Home Administration ଓଏଏସ୍‍ ପଦୋନ୍ନତି ପାଇଁ ତନାଘନା

ଓଏଏସ୍‍ ପଦୋନ୍ନତି ପାଇଁ ତନାଘନା

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବା (ଓଏଏସ୍‍) କ୍ୟାଡରରେ ସଂଖ୍ୟାବୃଦ୍ଧି ହେବା ସଂଗେ ସଂଗେ ପଦୋନ୍ନତି ଭିତ୍ତିରେ ପଦବୀ ପୂରଣ ଲାଗି ତନାଘନା ପ୍ରକାଶ ପାଇଛି । ଏଠାରେ ଉଲ୍ଲେଖନୀୟ ଯେ ଗତକାଲି ରାଜ୍ୟ କ୍ୟାବିନେଟରେ ୨୨୦ ଟି ନୂଆ ଓଏଏସ୍‍ ପଦବୀ ସୃଷ୍ଟିଲାଗି ନିଷ୍ପତ୍ତି ନିଆଯାଇଥିଲା । ଏହା ଫଳରେ ଓଏଏସ୍‍ କ୍ୟାଡରରେ ପଦବୀ ସଂଖ୍ୟା ୧୯୦୩ରୁ ବଢି ୨୧୨୩ରେ ପହଞ୍ଚିଛି ।

କ୍ୟାଡର ସଂଖ୍ୟା ବୃଦ୍ଧି ଯୋଗୁଁ ସ୍ୱତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ଓ ଯୁଗ୍ମ ଶାସନ ସଚିବ ପାହ୍ୟାରେ ନୂଆ ପଦବୀ ସୃଷ୍ଟି ହୋଇଛି । ନୂଆ ପଦବୀ ସୃଷ୍ଟି ଲାଗି କ୍ୟାବିନେଟ୍‍ ଅନୁମୋଦନ ଦେବା ପରେ ପରେ ଯୁଦ୍ଧକାଳୀନ ଭିତ୍ତିରେ ପଦବୀ ପୂରଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି ।

ଯେଉଁ ଓଏଏସ୍‍ ଅଧିକାରୀମାନଙ୍କ ନାମ ପଦୋନ୍ନତି ପାଇଁ ବିଚାରକୁ ନିଆଯିବ ସେମାନଙ୍କ ତାଲିକା ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥିବା ଏବଂ କ୍ୟାବିନେଟ୍‍ରେ ଓଏଏସ୍‍ କ୍ୟାଡର ସଂଖ୍ୟା ବୃଦ୍ଧି ପ୍ରସ୍ତାବ ପାରିତ ହେବା ପରେ ପରେ ପଦୋନ୍ନତି ପ୍ରକ୍ରିୟା ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ଏଥିଲାଗି ତାଲିକାଭୁକ୍ତ ଓଏଏସ୍‍ ଅଫିସରମାନଙ୍କ ନାମ କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ଆଦିକୁ ପଠାଯାଇଛି । ଏହି ଅଧିକାରୀମାନଙ୍କ ମଧ୍ୟରୁ କେଉଁମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ଓ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି ଓ ସେହି ମାମଲାଗୁଡିକ କେଉଁ ସ୍ତରରେ ଅଛି ତାହା ଜଣାଇବାଲାଗି ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

ଏହି ସୂଚନା ମିଳିବାପରେ ବିଭାଗୀୟ କର୍ତ୍ତୃପକ୍ଷ ଗତକାଲି ରାତିରୁ ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି । ଏମିତିକି ସାବିତ୍ରୀ ଅମାବାସ୍ୟା ଛୁଟି ଥିବା ସତ୍ୱେ ବି କେତେକ ଅଧିକାରୀ ଏହି କାମରେ ଲାଗିଥିବା ଜଣାପଡିଛି । ଦିନେ ଦୁଇଦିନ ମଧ୍ୟରେ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚରୁ ଏ ସଂକ୍ରାନ୍ତୀୟ ତଥ୍ୟ ମିଳିପାରେ ବୋଲି ବରିଷ୍ଠ ଅଧିକାରୀମାନେ ଆଶା କରୁଛନ୍ତି ।

ସେହିଭଳି ଜୋନ ଅଫ୍‍ କନସିଡିରେସନ ରେ ଥିବା ଯେଉଁ ଓଏଏସ୍‍ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ରହିଛି ଏବଂ ସେଥିରୁ କାହା ବିରୁଦ୍ଧରେ କି ପ୍ରକାର ଦଣ୍ଡବିଧାନ ହୋଇଛି, କେଉଁମାନେ ଅଭିଯୁକ୍ତ ଅଛନ୍ତି ଏବଂ କେଉଁମାନଙ୍କ ବିରୁଦ୍ଧରେ ଅଭିଯୋଗର ବିଭାଗୀୟ ତଦନ୍ତ ଚାଲିଛି ସେ ସଂକ୍ରାନ୍ତରେ ମଧ୍ୟ ତଥ୍ୟ ସଂଗ୍ରହ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହାଛଡା ତୁରନ୍ତ ପଦୋନ୍ନତି ଦେବାଲାଗି ଏହି ଅଧିକାରୀମାନଙ୍କ ପର୍ସନାଲ ଆସେସମେଣ୍ଟ ରିପୋର୍ଟ (ପାର୍‍) ମଧ୍ୟ ସଂଗ୍ରହ କରାଯାଉଛି ।

ଓଏଏସ୍‍ କ୍ୟାଡରର ସ୍ୱତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ଓ ଯୁଗ୍ମ ଶାସନ ସଚିବ ପଦବୀଗୁଡିକ ଲାଗି ପଦୋନ୍ନତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥାଏ । ଜୋନ ଅଫ କନସିରେଡସନ ମଧ୍ୟରେ ଥିବା ଅଧିକାରୀମାନଙ୍କ ଚରିତ୍ର ପଞ୍ଜିକା ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ଅପରାଧିକ ମାମଲାଗୁଡିକର ତନଖି କରି ଯେଉଁମାନେ ସ୍ୱଚ୍ଛ ଓ ଦକ୍ଷ ସେହିମାନଙ୍କୁ ପଦୋନ୍ନତି ଦିଆଯାଇଥାଏ ।

ଆସନ୍ତା ସପ୍ତାହରେ ସ୍ୱତନ୍ତ୍ର ଶାସନ ସଚିବ,ଅତିରିକ୍ତ ଶାସନ ସଚିବ ପାହ୍ୟାର ପଦବୀଗୁଡିକ ଲାଗି ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ବସିପାରେ ଏବଂ ଚଳିତମାସ ଶେଷସୁଦ୍ଧା ଯୁଗ୍ମସଚିବ ପାହ୍ୟାର ପଦବୀ ଲାଗି କମିଟି ବସି ଏହି ମାସ ମଧ୍ୟରେ ଯୋଗ୍ୟ ଅଧିକାରୀମାନଙ୍କୁ ପଦୋନ୍ନତି ଦିଆଯାଇପାରେ । ଯେଉଁ ଅଧିକାରୀମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ଅପରାଧିକ ମାମଲା ଥିବ ସେମାନଙ୍କୁ ପଦୋନ୍ନତି ନଦେଇ କମିଟିର ସୁପାରିଶ୍‍କୁ ଜଉମୁଦ ଦେଇ ରଖାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । (ତଥ୍ୟ)