Home Education ଐତିହ୍ୟକୁ ମନେ ନରଖିଲେ ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ

ଐତିହ୍ୟକୁ ମନେ ନରଖିଲେ ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ

ଭୁବନେଶ୍ୱର : ଦେଶର ଐତିହ୍ୟକୁ ମନେ ନ ରଖିପାରିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ । ଆମର ପାଠପଢ଼ା ସେବେ ପୂର୍ଣ୍ଣାଙ୍ଗ ହେବ ଯେବେ ଆମେ ଆମର ଐତିହ୍ୟକୁ ମନେ ରଖିବା ବୋଲି ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର(ଆରଆଇଆଇ) ଠାରେ ଆୟୋଜିତ ପାଞ୍ଚଦିନିଆ ଜାତୀୟ କଳା ଉତ୍ସବ ୨୦୨୨-୨୩କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଦେଶର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ସବୁ ସ୍କୁଲକୁ ଅପିଲ କରିଛନ୍ତି ।

ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନସିଇଆରଟି) ଏବଂ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମର ଦେଶର ଶିକ୍ଷା ବ୍ୟବସ୍ଥାରେ କଳା ଏବଂ ସଂସ୍କୃତିର ନିବିଡ ସମ୍ପର୍କ ରହିଆସିଛି । କଳା, ସାହିତ୍ୟ ଏବଂ ସଂସ୍କୃତି ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହାର ଆନୁଷ୍ଠାନୀକରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୨୦୧୫ରେ ଜାତୀୟ କଳା ଉତ୍ସବର କଳ୍ପନା କରିଥିଲେ । ଏହି କ୍ରମରେ ଏକ ଭାରତ ଶ୍ରେଷ୍ଠ ଭାରତର ଏହି ବିରାଟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ଆସିଥିବା ବିଦ୍ୟାର୍ଥୀମାନେ ନିଜ ନିଜ ଅଞ୍ଚଳର କଳା ଏବଂ ସଂସ୍କୃତିକୁ ପ୍ରଦର୍ଶନ କରିବା ଖୁସିର ବିଷୟ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଳା ଉତ୍ସବର ସର୍ବଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ଦିଲ୍ଲୀ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ସେ କହିଛନ୍ତି ଓଡ଼ିଶା ସମେତ ଦେଶର ପ୍ରତିଭାବାନ ଯୁବବର୍ଗ ତଥା କେନ୍ଦ୍ରୀୟ ବିଦ୍ୟାଳୟ ଓ ନବଦୋୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୃଥକ  ୧୦ଟି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ପ୍ରତିଯୋଗୀତାରେ ଯେଉଁ  ତିନିଜଣ ଗ୍ରୁପ ସମୂହ ଏଥିରେ ବିଜେତା ହେବେ ସେମାନଙ୍କୁ ୨୬ ଜାନୁଆରୀରେ ଜାତୀୟ ପରେଡ୍ ଦେଖିବା ପାଇଁ ନିମନ୍ତ୍ରଣ ଦିଆଯିବ । ଏହାର ପର ଦିନ ଅର୍ଥାତ୍ ୨୭ ଜାନୁଆରୀରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ପରୀକ୍ଷା ପେ ଚର୍ଚ୍ଚା ୨୦୨୩ ମଞ୍ଚରେ ଥିବେ ସେତେବେଳେ ଏହି ପିଲାମାନେ ମଞ୍ଚରେ ନିଜର ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ ।

ଏହାବ୍ୟତିତ ଶ୍ରୀ ପ୍ରଧାନ କଳା ଉତ୍ସବରେ ଅଂଶଗ୍ରହଣ କରିଥିବା ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀମାନଙ୍କୁ କୋଣାର୍କ ମନ୍ଦିରର ଗୌରବମୟ ଇତିହାସ ଏବଂ ଧର୍ମପଦର ସାହସ ଉପରେ ବର୍ଣ୍ଣନା କରିବା ସହ ସେମାନଙ୍କୁ କୋଣାର୍କ ବୁଲିବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ବୈଜ୍ଞାନିକ ପଦ୍ଧତିରେ ନିର୍ମିତ ହୋଇଥିବା କୋଣାର୍କ ମନ୍ଦିର ପାଇଁ ୧୨ ବର୍ଷର ବାଳକ ଧର୍ମପଦ ମନ୍ଦିରର ମୁଣ୍ଡି ମାରି ପ୍ରାଣବଳି ଦେଇଥିଲେ ।  ଓଡିଆ ଜୀବନ ଓ ଭାରତୀୟ ସଂସ୍କୃତିରେ ଧର୍ମପଦ ଏକ ସର୍ବୋତ୍ତମ ପରିଚୟ ।

ସେ କହିଛନ୍ତି, ଏନସିଇଆରଟି ନେତୃତ୍ୱରେ ନୂଆ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ କାମ ଦ୍ରୁତ ଗତିରେ ଚାଲୁଅଛି । ଶିକ୍ଷା ନୀତିର ମୂଳ ଯୋଜନା ହେଉଛି ନୂଆ ପାଠ୍ୟକ୍ରମ । ତିନି ବର୍ଷ ବୟସରୁ ବାଲ୍ ବାଟିକା ଆରମ୍ଭ ହେବ । ଏଥିପାଇଁ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ହୋଇସାରିଛି । ଏହି ସରସ୍ୱତୀ ପୂଜା ସୁଦ୍ଧା ପ୍ରାରମ୍ଭିକ ଅବସ୍ଥା ତଥା ବାଲବାଟିକାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ପ୍ରଥମ ପାଞ୍ଚ ବର୍ଷର ଟିଚିଂ-ଲର୍ଣ୍ଣିଂ ମ୍ୟାଟେରିଆଲ ଏବଂ ବହି ବି ଆସିଯିବ । ଏନସିଇଆରଟି ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହ ମିଶି ପୁସ୍ତକ ତିଆରି କରୁଛି । ଆଗାମୀ ଦିନ ମାନଙ୍କରେ ଏକବିଂଶ ଶତାବ୍ଦୀର ଆବଶ୍ୟକତା, ବସୁଧୈବ କୁଟୁମ୍ବକମର ଭାବନା ଆଧାରରେ ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବା ଭଳି ୧୫ ବର୍ଷର ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ । ଏହାବ୍ୟତିତ ଶିକ୍ଷା ନୀତିରେ ଭାରତୀୟ ଭାଷାକୁ ଗୁରୁତ୍ୱ ଦିଆଯାଉଛି । ମାତୃଭାଷା ସହ ସ୍ଥାନୀୟ ଭାଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ପିଲାଟି ପଢିବାର ପ୍ରାରମ୍ଭିକ ସମୟରେ ମାତୃଭାଷାରେ ପଢିଲେ ତା’ର ପ୍ରତିଭା ବିକଶିତ ହୋଇପାରିବ । କଳା ଉତ୍ସବ ଏହାର ଏକ ପ୍ରୟୋଗଶାଳା ହେବ ।

ଅମୃତ କାଳରେ ଭାରତ ପରିବର୍ତ୍ତନ ଆଡକୁ ଗତି କରୁଛି । ବିଦେଶୀ ଆକ୍ରମଣକାରୀଙ୍କ ପ୍ରତିମୂର୍ତ୍ତି ବଦଳରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଭଳି ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି । କର୍ତ୍ତବ୍ୟ ପଥ କରାଯାଇଛି । ୨୦୪୭ରେ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ନୂଆପିଢିଙ୍କୁ ଏ ସବୁ ବିଷୟ ଜାଣିବା ଦରକାର । ଶ୍ରୀ ପ୍ରଧାନ କହିଛନ୍ତି ଯେ କଳା ଉତ୍ସବ ଲଘୁ ଭାରତର ପ୍ରତୀକ । ଭାରତରେ ଜି୨୦ର ଆୟୋଜନ ହେଉଛି । ଏହା ଆମକୁ ଭାରତର ମୂଳଭୂତ୍ ବିଚାରକୁ ପ୍ରଦର୍ଶନ କରିବାର ସୁଯୋଗ ଦେଉଛି । କଳା ଉତ୍ସବ ମଞ୍ଚରୁ ସମ୍ପୂର୍ଣ୍ଣ ସ୍କୁଲଓ୍ୱାରୀ ବ୍ୟବସ୍ଥାକୁ ଭାରତର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସେ ଅପିଲ କରିଛନ୍ତି ।  

ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ନୂଆ କରିକୁଲମ ଆଧାରରେ ଫାଉଣ୍ଡେସନ କୋର୍ସ ପାଇଁ ‘ଟିଟର୍ସ ଗାଇଡ୍ ବୁକ୍’ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଉକ୍ତ ଶିକ୍ଷାନୁଷ୍ଠାନ ପରିସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶର ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଥିଲେ । ଦେଶ ସମସ୍ତ ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଗୋଟିଏ ଲେଖାଏଁ ଚାରା ଆଣି ସେଠାରେ ରୋପଣ କରିଥିଲେ । ଓଡ଼ିଶାର ପ୍ରତିନିଧିତ୍ୱ ଭାବେ ଶ୍ରୀ ପ୍ରଧାନ କଦମ୍ବ ଚାରା ରୋପଣ କରି ଏହାକୁ ଉଦଘାଟନ କରିଥିଲେ । ଏହା ସହ ଶିକ୍ଷାନୁଷ୍ଠାନର ଲକ୍ଷ୍ମୀବାଈ ଛାତ୍ରାବାସକୁ ମଧ୍ୟ ସେ ଲୋକାର୍ପଣ କରିଥିଲେ ।