ଓ ସିକିମ ଜିଏସ୍‍ଟି କ୍ଷତିପୂରଣ ବାବଦରେ ମିଳୁଥିବା ଅର୍ଥ ଠାରୁ ଅଧିକ ରାଜସ୍ୱ ଆଦାୟ କରୁଛନ୍ତି । ତେଣୁ ସେସବୁ ରାଜ୍ୟ ଏହି ଧରଣର ଋଣ ପାଇପାରି ନାହାନ୍ତି । ଅନୁରୂପ ଭାବେ ଚଳିତବର୍ଷ କେନ୍ଦ୍ର ସରକାର ନଭେମ୍ବର ୩ତାରିଖରେ ଓଡିଶାକୁ ଜିଏସ୍‍ଟି କ୍ଷତିପୂରଣ ବାବଦରେ ୨୮୬କୋଟି ଟଙ୍କା ପ୍ରଦାନ କରିଥିବା ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି ।

ନଭେମ୍ବର ୩ ତାରିଖରେ କେନ୍ଦ୍ର ସରକାର ଜିଏସ୍‍ଟି କ୍ଷତିପୂରଣ ପାଣ୍ଠିରୁ ରାଜ୍ୟମାନଙ୍କୁ ୧୭,୦୦୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥ ଅତିରିକ୍ତି ଭାବେ ଜିଏସ୍‍ଟି କ୍ଷତିପୂରଣ ବାବଦରେ ରାଜ୍ୟମାନଙ୍କୁ ମିଳିଥିବା ୪୩,୩୦୩ କୋଟି ଏବଂ ଋଣ ବାବଦରେ ଯୋଗାଯାଇଥିବା ୧.୫୯ କୋଟିର ଋଣ ସହିତ ରହିଛି ।

୨୦୨୦-୨୧ ବର୍ଷରେ କେନ୍ଦ୍ର ସରକାର ଜିଏସ୍‍ଟି କ୍ଷତିପୂରଣ ବାବଦରେ ୧,୩୬,୯୮୮ କୋଟି ଟଙ୍କା ଏବଂ ଋଣ ସହାୟତା ବାବଦରେ ୧.୧ ଲକ୍ଷ କୋଟି ଟଙ୍କା ରାଜ୍ୟମାନଙ୍କୁ ଦେଇଛନ୍ତି ।

ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଚୌଧୁରୀ କହିଛନ୍ତି ଯେ ଓଡିଶାକୁ ଦିଆଯାଉଥିବା କେନ୍ଦ୍ରୀୟ ଟିକସର ଅନୁଦାନ ପରିମାଣ ହ୍ରାସ ପରିଲକ୍ଷିତ ହୋଇଛି । ୨୦୧୮-୧୯ରେ କେନ୍ଦ୍ର ସରକାର ଓଡିଶାକୁ ୩୫,୩୫୩.୭୩ କୋଟି ଟଙ୍କା ଯୋଗାଇଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୩୦,୪୫୩.୨୫ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ସେହିଭଳି ୨୦୨୦-୨୧ ବର୍ଷରେ ଏହା ୨୭,୫୪୨.୬୭ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ପଞ୍ଚଦଶ ଅର୍ଥ କମିଶନ ସୁପାରିଶ୍‍ ଆଧାରରେ କେନ୍ଦ୍ର ସରକାର ବିକାଶଶୀଳ ରାଜ୍ୟମାନଙ୍କୁ ଅଂଶଧନ ଓ କେନ୍ଦ୍ରୀୟ ଟିକସ ଯୋଗାଇ ଦେଉଛନ୍ତି ।

ଅର୍ଥ ବଣ୍ଟନ କ୍ଷେତ୍ରରେ ରାଜ୍ୟମାନଙ୍କର କୌଣସି ବାକିଆ ନଥିବା ମନ୍ତ୍ରୀ କହିଛନ୍ତି । ଉଲ୍ଲେଖନୀୟ ଯେ ଓଡିଶା ସରକାର ବାରମ୍ବାର ରାଜ୍ୟକୁ କେନ୍ଦ୍ର ନିକଟରେ କେନ୍ଦ୍ରୀୟ ଟିକସ ଅଂଶଧନ ଯୋଗାଣ ହ୍ରାସ ପାଉଥିବା ନେଇ ପ୍ରସଙ୍ଗ ଉଠାଉଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ପୂର୍ବ ଆର୍ଥିକବର୍ଷ ତୁଳନାରେ ଓଡିଶା ସରକାର ୧୫ ପ୍ରତିଶତ କମ୍‍ କେନ୍ଦ୍ରୀୟ ଅନୁଦାନ ଅର୍ଥ ପାଇଥିବାବେଳେ ଅଭିବୃଦ୍ଧି ୧୭ ପ୍ରତିଶତ ହ୍ରାସ ପାଇଛି । ଏଭଳି ସ୍ଥିତିରେ ଓଡିଶାକୁ ଅଧିକରୁ ଅଧିକ ଅର୍ଥ ଆବଶ୍ୟକ ପଡୁଛି ବୋଲି ଆର୍ଥିକ ବିଶେଷଜ୍ଞମାନେ ମତପ୍ରକାଶ ପାଉଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here