Home General ଓଜନରେ ଠକୁଛନ୍ତି ସୁନା ଦୋକାନୀ

ଓଜନରେ ଠକୁଛନ୍ତି ସୁନା ଦୋକାନୀ

ଭୁବନେଶ୍ୱର : ସୁନା କିଣିବାପାଇଁ ଲୋକଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଗ୍ରହ ଥିବାବେଳେ ତାହାର ମଉକା ନେଇ ସୁନା ଦୋକାନୀମାନେ ଗ୍ରାହକଙ୍କୁ ଓଜନରେ ଠକିବାରେ ଲାଗିଛନ୍ତି । ଚଳିତ ଆର୍ଥିକ ବର୍ଷରେ ସୁନା ଠକେଇ ନେଇ ୩ଟି ମାମଲା ରୁଜୁ ହେବା ସହିତ ଏ ବାବଦରେ ୮୫ହଜାର ଟଙ୍କା ଜୋରିମାନା ଆଦାୟ ହୋଇ ସାରିଲାଣି ।

ଓଡିଶାରେ ସୁନାର ଚାହିଦାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର ସୁନା ବ୍ୟବସାୟୀମାନେ ଏଠାରେ ସେମାନଙ୍କୁ ବ୍ୟବସାୟ କେନ୍ଦ୍ର ଖୋଲିଛନ୍ତି । ସୁନା ଦୋକାନ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷକରି ପାର୍ବଣ ସମୟରେ ସୁନା କାରବାର ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଚାଲୁଛି ।

ତେବେ ଲୋକଙ୍କୁ ସଠିକ୍‍ ଓଜନର ଶୁଦ୍ଧ ସୁନା ଯୋଗାଇବାପାଇଁ ପ୍ରତିଶ୍ରୁତି ଦେଉଥିବା କିଛି ଦୋକାନୀ କିନ୍ତୁ ମାପ ଓଜନରେ ଗ୍ରାହକଙ୍କୁ ଠକିବାରେ ଲାଗିଛନ୍ତି । ୨୦୧୯-୨୦ ବର୍ଷରେ ସର୍ବାଧିକ ୧୬ଟି ଏଭଳି ଠକେଇ ଆସିଥିବାବେଳେ ଏହା ପରବର୍ଷ ଅର୍ଥାତ୍‍ ୨୦୨୦-୨୧ ବର୍ଷରେ ୭ଟି ଠକେଇ ଜଣା ପଡିଥିଲା । ଏହି ଦୁଇ ବର୍ଷରେ ସୁନା ଓଜନ ଠକେଇ ପାଇଁ ଲକ୍ଷାଧିକ ଟଙ୍କାର ଜୋରିମାନା ଆଦାୟ ହୋଇଥିଲା ।

ତେବେ ସୁନା ଦୋକାନର ନିୟମିତ ଯାଞ୍ଚ ସମୟରେ ଓଜନରେ ଠକେଇ ସହିତ ଅନ୍ୟାନ୍ୟ କେତେକ ଠକେଇ ନଜରକୁ ଆସିବା ଯୋଗୁଁ ବହୁ ସଂଖ୍ୟାରେ ମାମଲା ରୁଜୁ ହେଉଛି । ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଏଥିପାଇଁ ୧୩୩ଟି ମାମଲା ରୁଜୁ ହୋବ ସହିତ ପାଖାପାଖି ୪ଲକ୍ଷ ଟଙ୍କାର ଜୋରିମାନା ଆଦାୟ ହୋଇ ସାରିଲାଣି । ଚଳିତବର୍ଷ ସୁନାରେ ଓଜନ ଠକେଇ ଅନ୍ୟାନ୍ୟ ଠକେଇକୁ ନେଇ ମୋଟ୍‍ ୧୩୬ ମାମଲା ରୁଜୁ ହୋଇଥିବାବେଳେ ୪.୭୮ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଛି ।

ଗ୍ରାହକମାନେ ଖରିଦ କରୁଥିବା ସୁନା ଗହଣାରେ କେବଳ ଏହାର ଓଜନ ଉଲ୍ଲେଖ ରହୁଥିବାବେଳେ ବହୁ ସ୍ଥାନରେ ଗ୍ରାହକମାନେ ଏହି ଲେଖାକୁ ଦେଖି ହିଁ ଖରିଦ କରିଥାନ୍ତି । ଯଦି କୌଣସି ଗ୍ରାହକ ଚାହିଁଥାନ୍ତି ତେବେ ସୁନା ଦୋକାନୀ ଗହଣାର ଓଜନ କରିଥାନ୍ତି । ଏହି ଓଜନରେ ବି କେତେକ ସମୟରେ ତାରତମ୍ୟ ଦେଖା ଦେଇଥାଏ । ହେଲେ ବିକ୍ରି ସମୟରେ ସୁନାଦୋକାନୀ କିନ୍ତୁ ନିଜ ଆଡୁ ଗହଣାର ଓଜନ କରି ଲୋକଙ୍କୁ ଦେବାର ନଜିର ଦେଖିବାକୁ ମିଳେ ନାହିଁ । ଏପରିକି ପାର୍ବଣ ଭିଡ ସମୟରେ ଗ୍ରାହକ ଚାହିଁଲେ ବି ଗହଣାକୁ ଓଜନ କରିବା କଷ୍ଟକର ହୋଇପଡେ ।

ଏହି ମଉକାରେ ସୁନା ଦୋକାନୀମାନେ ଓଜନରେ ଲୋକଙ୍କୁ ଠକୁଥିବା ଅନେକ ସମୟରେ ଅଭିଯୋଗ ହୋଇଥାଏ । ଯଦି ମାଓ ଓ ଓଜନ ନିର୍ଦ୍ଦେଶାଳୟ ନିୟମିତ ଭାବେ ସୁନା ଦୋକାନରେ ଚଢଉ କରିବ ତେବେ ଅଧିକ ସଂଖ୍ୟାରେ ଠକେଇ ପଦାକୁ ଆସିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)