Home Finance ଓଡିଶାକୁ ଘାରିଛି ଜିଏସ୍‍ଟି ଚିନ୍ତା

ଓଡିଶାକୁ ଘାରିଛି ଜିଏସ୍‍ଟି ଚିନ୍ତା

ଭୁବନେଶ୍ୱର : ଜିଏସ୍‍ଟି ବାବଦ କ୍ଷତିପୂରଣ ଚିନ୍ତା ରାଜ୍ୟ ସରକାରଙ୍କୁ ଘାରିଛି । କାରଣ ଆଗାମୀ ଜୁଲାଇ ମାସଠାରୁ କେନ୍ଦ୍ର ଏ ବାବଦରେ ଆଉ ସହାୟତା ଦେବ ନାହିଁ ।

ରାଜ୍ୟ ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚଳାଇଥିବାବେଳେ ଅଧିକରୁ ଅଧିକ ସମ୍ବଳ କିଭଳି ଯୋଗାଡ କରାଯାଇ ପାରିବ ସେଥିପାଇଁ ବିଚାର ଆଲୋଚନା କରୁଛନ୍ତି । ଏହି ସମ୍ବଳ ମଧ୍ୟରେ ଜିଏସ୍‍ଟି ସଂଗ୍ରହରେ ଯେତିକି କ୍ଷତି ହେଉଛି ତାହାର ଭରଣା କେନ୍ଦ୍ର କରୁଥିବାରୁ ରାଜ୍ୟ ସରକାରଙ୍କର ଆର୍ଥିକ ସ୍ଥିତିକୁ ଏହା ବେଶ୍‍ ସହାୟକ ହେଉଥିଲା ।

କୋଭିଡ ମହାମାରୀ ଯୋଗୁଁ ଆର୍ଥିକ ଅବସ୍ଥାରେ ସଙ୍କୋଚନ ପରିଲକ୍ଷିତ ହେଉଥିବା ଯୋଗୁଁ ଜିଏସ୍‍ଟି କ୍ଷତିପୂରଣ ଭରଣା କରିବାପାଇଁ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଦାବି କରାଯାଇଥିଲା । ଗୋଟିଏ ପଟରେ କେନ୍ଦ୍ର ସରକାର ଜିଏସ୍‍ଟି କ୍ଷତିପୂରଣ ଦେଉନଥିବାବେଳେ ଅଧିକରୁ ଅଧିକ ସେସ ସଂଗ୍ରହ କରୁଥିବା ଯୋଗୁଁ ଏ ବାବଦୀୟ କେନ୍ଦ୍ରୀୟ ଅଂଶଧନ ରାଜ୍ୟ ସରକାରଙ୍କୁ ମିଳୁନାହିଁ । ଯାହା ଫଳରେ କି କେନ୍ଦ୍ରୀୟ ବ୍ୟବସ୍ଥାରୁ ରାଜ୍ୟ ସରକାର ଯେଉଁ ୬୮,୧୦୦ କୋଟି ପାଇବାପାଇଁ ଆଶା ରଖିଛନ୍ତି ତାହା କେତେଦୂର ଫଳବତୀ ହେବ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ରରୁ ଅନୁଦାନ ବାବଦରେ ରାଜ୍ୟ ସରକାର ୩୭,୯୬୩.୩୨ କୋଟି ଓ ଅଂଶଧନ ଟିକସ ବାବଦରେ ୩୦,୧୩୬.୬୮ କୋଟି ପାଇବାର ଆଶା ରଖି ବଜେଟ୍‍ ପ୍ରସ୍ତୁତ କରିଛନ୍ତି । କିନ୍ତୁ ବିଗତ ଦିନମାନଙ୍କରେ ଯେଭଳି କେନ୍ଦ୍ରରୁ ଉଭୟ ଅଂଶଧନ ଟିକସ ଓ ଅନୁଦାନ କମି କମି ଯାଉଛି ତାହା ଫଳରେ ରାଜ୍ୟ ସରକାର ଚିନ୍ତିତ ହୋଇପଡିଛନ୍ତି । ଏହା ସାଙ୍ଗକୁ ଜିଏସ୍‍ଟି କ୍ଷତିପୂରଣ ଜୁଲାଇମାସ ଠାରୁ ବନ୍ଦ ହୋଇଯାଉଥିବା ଯୋଗୁଁ ତାହା ଚିନ୍ତାକୁ ଆହୁରି ବଢାଇ ଦେଇଛି ।

ଏଭଳି ସ୍ଥିତିରେ ରାଜ୍ୟ ସରକାର ଆଗାମୀ ଆର୍ଥିକ ବର୍ଷରେ ୯ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାପାଇଁ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ତାହାକୁ ପୂରଣ କରିବା ସକାଶେ କିଭଳି ଅଧିକ ସମ୍ବଳ ସଂଗ୍ରହ କରିବେ ତାହାର ଚିନ୍ତା ବରିଷ୍ଠ ଅଧିକାରୀମାନଙ୍କୁ ଘାରିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଚଳିତ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି ୯.୫ ପ୍ରତିଶତ ଅଭିବୃଦ୍ଧି କରିବ ବୋଲି ଅଟକଳ କରାଯାଇଥିବାବେଳେ ଏହି ଲକ୍ଷ୍ୟ ପୂରଣ ପାଇଁ ଅନୁରୂପ ସମ୍ବଳ ଯୋଗାଡ କରାଯାଇଥିବାବେଳେ ଆଗାମୀ ଆର୍ଥିକ ବର୍ଷ ପାଇଁ ଅନୁରୂପ ସମ୍ବଳ ଯୋଗାଡ କରିବା କର୍ତ୍ତୃପକ୍ଷଙ୍କ ପକ୍ଷରେ କାଠିକର ପାଠ ହୋଇପଡିବ । (ତଥ୍ୟ)