Home News in Odia ଓଡିଶାକୁ ନିଶାମୁକ୍ତ କରିବାକୁ ଆହ୍ୱାନ

ଓଡିଶାକୁ ନିଶାମୁକ୍ତ କରିବାକୁ ଆହ୍ୱାନ

ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନ ଓ ଉକ୍ରଳ କଂଗ୍ରେସର ୧୦୦ ବର୍ଷ ପୂର୍ତିକୁ ଧୁମ୍ଧାମରେ କଂଗ୍ରେସ ବର୍ଷ ତମାମ୍ ପାଳନ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥି ସହିତ ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ପ୍ରତି ଯଦି ବାସ୍ତବରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଚାହାନ୍ତି ତେବେ ଗାନ୍ଧିଜୀଙ୍କର ତିରୋଧାନ ଦିବସ ଅର୍ଥାତ୍ ଜାନୁଆରୀ ୩୦ ତାରିଖରେ ଓଡିଶାକୁ ନିଶାମୁକ୍ତ କରିବା ପାଇଁ ଘୋଷଣା କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୧୯୨୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଉକ୍ରଳ ପ୍ରଦେଶ କମିଟି ଗଠିତ ହୋଇଥିଲା ଏବଂ ଏହାର ପ୍ରଥମ ସଭାପତି ଥିଲେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ସେହି ବର୍ଷ ହିଁ ଜାତିରପିତା ମହାତ୍ମା ଗାନ୍ଧୀ ପ୍ରଥମେ ଓଡିଶାକୁ ଆସିଥିଲେ । ମହାତ୍ମା ଗାନ୍ଧୀ ସର୍ବମୋଟ୍ ୮ ଥର ଓଡିଶା ଆସିଥିଲେ ଏବଂ ପ୍ରଥମେ ସେ ଆସିଥିଲେ ୧୯୨୦ ମସିହା ମାର୍ଚ୍ଚ ମାସରେ ।

ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ପାଳନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଯାହାର ଚୂଡାନ୍ତ ରୂପରେଖ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ଓଡିଶା ସ୍ୱାଧିନତା ସଂଗ୍ରାମୀ ସମିତି ପକ୍ଷରୁ ମଧ୍ୟ ଗାନ୍ଧୀଙ୍କ ଏହି ଓଡିଶା ଆଗମନର ଶତବାର୍ଷିକୀ ପାଳନ ପାଇଁ ଆହ୍ୱାନ ଦିଆଯାଇଛି । ଉଭୟ ରାଜ୍ୟ ସରକାର ଓ ସ୍ୱାଧିନତା ସଂଗ୍ରାମୀ ସମିତି ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ସେଥିରେ କଂଗ୍ରେସ ଦଳ ସାମିଲ ହେବାକୁ ଆହ୍ୱାନ ଦେବା ସହିତ ଏହାକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ନିବେଦନ କରାଯାଇଛି ।

କଂଗ୍ରେସ ଦଳ ଓ ଗାନ୍ଧିଜୀଙ୍କ ଓଡିଶା ଆଗମନର ୧୦୦ ବର୍ଷକୁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ବିଭିନ୍ନ ପ୍ରକାରରେ ପାଳନ କରାଯିବ । ଦେଶର ସ୍ୱାଧିନତା ସଂଗ୍ରାମ, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁଙ୍କ ଜୀବନୀ ଓ ବଳିଦାନ, ଦେଶର ବିକାଶରେ କଂଗ୍ରେସର ଅବଦାନ ଇତ୍ୟାଦି ଉପରେ ବର୍ଷ ତମାମ ସେମିନାର, ପଦଯାତ୍ରା, ପ୍ରଶିକ୍ଷଣ ଶିବିର ଆଦି ଆୟୋଜନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ପ୍ରବକ୍ତା ସୁଦର୍ଶନ ଦାସ ଓ ଜ୍ଞାନଦେବ ବେଉରା ଉପସ୍ଥିତ ଥିଲେ ।