Home Finance ଓଡ଼ିଶାରେ ୩୫୯୩ କୋଟିର ଜିଏସଟି ସଂଗ୍ରହ

ଓଡ଼ିଶାରେ ୩୫୯୩ କୋଟିର ଜିଏସଟି ସଂଗ୍ରହ

ଭୁବନେଶ୍ୱର : ଓଡ଼ିଶାରେ ୨୦୨୧ ଅକ୍ଟୋବର ମାସରେ ୩ ହଜାର ୫୯୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ଏହା ଗତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଆଦାୟ ହୋଇଥିବା ୨ ହଜାର ୪୧୯ କୋଟି ଟଙ୍କା ତୁଳନାରେ ୪୯ ପ୍ରତିଶତ ଅଧିକ ବୋଲି ଜଣାଯାଇଛି।

୨୦୨୧ ଅକ୍ଟୋବର ମାସରେ ମୋଟ ୧ ଲକ୍ଷ ୩୦ ହଜାର ୧୨୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ ୨୩ ହଜାର ୮୬୧ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୦ ହଜାର ୪୨୧ କୋଟି ଟଙ୍କା, ଆଇଜିଏସଟି ପରିମାଣ ୬୭ ହଜାର ୩୬୧ କୋଟି ଟଙ୍କା (ବସ୍ତୁ ରପ୍ତାନିରୁ ୩୨ ହଜାର ୯୯୮ କୋଟି ଟଙ୍କା ସମେତ) ଏବଂ ସେସ ପରିମାଣ ୮ ହଜାର ୪୮୪ କୋଟି ଟଙ୍କା (ବସ୍ତୁ ରପ୍ତାନିରୁ ୬୯୯ କୋଟି ଟଙ୍କା ସମେତ) ରହିଥିବା ଜଣାଯାଇଛି।

ସରକାର ସିଜିଏସଟି ବାବଦରେ ୨୭ ହଜାର ୩୧୦ କୋଟି ଟଙ୍କା ପରିଶୋଧ କରିଥିବା ବେଳେ ଆଜିଏସଟିରୁ ଏସଜିଏସଟି ବାବଦରେ ୨୨ ହଜାର ୩୯୪ କୋଟି ଟଙ୍କା ନିୟମିତ ପରିଶୋଧ କରିଛନ୍ତି। ଅକ୍ଟୋବର ୨୦୨୧ ମାସରେ ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ନିକଟରେ ମୋଟ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ ୫୧ ହଜାର ୧୭୧ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୫୨ ହଜାର ୮୧୫ କୋଟି ଟଙ୍କା ବଳକା ରହିଛି।

୨୦୨୧ ଅକ୍ଟୋବରରେ ସଂଗୃହିତ ଜିଏସଟି ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ ୨୪ ପ୍ରତିଶତ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ। ସେହିପରି ଏହି ମାସରେ ବସ୍ତୁ ରପ୍ତାନିରୁ ସଂଗୃହିତ ଜିଏସଟି ରାଜସ୍ୱ ପରିମାଣ ପୂର୍ବ ବର୍ଷର ସମାନ ମାସ ତୁଳନାରେ ୩୯ ପ୍ରତିଶତ ଅଧିକ ରହିଛି। ଅନୁରୂପ ଭାବେ ଘରୋଇ କାରବାର (ସେବା ରପ୍ତାନି ସମେତ)ରୁ ସଂଗୃହିତ ରାଜସ୍ୱ ପୂର୍ବ ଆର୍ଥିକ ବର୍ଷର ସମାନ ମାସ ତୁଳନାରେ ୧୯ ପ୍ରତିଶତ ଅଧିକ ରହିଛି।

ଜିଏସଟି ଆଇନ କାର୍ଯ୍ୟକାରୀ ହେବା ପରଠାରୁ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବାଧିକ ପରିମାଣର ଜିଏସଟି ରାଜସ୍ୱ ଆଦାୟ ହୋଇଛି। ଏଥିପୂର୍ବରୁ ଏପ୍ରିଲ ୨୦୨୧ରେ ସର୍ବାଧିକ ପରିମାଣର ଜିଏସଟି ଆଦାୟ କରାଯାଇଥିଲା, ଯାହାକି ଆର୍ଥିକ ବର୍ଷର ଶେଷ ରାଜସ୍ୱ ଆଦାୟ ସହ ଜଡ଼ିତ ଥିଲା। ତେଣୁ ଅକ୍ଟୋବର ମାସରେ ସଂଗୃହିତ ଜିଏସଟି ଆର୍ଥିକ ସୁଧାରର ସଙ୍କେତ ଦେଉଛି।

ଦ୍ୱିତୀୟ ଲହରୀ ପରେ ପ୍ରତି ମାସରେ ପ୍ରସ୍ତୁତ ହେଉଥିବା ଇ- ୱେ ବିଲ ପରିମାଣରୁ ମଧ୍ୟ ଏହାର ସଙ୍କେତ ମିଳିଥାଏ। ସେମି କଣ୍ଡକ୍ଟର ଯୋଗାଣ କାରଣରୁ କାର ଏବଂ ଅନ୍ୟ ଉତ୍ପାଦର ବିକ୍ରି ବାଧାପ୍ରାପ୍ତ ହୋଇଥିଲା। ଏପରି ହୋଇନଥିଲେ ରାଜସ୍ୱ ଆଦାୟ ପରିମାଣ ଆହୁରି ଅଧିକ ହୋଇଥାନ୍ତା। ଏହି ମାସରେ ଇ- ୱେ ବିଲ ସଂଖ୍ୟା ଏବଂ ଟିକସଯୋଗ୍ୟ ମୂଲ୍ୟର ପରିମାଣରେ ବୃଦ୍ଧି ଚାର୍ଟ-୧ରେ ଦର୍ଶାଯାଇଛି, ଯାହାକି ସ୍ପଷ୍ଟ ଭାବେ ଆର୍ଥିକ ଗତିବିଧିରେ ସୁଧାର ସମ୍ପର୍କରେ ସୂଚନା ଦେଉଛି।