Home Administration ଓଡିଆଙ୍କୁ ଉଦ୍ଧାର ପାଇଁ ଚାରି ପ୍ରତିନିଧି ମନୋନିତ

ଓଡିଆଙ୍କୁ ଉଦ୍ଧାର ପାଇଁ ଚାରି ପ୍ରତିନିଧି ମନୋନିତ

ଭୁବନେଶ୍ୱର : ଯୁଦ୍ଧ ଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଓଡିଆମାନଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାର କେତେକ ଅଧିକାରୀଙ୍କୁ ମନୋନିତ କରିଛନ୍ତି । ଏମାନେ ୟୁକ୍ରେନରେ ଥିବା ଓଡିଆଙ୍କ ସହିତ ଏହାର ପଡୋଶୀ ଦେଶରେ ଫସି ରହିଥିବା ଓଡିଆମାନଙ୍କୁ ଫେରାଇ ଆଣିବାପାଇଁ ସମନ୍ୱୟ ରକ୍ଷା କରିବେ । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ୍ୟ ସରକାର ମନୋନୀତ କରିଥିବା ପ୍ରତିନିଧିମାନଙ୍କ ମଧ୍ୟରେ ରହିଛନ୍ତି କିଟ୍‍ ବିଶ୍ୱବିଦ୍ୟାଳୟର ଉପସଭାପତି ବିକ୍ରମାଦିତ୍ୟ । ତାଙ୍କୁ ପୋଲାଣ୍ଡ ସମେତ ସମଦାୟ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି । ଶ୍ରୀ ବିକ୍ରମାଦିତ୍ୟ କିଟ୍‍ ବିଶ୍ୱବିଦ୍ୟାଳୟର ଆର୍ନ୍ତଜାତୀୟ ବିଭାଗ ଦାୟିତ୍ୱରେ ରହିଛନ୍ତି ।

ସେହିଭଳି ଆଉ ଜଣେ ହେଲେ ୟୁଏନ୍‍ଏଚ୍‍ସିଆରରେ ଥିବା ବରିଷ୍ଠ ଟିଡିପିଏସ୍‍ ଅଫିସର ଆରୁଷି ରାୟ । ଶ୍ରୀମତୀ ରାୟଙ୍କୁ ହଙ୍ଗେରୀ ସହିତ ସମନ୍ୱୟ ରକ୍ଷା ଦାୟିତ୍ୱ ଦିଆଯାଇଛି । ସେହଭଳି ରୋମ୍‍ରେ ଥିବା ଜାତିସଂଘର ପଲିସୀ ଅଫିସର ବୈଶାଳୀ ମହାନ୍ତି । ଶ୍ରୀମତୀ ମହାନ୍ତି ରୋମାନିଆ ସହିତ ସମନ୍ୱୟ ରକ୍ଷା କରିବେ । ହଙ୍ଗେରୀରେ ଥିବା ପରାମର୍ଶଦାତା ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆ ସହିତ ସମନ୍ୱୟ ରକ୍ଷା ଲାଗି ଓଡିଶା ସରକାର ଦାୟିତ୍ୱ ଦେଇଛନ୍ତି ।

ଓଡିଆମାନଙ୍କୁ ୟୁକ୍ରେନ ଯୁଦ୍ଧ ଭୂମିରୁ ଫେରାଇ ଆଣିବାପାଇଁ ଟିମ୍‍ ଗଠନ ସହିତ ନୂଆଦିଲ୍ଲୀ ଠାରେ ଥିବା ଓଡିଶାର ଆବାସିକ ଆୟୁକ୍ତଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ସିଏ ସମସ୍ତଙ୍କ ସହିତ ସମନ୍ୱୟ ରକ୍ଷା କରିବେ । ଓଡିଶାର ନାଗରିକ ଓ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନରୁ ଉଦ୍ଧାର ପାଇଁ ଯେଉଁ ଅର୍ଥ ବ୍ୟୟ ହେବ ତାହା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଭରଣା କରାଯିବ ବୋଲି ରାଜ୍ୟ ସରକାର ଦର୍ଶାଇଛନ୍ତି ।

ତେବେ ଇତି ମଧ୍ୟରେ ୟୁକ୍ରେନରୁ ଭାରତୀୟଙ୍କୁ କେନ୍ଦ୍ର ସରକାର ‘ଅପରେସନ ଗଙ୍ଗା’ ମାଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଥିରେ କେତେକ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫସି ରହିଥିବା ଅନ୍ୟମାନେ କିଭଳି ଉଦ୍ଧାର ହୋଇ ଓଡିଶା ଆସିବେ ତାହା ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି ।