Home Energy ଓଡିଶାକୁ ତିନି ସୋଲାର ପାର୍କ ମଞ୍ଜୁର

ଓଡିଶାକୁ ତିନି ସୋଲାର ପାର୍କ ମଞ୍ଜୁର

ଭୁବନେଶ୍ୱର : ଓଡିଶାରେ ତିନୋଟି ସୋଲାର ପାର୍କକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । କେନ୍ଦ୍ରର ସୋଲାର ପାର୍କ ଯୋଜନା ଆଧାରରେ ଏହା ମଞ୍ଜୁର ହୋଇଥିବା ରାଜ୍ୟସଭାରେ ଦର୍ଶାଇଛନ୍ତି କେନ୍ଦ୍ର ଅଣପାରମ୍ପରିକ ଶକ୍ତି ମନ୍ତ୍ରୀ ଆର.କେ.ସିଂହ ।

ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡିଶା ପାଇଁ ମଞ୍ଜୁର ହୋଇଥିବା ୩୪୦ ମେଗାୱାଟର ତିନିଟି ସୋଲାର ପାର୍କ ମଧ୍ୟରେ ଜଗନ୍ନାଥପ୍ରସାଦ ଠାରେ ୧୦୦ ମେଗାୱାଟର ଭାସମାନ ଏବଂ ୪୦ ମେଗାୱାଟର ଭୂମି ଉପରେ ସୋଲାର ପାର୍କ ରହିଛି । ରେଙ୍ଗାଲି ଜଳାଶୟରେ ୨୦୦ ମେଗାୱାଟର ଭାସମାନ ସୋଲାର ପାର୍କ ମଧ୍ୟ ଅଛି ।

ଭୂମି ଉପରେ ପ୍ରତିଷ୍ଠା ହେବାକୁ ଥିବା ୪୦ମେଗାୱାଟର ସୋଲାର ପାକ’ ପାଇଁ ଆବଶ୍ୟକ ୧୭୬ ଏକର ଜମି ଅଧିଗ୍ରହଣ ସହିତ ପ୍ରକଳ୍ପ ନିର୍ମାଣ ଓ କାର୍ଯ୍ୟାନ୍ୱୟନ ଚୂଡାନ୍ତ ରିପୋର୍ଟ (ଇପିସି) ପ୍ରସ୍ତୁତ ହୋଇସାରିଛି । ଅନୁରୂପ ଭାବେ ୧୦୦ ମେଗାୱାଟର ଭାସମାନ ସୋଲାର ପାର୍କ ପାଇଁ ଚୂଡାନ୍ତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଦାଖଲ ସହିତ ଜଳାଶୟ ଚିହ୍ନଟ ସରିଛି । ଏଥିପାଇଁ ଟେଣ୍ଡର ଆହ୍ୱାନ ହୋଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ରେଙ୍ଗାଲି ଜଳଭଣ୍ଡାରରେ ପ୍ରତିଷ୍ଠା ହେବାକୁ ଥିବା ୨୦୦ ମେଗାୱାଟର ଭାସମାନ ସୋଲାର ପାର୍କ ପାଇଁ ସ୍ଥାନ ଚିହ୍ନଟ ସହିତ ଟେଣ୍ଡର ଆହ୍ୱାନ କରାଯାଇଛି । ରାଜ୍ୟ ସରକାରଙ୍କ ଅଧିନରେ ଥିବା ଓଡିଶା ଅଣପାରମ୍ପରିକ ଶକ୍ତି ବିକାଶ ସଂସ୍ଥା (ଓରେଡା) ୧୦ ମେଗାୱାଟ ସୌର ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି ଯାହା କୋଣାର୍କ ମନ୍ଦିରରେ ହେବାକୁ ଥିବା ସୌର ପ୍ରକଳ୍ପ ଏବଂ କଳାହାଣ୍ଡି ଜିଲ୍ଲା ତେନ୍ତୁଲିପଦା ଗ୍ରାମରେ ଏହା ପ୍ରତିଷ୍ଠା ହେବ ।

ରାଜ୍ୟର କେବିକେ ଅଞ୍ଚଳ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓରେଡା ପକ୍ଷରୁ ଯଦି କଳାହାଣ୍ଡି, ବଲାଙ୍ଗିର ଏବଂ କୋରାପୁଟ (କେବିକେ) ଠାରେ ସୌର ପ୍ରକଳ୍ପ ବିକାଶ ପାଇଁ ଯଦି କୌଣସି ସଂସ୍ଥା ଆଗ୍ରହ ପ୍ରକାଶ କରିବେ ତେବେ ସେମାନଙ୍କୁ ଓଡିଶା ଅଣପାରମ୍ପରିକ ଶକ୍ତି -୨୦୧୬ ରେ ଥିବା ବ୍ୟବସ୍ଥା ଅନୁଯାୟୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । (ତଥ୍ୟ)