Home Infrastructure ଓଡ଼ିଶାରେ ପି.ଏମ୍.ଜି.ଏସ୍.ୱାଇର ଅଗ୍ରଗତି

ଓଡ଼ିଶାରେ ପି.ଏମ୍.ଜି.ଏସ୍.ୱାଇର ଅଗ୍ରଗତି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ (ପି.ଏମ୍.ଜି.ଏସ୍.ୱାଇ)  ଯୋଜନା କାର୍ଯ୍ୟାନ୍ୱୟନରେ ଓଡ଼ିଶା ଦୃତ  ଅଗ୍ରଗତି  ବଜାୟ ରଖିଛି । ୨୦୧୬ ରୁ ୨୦୨୦  ମସିହା ପର୍ଯ୍ୟନ୍ତ  ଲଗାତର ଭାବେ  ଜାତୀୟ ସ୍ତରରେ  ୧ ନମ୍ବର ସ୍ଥାନ  ହାସଲ କଲାପରେ  ଚଳିତ ବର୍ଷ  ମଧ୍ୟ  ଓଡ଼ିଶା ଏହି  ଯୋଜନାର  ତ୍ୱରାନିତ  କାର୍ଯ୍ୟାନ୍ୱୟନ  ହାର ବଜାୟ ରଖିଛି ।  କୋଭିଡ୍- ୧୯ ନିତୀନିୟମର ଅନୁପାଳନ ମଧ୍ୟରେବି  ଓଡ଼ିଶା ଏହି  ଯୋଜନାର- ୩ୟ  ପର୍ଯ୍ୟାୟ  ପ୍ରଥମ ଦଫାରେ  ଅନୁମୋଦିତ ହୋଇଥିବା  ୩୪୦ ରାସ୍ତା ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟ  ଆରମ୍ଭ କରିଛି ।

ମୁଖ୍ୟ ଶାସନ ସଚିବ   ସୁରେଶ ଚନ୍ଦ୍ର ମହାପାତ୍ରଙ୍କ  ଅଧ୍ୟକ୍ଷତାରେ  ଅନୁଷ୍ଠିତ ରାଜ୍ୟ ସ୍ତରୀୟ  ଷ୍ଟାଣ୍ଡିଂ କମିଟି  ବୈଠକର  ଆଲୋଚନାରୁ ଏହା  ଜଣାପଡିଛି ।  ‘ଡ଼ିଜିଟାଲ୍  ମୋଡ୍’ ରେ ଅନୁଷ୍ଠିତ  ଏହି ବୈଠକରେ ଉନ୍ନୟନ କମିଶନର ଏବଂ ଗ୍ରାମ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ   ପ୍ରଦୀପ କୁମାର ଜେନା  କାର୍ଯ୍ୟାନ୍ୱୟନ  ସମ୍ବନ୍ଧିତ  ପ୍ରଶାସନିକ, ଆର୍ଥିକ ଓ ବୈଷୟିକ  ବିଷୟ ସହ  ନୂଆ ୫୪୩ ଟି ରାସ୍ତା  ଓ ୭୭ ଟି ପୋଲ ପ୍ରକଳ୍ପ  ପ୍ରସ୍ତାବ ଆଲୋଚନା  ନିମନ୍ତେ  ଉପସ୍ଥାପନ କରିଥିଲେ ।  

 ପ୍ରକଳ୍ପଗୁଡିକର  ଗୁରୁତ୍ଵକୁ  ବିଚାର କରି  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର  ସେଗୁଡିକୁ ନିତୀଗତ  ଅନୁମୋଦନ ଦେଇଥିଲେ ।   ରାସ୍ତା ଓ ପୋଲ ନିର୍ମାଣରେ  ଗୁଣାତ୍ମକମାନ  ରକ୍ଷାସହ  ନିର୍ମାଣ ପରବର୍ତ୍ତୀ ସମୟରେ ସେଗୁଡିକର  ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ମୁଖ୍ୟ ଶାସନ ସଚିବ  ଗୁରୁତ୍ଵଆରୋପ କରିଥିଲେ ।  ନିର୍ମାଣର ବିଭିନ୍ନ  ପର୍ଯ୍ୟାୟରେ  ଲଗାତର  ଯାଞ୍ଚ୍ ଓ ସମୟାନୁସାରେ  ରକ୍ଷଣାବେକ୍ଷଣ  ନିମନ୍ତେ  କାର୍ଯ୍ୟଯୋଜନା ଓ  ଆନୁଷ୍ଠାନିକ ବ୍ୟବସ୍ଥାକୁ  ଅଧିକ କ୍ରିୟାଶୀଳ  ଏବଂ ଫଳପ୍ରସୁ  କରିବା ପାଇଁ  ଶ୍ରୀ ମହାପାତ୍ର  ଗ୍ରାମ  ଉନ୍ନୟନ  ବିଭାଗଙ୍କୁ ନିର୍ଦ୍ଦେଶ  ଦେଇଥିଲେ ।

ଉନ୍ନୟନ କମିଶନର  ଶ୍ରୀ ଜେନା  ଜଣାଇଥିଲେ ଯେ  ଉଭୟ ରାଜ୍ୟ ଓ ଜାତୀୟ ସ୍ତରୀୟ ଗୁଣାତ୍ମକମାନ  ତଦାରଖ ବ୍ୟବସ୍ଥା  ମାଧ୍ୟମରେ  ନିର୍ମାଣ  କାର୍ଯ୍ୟର ଯାଞ୍ଚ୍ କରାଯାଉଛି ।  ନିର୍ମାଣ କାର୍ଯ୍ୟରେ  ବର୍ତ୍ତମାନ ଆଧୂନିକ  ବୈଷୟିକ  କୌଶଳଯୁକ୍ତ  ‘ଭାଇବ୍ରେଟର’  ଓ ‘ପେଭର’  ଆଦିର  ବହୁଳ ବ୍ୟବହାର  କରାଯାଉଛି । ଆଧୂନିକ  ‘ଭାଇବ୍ରେଟର’ ରାସ୍ତାର ଭିତ୍ତିଭୂମିକୁ ଦୃଢ଼  କରୁଛି ଏବଂ  ‘ପେଭର’ ଯନ୍ତ୍ର ଦ୍ୱାରା ସମଭାବରେ  ନିର୍ଦ୍ଧାରିତ  ପରିମାଣର  ପିଚୁ ପକାଯାଉଛି ।  ନିର୍ମାଣର  ଗୁଣାତ୍ମକମାନ  ବିଷୟରେ ମଧ୍ୟ  ରାସ୍ତା ବ୍ୟବହାର  କରୁଥିବା ଲୋକମାନଙ୍କଠାରୁ  ମତାମତ  ସଂଗ୍ରହ କରାଯାଉଛି ।

ଗ୍ରାମ ଉନ୍ନୟନ ବିଭାଗ  ନିର୍ଦ୍ଦେଶକ ସୁଦର୍ଶନ  ପରିଡା କହିଥିଲେ ଯେ ବୈଠକରେ  ପି.ଏମ୍.ଜି.ଏସ୍.ୱାଇ-୩ୟ  ପର୍ଯ୍ୟାୟ  ୨ୟ ଦଫା ନିମନ୍ତେ  ଅନୁମୋଦିତ  ପ୍ରକଳ୍ପ ଗୁଡିକ ୯ ଟି ଜିଲ୍ଲାରେ  କାର୍ଯ୍ୟକାରି ହେବ ।  ଏହି ଜିଲ୍ଲାଗୁଡିକ ହେଲା  ବଲାଙ୍ଗିର, ଭଦ୍ରଖ, ଗଞ୍ଜାମ, କେନ୍ଦ୍ରାପଡା, ଖୋର୍ଦ୍ଧା, ମାଲକାନଗିରି, ମୟୁରଭଞ୍ଜ, ନୟାଗଡ ଏବଂ ପୁରୀ ।  ଏହିସବୁ ଜିଲ୍ଲାରେ  ୩୪୩୫ କି.ମି.  ରାସ୍ତାର  ପ୍ରଶସ୍ତିକରଣ  ଓ ବିକାଶ କରାଯିବା ସହ  ୭୭ ଟି  ପୋଲ ନିର୍ମାଣ  କରାଯିବ ।   ଏହିସବୁ  ପ୍ରକଳ୍ପରେ  ପ୍ରାୟ  ୨,୨୨୯ କୋଟି  ଟଙ୍କା  ବିନିଯୋଗ କରାଯିବ  ।  

ଉନ୍ନୟନ କମିଶନର ଶ୍ରୀ ଜେନା  ଜଣାଇଥିଲେ ଯେ  ବିଭିନ୍ନ ସେବା ଯୋଗାଣ କାରୀ  ସଂସ୍ଥା, ଅନୁଷ୍ଠାନ,  ବଜାର ଓ ଗ୍ରାମ  ଆଦିକୁ  ସଂଯୋଗ  ଭିତ୍ତିରେ  ରାସ୍ତାଗୁଡିକର ଅଗ୍ରାଧିକାର  ତାଲିକା ପ୍ରସ୍ତୁତି ହେଉଛି ।  ଏହି  ତାଲିକା ପୂର୍ଣ୍ଣମାତ୍ରାରେ  କମ୍ପ୍ୟୁଟର ଚାଳିତ  ସ୍ୱୟଂକ୍ରିୟ ବ୍ୟବସ୍ଥା ମାଧ୍ୟମରେ  ସଂପାଦିତ  ହେଉଛି ।  ବର୍ତ୍ତମାନ  ସୁଦ୍ଧା ଏହି  ଯୋଜନାରେ  ପ୍ରାୟ  ୬୨ ହଜାର କି.ମି. ରାସ୍ତା ଏବଂ ୪୧୨ ଟି  ପୋଲ ନିର୍ମାଣ ସରିଛି ।  ଏହିସବୁ  ପ୍ରକଳ୍ପରେ  ପ୍ରାୟ  ୨୭ ହଜାର କୋଟି ଟଙ୍କା  ବିନିଯୋଗ କରାଯାଇଛି । 

ପ୍ରାପ୍ତ ସୂଚନାରୁ  ଜଣାପଡିଛି,  ପରିବର୍ତ୍ତିତ  ନିୟମ  ଅନୁସାରେ  ପ୍ରଧାନମନ୍ତ୍ରୀ ଗ୍ରାମ ସଡକ  ଯୋଜନା ପ୍ରକଳ୍ପରେ ରାସ୍ତା ନିର୍ମାଣ ନିମନ୍ତେ  କେନ୍ଦ୍ର ଓ ରାଜ୍ୟ ସରକାର  ୬୦:୪୦  ଅନୁପାତରେ  ପାଣ୍ଠି ଯୋଗାଉଛନ୍ତି ।  ଏହାଛଡା  ଆବଶ୍ୟକ ପଡୁଥିବା  ଜମି ଅଧିଗ୍ରହଣ  ଏବଂ ବିଜୁଳି ଓ ଟେଲିଫୋନ୍ ଆଦିର  ସ୍ଥାନାନ୍ତର  ନିମନ୍ତେ  ଆବଶ୍ୟକ ପାଣ୍ଠି  ରାଜ୍ୟ ସରକାର  ଯୋଗାଉଛନ୍ତି ।  ନିର୍ମାଣ  ପରବର୍ତ୍ତୀ ରକ୍ଷଣାବେକ୍ଷଣ  ଖର୍ଚ୍ଚ ମଧ୍ୟ  ରାଜ୍ୟ ସରକାରଙ୍କ  ପାଣ୍ଠିରୁ  କରାଯାଉଛି ।

ଏହି ବୈଠକରେ  ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପୁର୍ତ୍ତ ବିଭାଗ  ଶାସନ ସଚିବ ଡ଼ଃ କ୍ରିଷନ୍ କୁମାର, ଗ୍ରାମ ଉନ୍ନୟନ  ଅତିରିକ୍ତ ଶାସନ ସଚିବ ସୁଦର୍ଶନ  ପରିଡା, ପି.ଏମ୍.ଜି.ଏସ୍.ୱାଇର ମୁଖ୍ୟ ଯନ୍ତ୍ରୀ  ଅକ୍ଷୟ କୁମାର ପ୍ରଧାନ ଏବଂ ସଂପୃକ୍ତ ବିଭାଗର  ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here