Home Finance ଓଡ଼ିଶାକୁ ୧୫୭.୫୮ କୋଟି ସହାୟତା

ଓଡ଼ିଶାକୁ ୧୫୭.୫୮ କୋଟି ସହାୟତା

ଭୁବନେଶ୍ୱର : ଦେଶର ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସସିଏ) ଯୋଜନା ମାଧ୍ୟମରେ ବିଶେଷ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ବିଗତ ତିନି ବର୍ଷ ଏବଂ ଚଳିତ ବର୍ଷ ଓଡ଼ିଶାକୁ ମୋଟ ୧୫୭.୫୮ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟକୁ ୧୦ କୋଟି ଟଙ୍କା, ୨୦୧୮-୧୮ ଆର୍ଥିକ ବର୍ଷରେ ୬୬.୬୭ କୋଟି ଟଙ୍କା, ୨୦୧୯-୨୦ ଆର୍ଥିକ ବର୍ଷରେ ୬୬.୬୬ କୋଟି ଟଙ୍କା ଓ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪.୨୫ କୋଟି ଟଙ୍କା ମିଳିଛି।

ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲାଗୁଡ଼ିକୁ ସୁରକ୍ଷା ସଂକ୍ରାନ୍ତ ବ୍ୟୟ (ଏସ୍ଆରଇ) ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାକୁ ଏପ୍ରିଲ ୨୦୧୮ରେ ସମୀକ୍ଷା କରାଯାଇଥିଲା। ବର୍ତ୍ତମାନ, ଯୋଜନା ଅଧୀନରେ  ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶର ୫୪ଟି ଜିଲ୍ଲାକୁ ସାମିଲ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ଯାହାକି ୦୧.୦୪.୨୦୧୮ ଠାରୁ ଲାଗୁ ହୋଇଛି। ଏପ୍ରିଲ ୨୦୧୮ ପୂର୍ବରୁ, ଏହିସବୁ ରାଜ୍ୟର ୬୪ଟି ଜିଲ୍ଲାକୁ ଏସଆରଇ ଯୋଜନାରେ ସାମିଲ କରାଯାଇଥିଲା।

ବର୍ତ୍ତମାନ ଓଡ଼ିଶାର ୧୫ଟି ଜିଲ୍ଲା ଯଥା : ଅନୁଗୁଳ, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଏହି ଯୋଜନାରେ ସାମିଲ ହୋଇଛନ୍ତି। ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲା ହୋଇଥିବାରୁ ଏସବୁ ଜିଲ୍ଲାକୁ ସୁରକ୍ଷା ସଂକ୍ରାନ୍ତ ବ୍ୟୟ ଯୋଜନାରେ ସାମିଲ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ତେବେ ଏହି ୧୫ଟି ଜିଲ୍ଲା ମଧ୍ୟରୁ ୭ଟି ଜିଲ୍ଲା ଯଥା ବୌଦ୍ଧ, ସମ୍ବଲପୁର, ନୟାଗଡ଼, ଅନୁଗୁଳ, ଦେବଗଡ଼, ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ୨୦୨୦ ବର୍ଷରେ ଗୋଟିଏ ହେଲେ ମାଓ ହିଂସା ଘଟଣା ଘଟିନାହିଁ।

୨୦୧୮ ଏପ୍ରିଲ ପୂର୍ବରୁ ଓଡ଼ିଶାର ୧୯ ଜିଲ୍ଲା ଯଥା: ଗଜପତି, ଗଞ୍ଜାମ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ନୟାଗଡ଼, କନ୍ଧମାଳ, ଦେବଗଡ଼, ଯାଜପୁର, ଢେଙ୍କାନାଳ, କଳାହାଣ୍ଡି, ନୂଆପଡ଼ା, ବରଗଡ଼ ଓ ବଲାଙ୍ଗିରକୁ ଏସ୍ଆରଇ ଯୋଜନାରେ ସାମିଲ କରାଯାଇଥିଲା।

ବର୍ତ୍ତମାନ ଓଡ଼ିଶାର ୧୫ଟି ଜିଲ୍ଲା ବ୍ୟତୀତ ଆନ୍ଧ୍ରପ୍ରଦେଶର ୬ଟି, ଛତିଶଗଡ଼ର ୧୪ଟି, ଝାଡ଼ଖଣ୍ଡର ୧୯ଟିକୁ ମିଶାଇ ମୋଟ ୫୪ଟି ଜିଲ୍ଲାକୁ ଏସ୍ଆରଇ ଯୋଜନାରେ ସାମିଲ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବା ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ।