Home Covid ଓଡ଼ିଶାରୁ ଗଲାଣି ୪୪୧୦ଟନ୍‍ ଅକ୍ସିଜେନ୍‍

ଓଡ଼ିଶାରୁ ଗଲାଣି ୪୪୧୦ଟନ୍‍ ଅକ୍ସିଜେନ୍‍


ଭୁବନେଶ୍ୱର : ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଓଡିଶା ପୁଲିସ୍‍ ସହାୟତାରେ ୨୪୧ଟି ଟ୍ୟାଙ୍କର୍ ଯୋଗେ ୪୪୧୦.୪୬୨ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି ।

ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିଆନାକୁ ଅକ୍ସିଜେନ୍ ପଠାଯାଇଛି । ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି । ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନୁଗୁଳ ଜିଲ୍ଲାରୁ ୨୮ଟି ଟ୍ୟାଙ୍କର୍ ଯୋଗେ ୪୫୮.୦୨ ଟନ୍‌, ଢେଙ୍କାନାଳ ଜିଲ୍ଲାରୁ ୫୦ଟି ଟ୍ୟାଙ୍କର୍ ଯୋଗେ ୭୯୩.୫ଟନ୍ , ଯାଜପୁର ଜିଲ୍ଲାରୁ ୬୫ଟି ଟ୍ୟାଙ୍କର୍ ଯୋଗେ ୧୩୧୪.୫୩ ଟନ୍ ଏବଂ ରାଉରକେଲାରୁ ୯୮ଟି ଟ୍ୟାଙ୍କର୍ ଯୋଗେ ୧୮୪୪.୪୧୨ ଟନ୍ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି ।

୬୮ଟି ଟ୍ୟାଙ୍କର୍‌ରେ ଆନ୍ଧ୍ରପ୍ରଦେଶକୁ ୧୪୦୪.୮୩ ଟନ୍‌, ୬୭ଟି ଟ୍ୟାଙ୍କର୍ ଯୋଗେ ତେଲେଙ୍ଗାନାକୁ ୧୧୨୪.୧୭୯ ଟନ୍‌, ତାଲିମନାଡୁକୁ ୬ଟି ଟ୍ୟାଙ୍କର୍ ଯୋଗେ ୧୧୬.୨୨ ଟନ୍‌, ହରିୟାଣାକୁ ୨୭ଟି ଟ୍ୟାଙ୍କର୍‌ରେ ୫୨୮.୭୮୨ ଟନ୍‌, ମହାରାଷ୍ଟ୍ରକୁ ୧୩ଟି ଟ୍ୟାଙ୍କର୍‌ରେ ୨୧୧.୧୬ ଟନ୍‌, ଛତିଶଗଡ଼କୁ ୧୨ଟି ଟ୍ୟାଙ୍କର୍‌ରେ ୧୮୨.୯୩୧ ଟନ୍‌, ଉତରପ୍ରଦେଶକୁ ୨୦ଟି ଟ୍ୟାଙ୍କର୍ ଯୋଗେ ୩୬୨.୪୨ ଟନ, ୨୫ଟି ଟ୍ୟାଙ୍କର୍ ଯୋଗେ ୪୧୭.୫୫ ଟନ୍‌୍ ମଧ୍ୟପ୍ରଦେଶକୁ, ୦୨ଟି ଟ୍ୟାଙ୍କର୍ ଯୋଗେ ଦିଲ୍ଲୀକୁ ୩୩ ଟନ୍‌, ୦୧ଟି ଟ୍ୟାଙ୍କର୍ ଯୋଗେ ପଞ୍ଜାବକୁ ୨୯.୩୨ ଟନ୍ ଅକ୍ସିଜେନ ଯୋଗାଇ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲାର ସମସ୍ତ ଏସ୍‌ପି/ଡିସିପି/ରେଂଜ ଡିଆଇଜି/ଆଇଜିଏବଂ ପୋଲିସ୍ କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।